ଭୁବ‌ନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଓ ଆଦୌ ସ୍କୁଲ୍‌ ଯାଇ ନଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ପ୍ରୟାସ ଚାଲିଛି। ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ଏଥିପା‌ଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ‘ଆସ ସ୍କୁଲ୍‌ ଯିବା’ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଅଭିଯାନରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଚିତ୍ର ନଜରକୁ ଆସିଛି, ତାହା ବେଶ୍‌ ଚିନ୍ତାଜନକ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି। ଭୁବନେଶ୍ବର ବ୍ଲକ୍‌‌ରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ସ୍କୁଲ୍‌ ବାହାରେ ଅଛନ୍ତି। ବିଏମ୍‌ସିରେ ଏହାର ସଂଖ୍ୟା ହଜାରେ ପାଖରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଆଦୌ ସ୍କୁଲ୍‌ ଆସି ନଥିବା ପିଲାଙ୍କଠାରୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅଧିକ। ପାଠପଢ଼ା ଛାଡ଼ୁଥିବା ଝିଅଙ୍କ ତୁଳନା‌ରେ ପୁଅଙ୍କ ସଂଖ୍ୟା ଢ଼େର୍‌ ଅଧିକା ଥିବା ଜଣାପଡ଼ିଛି।

Advertisment

‘ଆସ ସ୍କୁଲ୍‌ ଯିବା’ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ସର୍ଭେ କରିଥିଲେ। ସର୍ଭେ ସମୟରେ ଆସିଥିବା ତଥ୍ୟ ଅନୁସାରେ ଭୁବନେଶ୍ବର ବ୍ଲକ୍‌ରେ ୧୪୫ ଝିଅ ଓ ୧୮୩ ‌ପୁଅ ପାଠପଢ଼ା ଛାଡ଼ିଛନ୍ତି। ‌ ୩୨ ଝିଅ ଓ ୪୮ପୁଅଙ୍କ ଆଦୌ ସ୍କୁଲ୍‌ ଆସି ନାହାନ୍ତି। ଏହା ସହ ୩୮ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି। ବିଏମ୍‌ସି ଅଞ୍ଚଳର ଚିତ୍ର ଆହୁରି ସାଂଘାତିକ। ଏହି ଅଞ୍ଚଳରେ ଥିବା ସ୍କୁଲରୁ ୩୨୫ ଝିଅ ଓ ୪୬୪ ପୁଅ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି। ସେହିପରି ୨୧୧ ଝିଅ ଓ ୨୭୮ ପୁଅ ସ୍କୁଲରେ ଆଦୌ ନାମ ଲେଖାଇ ନାହାନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟାକୁ ମିଶାଇ ମୋଟ୍‌ ୧୨୭୮ଜଣ ବିଦ୍ୟାଳୟ ବାହାରେ ଅଛନ୍ତି।

ବୟସ ଅନୁସାରେ ପାଠପଢ଼ା ଛାଡ଼ୁଥିବା ଓ ‌ଆଦୌ ସ୍କୁଲ୍‌ ଆସି ନଥିବା ସଂଖ୍ୟାକୁ ଦେଖିଲେ ଜଣାପଡ଼ିଛି ଯେ ମାଟ୍ରିକ୍‌ ଓ ଯୁକ୍ତ୨ ପରେ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡୁଛନ୍ତି। ଭୁବନେଶ୍ବର ବ୍ଲକ୍‌ରେ ୧୫ ବର୍ଷ ବୟସରେ ୪୯ ପିଲା ଏବଂ ବିଏମ୍‌ସିରେ ୯୨ ପିଲା ପାଠ ଛାଡ଼ିଛନ୍ତି। ୧୬ବର୍ଷ ବୟସରେ ବ୍ଲକ୍‌ରେ ୭୩ ଜଣ ଓ ବିଏମ୍‌ସିରେ ୧୫୦, ୧୭ ବର୍ଷ ବୟସରେ ବ୍ଲକ୍‌ରେ ୮୬ ଓ ବିଏମ୍‌ସିରେ ୨୪୦ ଏବଂ ୧୮ ବର୍ଷ ବୟସରେ ବ୍ଲକ୍‌ରେ ୩୫ ଓ ବିଏମ୍‌ସିରେ ୧୧୩ ପିଲା ପାଠପଢ଼ା ଛାଡ଼ିଛନ୍ତି। ପିଲା ସ୍କୁଲ୍‌ ଆସିବା ବନ୍ଦ ପରେ ଶିକ୍ଷକମାନେ ପିଲାଙ୍କୁ ସ୍କୁଲ୍‌ ଫେରାଇ ଆଣିବାକୁ ଉଦ୍ୟମ ଚଲାଇଥିବା ସୂଚନା ମିଳିଛି।
ସହରର ବସ୍ତି ଅଞ୍ଚଳରେ ଥିବା ଅନେକ ଛାତ୍ରୀ ବିବାହ କରି ଅନ୍ୟତ୍ର ରହୁଥିବା ବେଳେ କେତେକ ଛାତ୍ର ଦାଦନ ଖଟିବା ପାଇଁ ବାହାରକୁ ଚାଲି ଯାଇଥିବା ସୂଚନା ମିଳିଛି। ଏତେ ସବୁ ଘଟଣା ପରେ ବି ସ୍କୁଲ୍‌ ଦାୟିତ୍ବରେ ଥିବା ଶିକ୍ଷକ କଣ କରୁଛନ୍ତି? ଶିକ୍ଷା ଅଧିକାରୀ ଏବାବଦରେ ପ୍ରଶ୍ନ ଉଠାଇ ନଥିଲେ କାହିଁକି? ଏଭଳି ସ୍ଥିତି ପାଇଁ ଦାୟୀ କିଏ? କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ରାଜଧାନୀ ଶିକ୍ଷା ବ୍ୟବସ୍ଥା ପ୍ରତି ଉଠିଛି।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ କହିଥିଲେ ଯେ ସର୍ଭେରୁ ମିଳିଥିବା ତଥ୍ୟର ସମୀକ୍ଷା ହେଉଛି। ତର୍ଜମା ପରେ ଜିଲ୍ଲା ସ୍ତରରେ ପଦକ୍ଷେପ ନିଆଯିବ।