ଟଙ୍କପାଣିରେ ଗାନ୍ଧୀ ପଦଯାତ୍ରାର ସ୍ମାରକୀ

ବାଲିଅନ୍ତା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ବାଲିଅନ୍ତା ଅଞ୍ଚଳରେ ରହଣୀକୁ ଜନମାନସରେ ସବୁଦିନ ପାଇଁ ଉଜ୍ଜୀବିତ କରି ରଖିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କ ସହ ଆସିଥିବା ଜନନାୟକମାନଙ୍କ ପଦଯାତ୍ରାର ସ୍ମାରକୀ ନିର୍ମାଣ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ଟଙ୍କପାଣି ବ୍ରିଜ ନିକଟରେ ପୁରୀ ମୁଖ୍ୟ କେନାଲ ପାର୍ଶ୍ବରେ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ପ୍ରସ୍ତାବିତ ସ୍ମାରକୀ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପର୍ଯ୍ୟଟନ ବିଭାଗ ଟଙ୍କପାଣି ବ୍ରିଜ୍‌ ନିକଟରେ ୧୧ଗୋଟି ପିଣ୍ଡି ନିର୍ମାଣ କାର୍ଯ୍ୟ କେବେଠାରୁ ସରିଲାଣି। ଉକ୍ତ ସ୍ଥାନରେ ବାପୁଙ୍କ ସମେତ ମୀରା ବେହେନ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ଜନ ନାୟକମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ନେଇ ବ୍ୟବସ୍ଥା ହୋଇଛି। ହେଲେ ଗାନ୍ଧୀ ପଦଯାତ୍ରାକାଳୀନ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବାରେ ଅହେତୁକ ବିଳମ୍ବ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ୧୦ଟି ପ୍ରତିମୂର୍ତ୍ତି ନିର୍ମାଣ ସରିଥିବା ବେଳେ ଆଉ ଗୋଟିଏ ମୂର୍ତ୍ତି ଏଯାଏ ତିଆରି ସରିନଥିବା ସୂଚନା ମିଳିଛି।

ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗାନ୍ଧୀଜୀ ଜଗନ୍ନାଥ ସଡ଼କ ଦେଇ ଯାଇଥିବା ରାସ୍ତା ପାର୍ଶ୍ବରେ ପ୍ରତିମୂର୍ତ୍ତି ସ୍ମାରକୀ ସ୍ଥାପନ କରାଯିବ। ୨୦୧୮/୧୯ ଆର୍ଥିକ ବର୍ଷରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗାନ୍ଧୀଙ୍କ ପଦଯାତ୍ରା ସ୍ମାରକୀ ନିର୍ମାଣ ଲାଗି ସଂପୃକ୍ତ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଇଥିଲେ। ଅର୍ଥ ବିଭାଗ ପକ୍ଷରୁ ୧୧ଟି ଖଣ୍ଡେଲାଇଟ ପ୍ରସ୍ତର ମୂର୍ତ୍ତି ତିଆରି ଲାଗି ମୋଟ ୭୬ଲକ୍ଷ ଟଙ୍କା ମଞ୍ଜୁର କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ବିଭାଗ ଟଙ୍କପାଣି ବ୍ରିଜ ନିକଟରେ ୧୧ଟି କଂକ୍ରିଟ ପିଣ୍ଡି ନିର୍ମାଣ କରାଇଛି। ଏହି କଂକ୍ରିଟ ପିଣ୍ଡି ଉପରେ ଗାନ୍ଧୀଙ୍କ ପଦଯାତ୍ରାକାଳୀନ ପ୍ରତିମୂର୍ତ୍ତି ସ୍ଥାପନ ହେବ। ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ ଲାଗି ଚାରିପାଖରେ ଷ୍ଟିଲ ବାଡ଼ ନିର୍ମାଣ ହେବା ସହ ଗ୍ରାନାଇଟ ଖଚିତ ହେବ। ବାକି ୫୮ ଲକ୍ଷ ଟଙ୍କାରେ ଉତ୍କଳିକା ନାମକ ଏକ ଏଜେନ୍ସିକୁ ପ୍ରତିମୂର୍ତ୍ତି ନିର୍ମାଣ ଦାୟିତ୍ବ ଦିଆଯାଇଛି। ଉକ୍ତ ଏଜେନ୍ସି ତତ୍ତ୍ବାବଧାନରେ ଉତ୍ତରାଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ନିକଟରେ ଏବେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ସରିଛି। ହେଲେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାରେ ଅହେତୁକ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର