ଭୁବନେଶ୍ବର: ରାଜଧାନୀର ଚିଲିକାଫ୍ରେସ୍ରେ ବିଭିନ୍ନ ଭେରାଇଟିର ଲୁଣି ମାଛ ଓ କଙ୍କଡ଼ା ଉପଲବ୍ଧ ହେବ ନାହିଁ। ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଯୋଗୁଁ କିଛିଦିନ ଏଭଳି ଅଭାବ ଦେଖାଦେବ। ରାଜଧାନୀରେ ଥିବା ଚିଲିକାଫ୍ରେସ୍ ଓ ଚିକେନ୍ଫ୍ରେସ୍ ଆଉଟଲେଟ୍ରେ ବାତ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଚିକେନ୍ଫ୍ରେସ୍ରେ ଥିବା କୁକୁଡ଼ା ଓ ଅଣ୍ଡା ନଷ୍ଟ ହୋଇଯିବା ସହ ଚିଲିକାଫ୍ରେସ୍ରେ ଷ୍ଟୋରେଜ୍ ୟୁନିଟ୍ ଅଭାବରୁ ମାଛ ନଷ୍ଟ ହୋଇଯାଇଛି। ଯଦିଓ ଏହି ଦୁଇ ୟୁନିଟ୍ ଧୀରେ ଧୀରେ ଖୋଲିବାକୁ ଆରମ୍ଭ କରିଛି, ଏପର୍ଯ୍ୟନ୍ତ ସ୍ବାଭାବିକ ଭାବେ କାର୍ଯ୍ୟ କରିନାହିଁ। ସପ୍ଲାଏର୍ମାନଙ୍କ ବ୍ୟାପକ କ୍ଷତି ହୋଇଥିବାରୁ ରାଜଧାନୀରେ ଆବଶ୍ୟକ ମାଲ୍ ପହଞ୍ଚି ପାରୁନାହିଁ।
ଫିସଫେଡ୍ ପକ୍ଷରୁ ରାଜଧାନୀରେ ୩ଟି ଚିଲିକାଫ୍ରେସ୍ ଆଉଟଲେଟ୍ କାର୍ଯ୍ୟ କରୁଛି। ଏହି ସମସ୍ତ ଆଉଟଲେଟ୍ର ବୋର୍ଡ ଓ ଆଜବେଷ୍ଟସ୍ ଉଡ଼ି ଯାଇଥିଲା ବେଳେ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଆଉଟଲେଟ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଜୁଳି ଅଭାବରୁ ଶିରିପୁର, ସହିଦନଗର ଓ ସିଆର୍ପି ଛକରେ ଥିବା ଆଉଟଲେଟ୍ରେ ୩/୩.୫ଲକ୍ଷ ଟଙ୍କାର ମାଛ ନଷ୍ଟ ହୋଇଯାଇଛି। ପାରାଦୀପ, ପୁରୀ ପେଣ୍ଠକଣ୍ଟା, ଅସ୍ତରଙ୍ଗ, ବାଲୁଗାଁରୁ ଚିଲିକାଫ୍ରେସ୍କୁ ମାଛ ଆସିଥାଏ। ଏହାସହ ପ୍ରାୟ ୨ଶହ ମତ୍ସ୍ୟ ସମିତିରେ ବ୍ୟାପକ କ୍ଷତି ହୋଇଛି। ତେଣୁ ସେଠାରୁ ମାଛ ଆସିପାରୁ ନାହିଁ। ଗ୍ରାହକଙ୍କ ଚାହିଦା ଦୃଷ୍ଟିରୁ ପୁଣିଥରେ ରବିବାରରୁ ଚିଲିକାଫ୍ରେସ୍ ଖୋଲିଥିବା ଫିସଫେଡ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ନୟାଗଡ଼ ଅଞ୍ଚଳରୁ କେବଳ ମଧୁର ମାଛ ଅଣାଯାଇ ବିକ୍ରି ହେଉଛି। ଗ୍ରାହକଙ୍କୁ ଲୁଣି ମାଛ ଯୋଗାଇ ଦେବା ପାଇଁ ଗୋପାଳପୁର ଅଞ୍ଚଳରେ ଥିବା ମତ୍ସ୍ୟ ସମିତି ସହ ଆଲୋଚନା ଚାଲିଛି। ଯଦି ଏହା ସଫଳ ହୁଏ ତେବେ ଖୁବଶୀଘ୍ର ଚିଲିକାଫ୍ରେସ୍ରେ ଲୁଣି ମାଛ ଉପଲବ୍ଧ ହେବ। ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜୁଳି ଓ ବରଫ ଅଭାବରୁ ମାଛକୁ ସଂରକ୍ଷଣ ରଖିବା ସମ୍ଭବ ହୋଇନଥିଲା। ନିକଟରେ ବିଭାଗ ପକ୍ଷରୁ ହୋଇଥିବା ବୈଠକରେ ଏହି ୟୁନିଟ୍ ପାଇଁ ଜାଗା ଯୋଗାଇ ଦେବା ଲାଗି ସାଧାରଣ ପ୍ରଶାସନ ବିଭାଗ ସହ ଆଲୋଚନା ହୋଇଛି। ଅତି କମ୍ରେ ୫ ଟନ୍ କ୍ଷମତା ବିଶିଷ୍ଟ ୟୁନିଟ୍ ପାଇଁ ଆଲୋଚନା ହୋଇଛି। ଏବେ ରାଜଧାନୀରେ ବିଜୁଳି ଆସିଥିଲେ ହେଁ ତାହା ନିୟମିତ ହୋଇପାରିନାହିଁ। ତେଣୁ ଅଧିକାଂଶ ବରଫ କଳରୁ ଏବେ ବି ବରଫ ବାହାରୁ ନାହିଁ। ତେଣୁ ବାଲୁଗାଁ, ଭଦ୍ରକ ଓ ଖୋର୍ଧାର ବରଫ କଳରୁ ବରଫ କିଣିବାକୁ ପଡ଼ୁଛି। ପୂର୍ବରୁ ୮୦ କେଜିକୁ ୩୩୦ଟଙ୍କା କିଣା ଯାଉଥିଲା ତେବେ ଏବେ ବରଫ ଆସୁଥିବାରୁ ଅଧିକ ଦାମ୍ ଦେଇ କିଣିବାକୁ ପଡ଼ୁଛି। ଫିସ୍ଫେଡ୍ ପକ୍ଷରୁ ଚାଲୁଥିବା ଚିକେନ୍ଫ୍ରେସ୍ରେ ୧୨/୧୫ଲକ୍ଷ ଟଙ୍କାର କ୍ଷତି ହୋଇଛି। ଅପରପକ୍ଷରେ ଫିସଫେଡ୍ ବାଦ୍ ପିପିପି ମୋଡ୍ରେ ଫାଲକନ୍ ସହାୟତାରେ ୧୩ଟି ଆଉଟଲେଟ୍ ଖୋଲିଛି। ଫାଲକନ୍ର ନିଜସ୍ବ ସଂରକ୍ଷଣ ୟୁନିଟ୍ ରହିଥିବାରୁ ଏବେ କେତେକ ଆଉଟ୍ଲେଟ୍ରେ ମାଛ ବିକ୍ରି ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/State-1.jpg)