ସ୍କ୍ରାପିଂ କଲେ ନୂଆ ଗାଡ଼ି ଉପରେ ମିଳିବ ଅଧିକ ରିହାତି: ଏମ୍‌ଭି ଟ୍ୟାକ୍ସ ୨୫%, ଗାଡ଼ି ମୂଲ୍ୟ ଉପରେ ୧୧% ପର୍ଯ୍ୟନ୍ତ ରିହାତି ମିଳିବ

ସ୍କ୍ରାପିଂ କେନ୍ଦ୍ର ପାଇଁ ଜମି ଦେବେ ରାଜ୍ୟ ସରକାର, ମେକ୍‌ ଇନ୍‌ ଓଡ଼ିଶାରେ ହେବ ଏମ୍‌ଓୟୁ ସ୍ବାକ୍ଷର

ଭୁବନେଶ୍ବର: ରାଜ୍ୟରେ ଯେପରି ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଲୋକମାନେ ଯଥାସମ୍ଭବ ଶୀଘ୍ର ସ୍କ୍ରାପିଂ କରିବେ ସେନେଇ ରାଜ୍ୟ ସରକାର ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧା ନୀତି ଆଣୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପୂର୍ବରୁ ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧା ନୀତି ଆଣିଥିବାବେଳେ ରାଜ୍ୟ ସରକାର ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ଏଥିରେ ଅଧିକ ରିହାତି ସୁବିଧା ଯୋଡ଼ିଛନ୍ତି। ଏହି ସ୍କ୍ରାପିଂ ନୀତିରେ କ’ଣ କ’ଣ ସୁବିଧା ଯୋଗାଇ ଦିଆଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏହି ନୀତିକୁ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବାଣିଜ୍ୟ ଓ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧା ନୀତିରେ ଉଭୟ ଗାଡ଼ି କ୍ରେତା, ପୁରୁଣା ଗାଡ଼ି ସ୍କ୍ରାପିଂ କରୁଥିବା ସଂସ୍ଥାଙ୍କୁ ଅଗ୍ରାଧିକାର ଦିଆଯିବ। ଉଭୟ ପକ୍ଷଙ୍କୁ ବ୍ୟାପକ ରିହାତି ସୁବିଧା‌ ଯୋଗାଇ ଦିଆଯିବ। ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯେପରି ଅଧିକ ସଂସ୍ଥା ଓଡ଼ିଶାରେ ସ୍କ୍ରାପିଂ କେନ୍ଦ୍ର କରିବେ ସେନେଇ ଏମ୍‌ଓୟୁ ସ୍ବାକ୍ଷର କରାଯିବ। ରାଜ୍ୟ ସରକାରଙ୍କ ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧା ନୀତି ଅନୁଯାୟୀ, ଯେଉଁମାନେ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ ସେମାନଙ୍କୁ ନୂଆ ଗାଡ଼ି କିଣିଲେ (ପରିବହନ ପାଇଁ ବ୍ୟବହାର ହେଉନଥିବା ଗାଡ଼ି) ଏକକାଳୀନ ‌ମୋଟର ଯାନ ଟିକସ ଉପରେ ୨୫% ଛାଡ଼ ଏବଂ ପରିବହନ ପାଇଁ ବ୍ୟବହାର ହେଉଥିବା ଗାଡ଼ି ଉପରେ ୮ବର୍ଷର ମୋଟର ଯାନ ଟିକସ ଉପରେ ୧୫% ଛାଡ଼ ମିଳିବ। କେବଳ ଏତିକି ନୁହେଁ, ନୂଆ ଗାଡ଼ି କିଣିବା‌ ବେଳେ ଗାଡ଼ିର ଏକ୍ସ ସୋ’ରୁମ୍‌ ମୂଲ୍ୟ ଉପରେ ୬% ଛାଡ଼ ହେବ। ଏହାସହ ଓଡ଼ିଶା ସରକାରଙ୍କ ଗାଡ଼ି ସ୍କ୍ରାପିଂ ସାର୍ଟିଫିକେଟ୍ ଦେଖାଇଲେ ଗାଡ଼ି ନିର୍ମାଣକାରୀ ସଂସ୍ଥା ଆଉ ୫% ରିହାତି ଦେବାକୁ କୁହାଯିବ। ସେହିପରି ଯେଉଁମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଗାଡ଼ି ସ୍କ୍ରାପିଂ କରିବା‌କୁ ଆସିବେ ସେମାନଙ୍କୁ ଗାଡ଼ିର ବକେୟା ଟିକସ ଉପରେ ୯୦% ଛାଡ଼ ମିଳିବ। ଏହା ପ୍ରଥମେ ଆସିଲେ ପ୍ରଥମ ସୁବିଧା ହିସାବରେ ଯୋଗାଇ ଦିଆଯିବ।

ସେହିପରି ଯେଉଁମାନେ ଓଡ଼ିଶାରେ ଗାଡ଼ି ସ୍କ୍ରାପିଂ କେନ୍ଦ୍ର ଖୋଲିବେ ସେମାନଙ୍କୁ ୭ବର୍ଷ ପର୍ଯ୍ୟନ୍ତ ୨୫% ରାଜ୍ୟ ଜିଏସ୍‌ଟି ‌ଫେରସ୍ତ କରାଯିବ। ଇଡ୍‌କୋ ପକ୍ଷରୁ ୧୦ ଏକର ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯିବ। ଏଥିରେ ଷ୍ଟାମ୍ପ ଡ୍ୟୁଟି ସବ୍‌ସିଡି ସୁବିଧା ମିଳିବ। ଯେଉଁ ସଂସ୍ଥା ଭିତ୍ତିଭୂମି, ଯନ୍ତ୍ରାଂଶ, ‌ସରଞ୍ଜାମ ଆଦିରେ ଯେତିକି ପୁଞ୍ଜିନିବେଶ କରିବ ତାଙ୍କୁ ‌ଏହାର ୧୦% /ସର୍ବାଧିକ ୧କୋଟି ଯୋଗାଇ ଦିଆଯିବ। ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧାକୁ ଶିଳ୍ପ ୟୁନିଟ ମାନ୍ୟତା ମିଳିବ, ୫ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ଉପରେ ୫୦% ଛାଡ଼ ସୁବିଧା ମିଳିବ ବୋଲି ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ସୁବିଧା ନୀତିରେ ଗାଡ଼ି ମାଲିକଙ୍କ ପାଇଁ ନୂଆ ଗାଡ଼ି କିଣିବାବେଳେ ଗାଡ଼ିର ଏକ୍ସ ସୋ’ରୁମ୍‌ ମୂଲ୍ୟ‌ ଉପରେ ୪ରୁ ୬% ପାଇଁ ଛାଡ଼ ସୁବିଧା ରଖିଛନ୍ତି। ଯାହାକୁ ରାଜ୍ୟ ସରକାର ୬% କରିଛନ୍ତି। ବାକି ସବୁ ସୁବିଧା ସମାନ। ସେହିପରି ଗାଡ଼ି ସ୍କ୍ରାପିଂ ସୁବିଧା କେନ୍ଦ୍ର ପାଇଁ କେନ୍ଦ୍ର ସରକାର କୌଣସି ସର୍ତ୍ତ ରଖିନଥିବାବେଳେ ରାଜ୍ୟ ସରକାର ଅଧିକ ସୁବିଧା ଯୋଗାଇଛନ୍ତି।

ସମ୍ବନ୍ଧିତ ଖବର