ବସ୍ତି ଭୋଟରଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ରହିଛି। ଏଠାରେ ସାଲିଆ ସାହି, ପଥରବନ୍ଧ, ନୀଳାଦ୍ରିବିହାର ବସ୍ତି, ଧୀରିକୁଟ ବସ୍ତି, ମୁଣ୍ଡା ସାହି, ତେଲୁଗୁ ବସ୍ତି, ଶିଖରଚଣ୍ଡୀ ବସ୍ତି, ନୀଳମାଧବ ବସ୍ତି ଭଳି ବଡ଼ବଡ଼ ବସ୍ତିକୁ ମିଶାଇ ପ୍ରାୟ ୧୯୦ଟି ପଞ୍ଜୀକୃତ ବସ୍ତି ରହିଛି। ଏହାବାଦ୍ ୨୦ରୁ ୨୫ଟି ଅଣପଞ୍ଜୀକୃତ ବସ୍ତି ରହିଛି। ଯେଉଁଠି ପ୍ରାୟ ୧ଲକ୍ଷ ୨୦ହଜାରରୁ ଅଧିକ ଭୋଟର ରହିଥିବା ପ୍ରାର୍ଥୀମାନେ ହିସାବ କରିଛନ୍ତି। ଏପରିକି ସାଲିଆ ସାହିରେ କେବଳ ୩୫ହଜାରରୁ ଅଧିକ ଭୋଟର ଅଛନ୍ତି। ଏଠାରେ ୨୦୦୯ରେ ୩୫.୦୯% ମତଦାନ ହୋଇଥିବାବେଳେ ୨୦୧୪ରେ ୪୧.୩% ମତଦାନ ହୋଇଥିଲା। ବସ୍ତି ଭୋଟର୍ ଅଧିକ ଥିବାରୁ ପ୍ରାର୍ଥୀଙ୍କ ଟାର୍ଗେଟ୍ ବସ୍ତି।
ଏଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଆଇଟି କମ୍ପାନି, ସରକାରୀ କର୍ମଚାରୀ ଓ ଘରୋଇ କମ୍ପାନିର କର୍ମଚାରୀ ରହୁଥିବାରୁ ବସ୍ତି ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି। ଏହାବାଦ୍ ୫ପଞ୍ଚାୟତ ବି ରହିଛି। ତେଣୁ ପ୍ରାର୍ଥୀମାନେ ଦିନର ପ୍ରଥମ ପ୍ରଚାର ବସ୍ତିରୁ ଆରମ୍ଭ କରୁଛନ୍ତି ଏବଂ ବସ୍ତିରେ ହିଁ ଶେଷ କରୁଛନ୍ତି। ଉତ୍ତର ନିର୍ବାଚନମଣ୍ଡଳୀରେ ବିଏମ୍ସି ଅଞ୍ଚଳରେ ସମସ୍ତ କର୍ପୋରେଟର ବିଜେଡିର ହୋଇଥିବାରୁ ଏଠାରେ ବିଜେଡି ଭୋଟର ଅଧିକ ରହୁଛି। ବିଧାୟକ ପ୍ରାର୍ଥୀ ବି କର୍ପୋରେଟରଙ୍କୁ ସଙ୍ଗରେ ନେଇ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ହେଲେ ବିଜେପି ପ୍ରାର୍ଥିନୀ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସହ ପୁଅ ଅଭିନେତା ବାବୁସାନ୍ ବୁଲୁଥିବାରୁ ତାଙ୍କ ପାଇଁ ବସ୍ତି ଅଞ୍ଚଳରେ ପ୍ରବଳ ଭିଡ଼ ଜମୁଛି। ବସ୍ତି ଭୋଟରଙ୍କୁ ଏହି କ୍ରେଜ୍ କିଛି ମାତ୍ରାରେ ଆକର୍ଷଣ କରିପାରେ। ଏହାବାଦ୍ ବସ୍ତି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ବିରୋଧୀ ଇସ୍ୟୁ କରୁଥିବାରୁ ବିଜେଡି ପ୍ରାର୍ଥୀ ଏଠାରେ ପୂରା ଅଚିନ୍ତା ହେବାର ସମ୍ଭାବନା ବି ନାହିଁ। କଂଗ୍ରେସ ପ୍ରାର୍ଥୀ ନୂଆ ମୁହଁ ହୋଇଥିଲେ ହେଁ ସେ ବି ବସ୍ତିରେ ପ୍ରଚାର କରୁଛନ୍ତି। ଏହାବାଦ୍ ସ୍ବାଧୀନ ପ୍ରାର୍ଥୀମାନେ ବି ବସ୍ତିକୁ ଫୋକସ୍ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/salia-sahi.jpg)