ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ ମାଫିଆଙ୍କ ଅବାଧ ପ୍ରବେଶ ଚାଲିଛି। ଯିଏ ଯେମିତି ପାଇଲା, ସେମିତି ଲୁଟିଚାଲିଲା। ଆଉ ମାଫିଆକୁ ସାହାଯ୍ୟ କରୁଛନ୍ତି ଜଙ୍ଗଲ ବିଭାଗର କିଛି ଅଧିକାରୀ। ଅଭୟାରଣ୍ୟ ଭିତରୁ ଲଘୁ ଖଣିଜ ଲୁଟ ହୋଇନାହିଁ, କେବଳ ପୋଖରୀ ଖୋଳା ଚାଲିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସଫେଇ ଦେଇଥିବା ବେଳେ ଅଭୟାରଣ୍ୟର ଅନେକ ସ୍ଥାନରେ ଖୋଳା ହୋଇଥିବା ଏବେ ଦେଖିବାକୁ ମିଳିଛି। ମୋରମ ଚୋରି ଘଟଣା ଜଙ୍ଗଲ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ ତରବରିଆ ତଦନ୍ତ ହୋଇ ଫରେଷ୍ଟର ସୌମ୍ୟରଞ୍ଜନ ବେଉରାଙ୍କୁ ନିଲମ୍ବନ କରାଯାଇଥିଲା। ତଦନ୍ତ ଆଗକୁ ବଢ଼ିଲେ ଅନେକ ବଡ଼ବଡ଼ିଆଙ୍କ ଅସଲ ଚେହେରା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

Advertisment

ମନ୍ତ୍ରୀଙ୍କ କହିବାନୁଯାୟୀ ଯଦି ସବୁ ନିୟମ ପରିଧି ଭିତରେ ହୋଇଛି ତେବେ ମୋରମ ଅଭୟାରଣ୍ୟ ଭିତରେ ହିଁ ଥାନ୍ତା। ମାତ୍ର ତାହା ହୋଇନାହିଁ। ଅଭୟାରଣ୍ୟ ଭିତରେ ପୋଖରି ଖୋଳା ଚାଲିଥିଲେ ମଧ୍ୟ ମୋରମ ବାହାରକୁ ଯାଇଛି। ଅଭୟାରଣ୍ୟକୁ ଲାଗିଥିବା ଏକ ଫାର୍ମହାଉସକୁ ରାତିଅଧିଆ ମୋରମ ଆସୁଥିବା କଥା ସେଠାକାର ଜଣେ କର୍ମଚାରୀ କହିଛନ୍ତି। ତାଙ୍କ ଉପସ୍ଥିତିରେ ରାତି ଅଧରେ ମୋରମ ବୋଝେଇ ହାଇଵା ଫାର୍ମ ହାଉସ୍‌କୁ ଆସିଥିବା କର୍ମଚାରୀ ଜଣକ କହିଛନ୍ତି। ଫାର୍ମ ଭିତରେ ମୋରମ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ତଦନ୍ତକାରୀ ଦଳର ତଦନ୍ତ କେବଳ ଯୋଗିବିଲରେ ହିଁ ଅଟକିଯାଇଛି।