ରାଜଧାନୀରେ ଲଗାତାର ଦ୍ୱିତୀୟ ଦିନ ଲାଗି ୩୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ

ମହିଳାଙ୍କ ସଂସ୍ପର୍ଶରେ ଆସି ଗୋପବନ୍ଧୁ କଲୋନିରେ ୧୨ ଆକ୍ରାନ୍ତ
କ୍ୟାପିଟାଲ୍‌ ହସ୍ପିଟାଲରେ ୫ ସଂକ୍ରମିତ

ଭୁବନେଶ୍ୱର : ରାଜଧାନୀରେ ଲଗାତାର ଦ୍ୱିତୀୟ ଦିନ ଲାଗି ୩ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୩୧୯ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୬୯ରେ ପହଞ୍ଚିଛି। ଏଥିରେ ବୁଦ୍ଧନଗର ଗୋପବନ୍ଧୁ କଲୋନିରୁ ସଙ୍ଗରୋଧରେ ଥିବା ୧୨ଜଣ ଓ ମଞ୍ଚେଶ୍ବରରୁ ୧୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଚିହ୍ନଟ ୩୧୯ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ଓ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରୁ ମଧ୍ୟ ଆଜି ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କାଜୁଆଲଟିରୁ ୪ ଓ ପୁରୁଷ ୱାର୍ଡରୁ ଜଣେ ରୋଗୀ ସଂକ୍ରମିତ ହୋଇଥିବା ଜଣାଯାଇଛି।

ବୁଦ୍ଧନଗର ଗୋପବନ୍ଧୁ କଲୋନିରୁ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ୧୨ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୪ଜଣ ମହିଳା ରହିଥିବା ବେଳେ ୮ଜଣ ପୁରୁଷ ଅଛନ୍ତି। ସେହିପରି ୟୁନିଟ୍‌-୬ ଅଞ୍ଚଳରେ ୯ଜଣ ଚିହ୍ନଟ ହୋଇଛନ୍ତି। ଏଥିରୁ ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୫ଜଣ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୪ଜଣ ଅନ୍ୟ କଣ୍ଟାକ୍ଟ ଲିଙ୍କରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ସେହିପରି ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ୬ଜଣ ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ଏକାଧିକ ବସ୍ତି ଓ ଘ‌ରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ୧୪୭ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ମଞ୍ଚେଶ୍ବର ଅଞ୍ଚଳରୁ ସର୍ବାଧିକ ୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ମୁଣ୍ଡାସାହି, ହରେକୃଷ୍ଣ ବସ୍ତି, ସାଲିଆସାହି, ମଙ୍ଗଳା ବସ୍ତି, କଳିଙ୍ଗ ବସ୍ତି, ମା’ ମଙ୍ଗଳା ବସ୍ତି ଭଳି ଅଞ୍ଚଳରୁ ଏକାଧିକ ପଜିଟିଭ୍‌ ରହିଛନ୍ତି। ଏହାସହ ଘରୋଇ ହସ୍ପିଟାଲର ୪ଜଣ, ସରକାରୀ ହସ୍ପିଟାଲରୁ ଜଣେ, ପୁଲିସ କର୍ମଚାରୀ ଓ ରିଜର୍ଭ ପୁଲିସ କଲୋନରୁ ୨ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୩୯୫୩ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ୨୪୦୫ ସଂକ୍ରମିତଙ୍କୁ ଚିକିତ୍ସା ଜାରି ରହିଛି। ଏହାସହ ୩୧ଜଣ କରୋନା ଆକ୍ରାନ୍ତ ଏ ପର୍ଯ୍ୟନ୍ତ ଭୁବନେଶ୍ବରରେ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧିତ ଖବର