୨୪ ଘଣ୍ଟାରେ ଆଉ ୧୨୮, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୫

ଏସ୍‌ଓପି ସତ୍ତ୍ବେ ହସ୍ପିଟାଲରେ ବଢ଼ି ଚାଲିଛି ସଂକ୍ରମଣ, କ୍ୟାପିଟାଲ ହସ୍ପିଟାଲରୁ ଜଣେ ପଜିଟିଭ୍

ଭୁବନେଶ୍ୱର : ରାଜଧାନୀରେ ଥିବା ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ରୋକିବା ଲାଗି ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଭାବେ ଏସ୍‌ଓପି ଜାରି କରାଯାଇଛି। ଏହା ସତ୍ତ୍ବେ ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ସରକାରୀ ହେଉ ବା ବେସରକାରୀ, ବହୁ ସଂଖ୍ୟାରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏସ୍‌ଓପି ପାଳନରେ କେଉଁଠି ନା କେଉଁଠି ତ୍ରୁଟି ବିଚ୍ୟୁତି ରହିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ଆଶଙ୍କା ଦେଖା ଦେଇଛି।

ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୮୫ଜଣ ସଙ୍ଗରୋଧରୁ ଓ ୪୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସାଲିଆସାହିରୁ ୬ଜଣ, ୫ଜଣ ପୁଲିସ୍‌ କର୍ମଚାରୀ, ସତ୍ୟନଗରରୁ ୬ଜଣ, ଘରୋଇ ହସ୍ପିଟାଲରୁ ୪ଜଣ, ଭରତପୁରରୁ ୪ଜଣ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ଅଶୋକ ନଗର, ନ୍ୟୁଫରେଷ୍ଟ ପାର୍କ, ବରମୁଣ୍ଡାରୁ ୩ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Reach FM

ତେବେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି। ତିନୋଟି ଘରୋଇ ହସ୍ପିଟାଲରୁ ୮ଜଣ, ଗଣମାଧ୍ୟମ ସଂସ୍ଥାରୁ ୩ଜଣ, କ୍ୟାପିଟାଲ ହସ୍ପିଟାଲର ଷ୍ଟାଫ ନର୍ସ, ଅନ୍ୟ ଏକ ସରକାରୀ ହସ୍ପିଟାଲରୁ ଜଣେ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବିଶ୍ବେଶ୍ବର ବସ୍ତି, ତପୋବନ ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରୁ ସଂକ୍ରମିତ ରହିଛନ୍ତି। ରାଜଧାନୀରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୫ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୧୪୩୩ଜଣ ସୁସ୍ଥ ହୋଇଥିବା ବେଳେ ୧୨୮୫ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲରୁ ଜଣେ ପଜିଟିଭ୍
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ହସ୍ପିଟାଲର ଶିଶୁ ୱାର୍ଡ‌ରୁ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ହସ୍ପିଟାଲର କେତେଜେଣ କର୍ମଚାରୀ ସଂପୃକ୍ତ ଆକ୍ରାନ୍ତଙ୍କ ସଂପର୍କରେ ଆସିଛନ୍ତି, ସେ ସଂପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ହସ୍ପିଟାଲରେ ଏବେ ଆରଟିପିସିଆର, ଟ୍ରୁନାଟ୍ ଓ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର