ଭୁବନେଶ୍ୱରରେ ଟିକା ନେଲେଣି ୨୨ ଲକ୍ଷ

ଦିନକୁ ନେଉଛନ୍ତି ୪ ହଜାର, ଏଯାଏ ୩ ଲକ୍ଷ ନେଇ ନାହାନ୍ତି ଦ୍ବିତୀୟ ଡୋଜ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ୧୮ ଲକ୍ଷ ଡୋଜ ପାଇଁ ଟାର୍ଗେଟ୍‌ ରହିଥିଲା କିନ୍ତୁ ଗତ ରବିବା‌ର ସୁଦ୍ଧା ୨୨ ଲକ୍ଷ ୧ ହଜାର ୭୬୧ ଜଣ ଟିକା ନେଇ ସାରିଲେଣି। ଭୁବନେଶ୍ବରରେ ଟାର୍ଗେଟ୍‌ ଅବଧିଠାରୁ ଢେର୍‌ ସମୟ ପୂର୍ବରୁ ଶତପ୍ରତିଶତ ଟିକାକରଣ ହୋଇଥିବା ବେଳେ ଏହି ମୋଟ୍‌ ଟିକାକରଣ ପାରିମାଣ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେକର୍ଡ ବୋଲି କହିଛି ବିଏମ୍‌ସି। ଏଥିରେ ୧୨ ଲକ୍ଷ ୨୭ ହଜାର ୫୪୨ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳ‌େ ୯ ଲକ୍ଷ ୭୪ ହଜାର ୨୧୯ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଆହୁରି ୩ ଲକ୍ଷରୁ ଊର୍ଦ୍ଧ୍ବ ଦ୍ବିତୀୟ ଡୋଜ୍‌ ନେଇନଥିବା ଏହି ତଥ୍ୟ ଦର୍ଶାଉଛି।

ବିଏମ୍‌ସିର ଟାର୍ଗେଟ୍‌ ମୁତାବକ, ପ୍ରଥମ ଡୋଜ୍‌ ଦେବାପାଇଁ ୯ ଲକ୍ଷ ୭ ହଜାରଙ୍କୁ ଟାର୍ଗେଟ୍‌ କରାଯାଇଥିଲା। ସେହି ହିସାବରେ ସେମାନଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଗଲେ ମୋଟ ୧୮ଲକ୍ଷ ୧୪ ହଜାର ଡୋଜ୍‌ ଟାର୍ଗେଟ୍‌ ରହିଥିଲା। ଜୁଲାଇ ୩୧ ସୁଦ୍ଧା ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ହୋଇଥିବା ବେଳେ ୩୧ ତାରିଖ ପୂର୍ବରୁ ବିଏମ୍‌ସି ଏହି ଟାର୍ଗେଟ୍‌ ପୂରଣ କରିଥିବା ଦର୍ଶାଇଥିଲା। ଶତପ୍ରତିଶତ ଟିକାକରଣ କରି ସମଗ୍ର ଦେଶରେ ପ୍ରଥମ ମହାନଗର ନିଗମ ଭାବରେ ପରିଗଣିତ ହୋଇଥିଲା ବିଏମ୍‌ସି।

ସେହିପରି ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଥମ ଡୋଜ ୩୬ ହଜାର ୯୦ ଜଣ ନେଇଛନ୍ତି। ଯାହା ସମୁଦାୟ ସଂଖ୍ୟାର ୯୯.୮ପ୍ରତିଶତ। ଦ୍ୱିତୀୟ ଡୋଜ ନେଇଛନ୍ତି ୩୨ ହଜାର ୬୧୪ ଜଣ; ଯାହା ସମୁଦାୟ ସଂଖ୍ୟାର ୯୧.୯ପ୍ରତିଶତ। ସେହିଭଳି ସମ୍ମୁଖ ଯୋଦ୍ଧା ୯୯.୧ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୮୮.୧ ପ୍ରତିଶତ। ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ୭ ଲକ୍ଷ ୬ ହଜାର ୨୪୭ ଜଣ ପ୍ରଥମ ଓ ୫ ଲକ୍ଷ ୪୦ ହଜାର ୯୧ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୪୫ ବର୍ଷରୁ ୫୯ ବର୍ଷ ବୟସ ବର୍ଗରେ ୨ ଲକ୍ଷ ୮୮ ହଜାର ୭୭୮ ଓ ୨ ଲକ୍ଷ ୩୭ ହଜାର ୬୫୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର ୧ ଲକ୍ଷ ୪୫ ହଜାର ୯୧୨ ଜଣ ପ୍ରଥମ ଓ ୧ ଲକ୍ଷ ୨୧ ହଜାର ୬୧୮ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।

ପ୍ରତ୍ୟେକ ଦିନ ଭୁବନେଶ୍ବରକୁ ବାହାରୁ ଲୋକ ଆସି ଟିକା ନେଉଛନ୍ତି। ପ୍ରଥମ ଡୋଜ୍‌ ନେଇଥିବା ଅନେକଙ୍କର ଦ୍ବିତୀୟ ଡୋଜ୍‌ ପାଇଁ ସମୟ ହୋଇନାହିଁ। ଏଣୁ ଏହି ସଂଖ୍ୟାରେ ଅସାମଞ୍ଜସ୍ୟ ରହୁଛି। ଏଠାରେ ଦିନକୁ ପ୍ରାୟ ୪ ହଜାର ଲୋକ ଟିକା ନେଉଛନ୍ତି। ବାହାରୁ ଆସୁଥିବା ଲୋକ କିମ୍ବା ଏଠାରୁ ବାଦ୍‌ ପଡ଼ି ଯାଇଥିବା ଲୋକଙ୍କୁ ଟିକାକରଣ କରିବା ପାଇଁ ରବିବାର ମଧ୍ୟ ଟିକାକରଣ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର