ବସ୍ତି ଅପେକ୍ଷା ଅଣବସ୍ତି ଅଚଂଳରେ ଅଧିକ ବ୍ୟକ୍ତି ସଂକ୍ରମିତ; ଭୁବନେଶ୍ବରର ୮୦ ପ୍ରତିଶତ ରୋଗୀ ଲକ୍ଷଣବିହୀନ : ବିଏମସି କମିସନର

ଭୁବନେଶ୍ୱର: ବସ୍ତି ତୁଳନାରେ ଅଣବସ୍ତି ଅଂଚଳରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବସ୍ତି ଅଂଚଳରେ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି । କିନ୍ତୁ ଅଣବସ୍ତି ଅଂଚଳରୁ ୬୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବସ୍ତି ଅଂଚଳରେ ଅଳ୍ୱ ସମୟ ମଧ୍ୟରେ କରୋନା ବିସ୍ତାର ଲାଭ କରିବାର ଆଶଙ୍କା ରହିଛି । ତେଣୁ ଏଥି ପାଇଁ ଆମର ଟିମ ସତର୍କ ରହିଛନ୍ତି ।

ବିଏମସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ନିକଟରେ ମହିଷାଖାଲରେ ଏକକାଳୀନ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ଜଣାପଡ଼ିବା ପରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏଠାରେ ଶିବିର ଲଗାଇ ଟେଷ୍ଟିଂ କରାଯିବା ପରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଦିନରେ ଭୁବନେଶ୍ୱରରେ ୪ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି । ବିଏମସି କମିସନର କହିଛନ୍ତି  ଯେ ଭୁବନେଶ୍ୱରରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣବିହୀନ ଏବଂ ଭୁବନେଶ୍ୱରରେ ୬୪ ଜଣ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ।

ଏଥିସହ ସେ ସୂଚନା ଦେଇଥିଲେ ଯେ  ଗୋଟିଏ କାରଖାନାରୁ ବିଏମସି  ୬୮ ଜଣ କରୋନା ପଜିଟିଭ ଚିହ୍ନଟ କରିଛି। ଏଠାରେ ପ୍ରଥମେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ୧୫୦ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ବର୍ତ୍ତମାନ ଏହି କାରଖାନା ଓ ଏହାର ଆଖପାଖରେ ଥିବା କେତେଟି କାରଖାନାକୁ ୭ ଦିନ ଲାଗି ସିଲ୍ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଆଜି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୧୮୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮୬୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୯୫୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ପାଇଁ ଡାଟା ବିଶ୍ଲେଷଣ କରାଯାଉଛି । କେଉଁ ଅଂଚଳରେ କେତେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ତାହାକୁ ଆମର ଟିମ ଅନୁଧ୍ୟାନ କରୁଛି । ଆମେ ବସ୍ତି ଅଂଚଳକୁ ଅଧିକ ଫୋକସ କରୁଛୁ । ଏକ ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆମେ ସଂପୃକ୍ତ ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି ଆରମ୍ଭ କରିଦେଉଛୁ । ଜୁଲାଇ ୩୧ ଯାଏଁ ଲକଡାଉନ ଅବଧି ଥିବା ବେଳେ ସେଥିପାଇଁ ଆମେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ଭୁବନେଶ୍ୱରବାସୀଙ୍କ ସହିତ ଆମେ ସବୁବେଳେ ସଂପର୍କରେ ରହିଛୁ ।  ସମସ୍ତେ କୋଭିଡ-୧୯ ନିୟମ ପାଳନ କଲେ, ଆମେ ରଣନୀତିରେ ସଫଳତା ହାସଲ କରିପାରିବା ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.