ଘରୋଇ ହସ୍ପିଟାଲରେ ଫଲ୍‌ସ ଡେଙ୍ଗୁ ପଜିଟିଭ୍ ଅଧିକ

ଭୁବନେଶ୍ବର : ଘରୋଇ ହସ୍ପିଟାଲରେ ହେଉଥିବା ଡେଙ୍ଗୁ ପରୀକ୍ଷାରେ ଅଧିକ ଫଲ୍‌ସ ପଜିଟିଭ୍ ଆସୁଛି। ଡେଙ୍ଗୁ ପରୀକ୍ଷା ଏଲିସା ପଦ୍ଧତିରେ ହେବା କଥା। ମାତ୍ର ଘରୋଇ ହସ୍ପିଟାଲମାନେ କାର୍ଡ ପରୀକ୍ଷା କରୁଛନ୍ତି। ଯାହାଫଳରେ ପରୀକ୍ଷାକୁ ନେଇ ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହେଉଛି ବୋଲି କହିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର। ଡା. ମିଶ୍ରଙ୍କ କହିବା କଥା, ଘରୋଇ ହସ୍ପିଟାଲମାନେ ଡେଙ୍ଗୁ ନମୁନାକୁ ପଜିଟିଭ୍ ପାଉଛନ୍ତି ତାହେଲେ ତୁରନ୍ତ ନମୁନାକୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଆର୍‌ଏମ୍‌ଆର୍‌ସିକୁ ପଠାଇବା ଜରୁରୀ। ଯାହାଫଳରେ ନମୁନା ଡେଙ୍ଗୁ କି ନୁହେଁ ତାହା ସ୍ପଷ୍ଟ ହୋଇପାରିବ। ରାଜଧାନୀର ସମସ୍ତ ପିଏଚ୍‌ସି/ସିଏଚ୍‌ସିରେ ଡେଙ୍ଗୁ ପରୀକ୍ଷା କରିବାର ବ୍ୟବସ୍ଥା କରାଯାଇଛି।

ଚଳିତବର୍ଷ ଜାନୁଆରିରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ହଜାରେ ପାଖାପାଖି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ବିଏମ୍‌ସି ଅଞ୍ଚଳରୁ ୭୧୪ ଆସିଛି। ଗତମାସରେ ବିଏମ୍‌ସି ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି। ପ୍ରତ୍ୟେକ ଦିନ ୩୦/୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ତା’ଠାରୁ ଅଧିକ ରୋଗୀ ଚିହ୍ନଟ ହେଉ ନାହାନ୍ତି ବୋଲି ଡା. ମିଶ୍ର କହିଛନ୍ତି। ଚଳିତ ବର୍ଷ ଡେଙ୍ଗୁ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ହୋଇ ରହିନାହିଁ। ଯଦିଓ ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର ଅଞ୍ଚଳରୁ ରାଜଧାନୀରେ ଡେଙ୍ଗୁ ବ୍ୟାପିଥିଲା ‌ହେଲେ ଏବେ ଚାରିଆଡ଼କୁ ଏହା ମାଡ଼ି ଗଲାଣି। ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ଏହା ବିବାଦୀୟ ହୋଇ ରହିଛି। ରାଜ୍ୟ ସରକାର ଏହାକୁ ଏକ ଡେଙ୍ଗୁ ମୃତ୍ୟୁ ବୋଲି ମାନିବାକୁ ନାରାଜ। ଗତମାସରେ ରାଜଧାନୀରେ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ୫ଟି ପ୍ରମୁଖ ହସ୍ପିଟାଲକୁ ଚିଠି ଲେଖାଯିବା ସହିତ ଡେଙ୍ଗୁ ପରୀକ୍ଷା ନମୁନା ସରକାରୀ ବ୍ୟବସ୍ଥାକୁ ପଠାଇବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର