ମୁନ୍‌ଲାଇଟ୍‌ ୟୁଥ୍‌ କ୍ଲବ୍‌ର ଟ୍ବେଣ୍ଟି-୨୦ କ୍ରିକେଟ୍‌: ଜ୍ୟୋତି ମୋଟର୍ସ ଓ ରାମେଶ୍ବର ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ବର: ମୁନ୍‌ଲାଇଟ୍‌ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହୋଇଛି ଷଷ୍ଠ ନବ ଦାସ ଓ ଦ୍ବିତୀୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା। ପ୍ରଥମ ଦିନରେ ଜ୍ୟୋତି ମୋଟର୍ସ ଓ ରାମେଶ୍ବର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଜ୍ୟୋତି ମୋଟର୍ସ ୬ ୱିକେଟ୍‌ରେ ଏମ୍‌ସିସିକୁ ପରାସ୍ତ କରିଛି। ଏମ୍‌ସିସି ରୋନକ ବାଣୁଆଙ୍କ ୩୯ ଓ ରବି ରାଜଙ୍କ ୨୩ ରନ୍‌ ସହାୟତାରେ ୭ ୱିକେଟ୍‌ ବିନିମୟରେ ୧୩୧ ରନ୍ କରିଥିଲା। ଅବଦୁଲ ଖାନ୍‌ ଓ ରଶିରଂଜନ ସାହୁ ୨ ୱିକେଟ୍‌ ଲେଖାଏଁ‌ ନେଇଥିଲେ। ଜବାବରେ ଇଲୁ ଗୋଚ୍ଛାୟତ (୬୧) ଓ ଗୌରବ ରାଉତ (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଜ୍ୟୋତି ମୋଟର୍ସ ୧୭ ଓଭରରେ ମ୍ୟାଚ୍‌ ଜିତିଥିଲା।

ଦ୍ବିତୀୟ ମ୍ୟାଚ୍‌ରେ ରାମେଶ୍ବର ସ୍ପୋର୍ଟିଂ ୨ ୱିକେଟ୍‌ରେ ପାରାମାଉଣ୍ଟକୁ ହରାଇଛି। ପାରାମାଉଣ୍ଟ ୭ ୱିକେଟ୍‌ ବିନିମୟରେ ୧୧୫ ରନ୍‌ କରିଥିଲା। ସୁଦର୍ଶନ ସ୍ବାଇଁ ସର୍ବାଧିକ ୩୪ ରନ୍‌ କରିଥିଲା ବେଳେ ବିଶ୍ବଜିତ ମଲ୍ଲିକ ୩ ଓ ଓମ୍‌ ମୁଣ୍ଡେ ୨ ୱିକେଟ୍‌ ନେଇଥିଲେ। ରାମେଶ୍ବର ସ୍ପୋର୍ଟିଂ ସମ୍ବିତ ବରାଳଙ୍କ ୪୨ ରନ୍‌ ସହାୟତାରେ ଶେଷ ବଲ୍‌ରେ ମ୍ୟାଚ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ଇଲୁ ଗୋଚ୍ଛାୟତଙ୍କୁ ପୂର୍ବତନ କ୍ରିକେଟର ଜିତୁ ମହାପାତ୍ର ଓ ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବଜିତ ମଲ୍ଲିକଙ୍କୁ ପ୍ରଭଞ୍ଜନ ମଲ୍ଲିକ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର