ଆସୁଛି ସ୍ୱାୟତ୍ତ ଶାସନ ଦିବସ ଶିଳାନ୍ୟାସ ନୁହେଁ, ଉଦ୍ଘାଟନ ଦରକାର
ଓ୍ଵାର୍ଡ ସ୍ତରରେ ବଢ଼ିଲାଣି ଅସନ୍ତୋଷ, ଏଥର ଡ୍ରେନ୍, ପାର୍କ ପାଇଁ ଅଧିକ ଅର୍ଥ
ଭୁବନେଶ୍ୱର: ଆସୁଛି ସ୍ୱାୟତ୍ତ ଶାସନ ଦିବସ। ଏଥିପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଇଞ୍ଜିନିୟରିଂ ବିଭାଗକୁ ନିର୍ଦ୍ଦେଶ ଦିଆସରିଲାଣି ଜଲ୍ଦି ଅଧାପନ୍ତରିଆ ପ୍ରକଳ୍ପ କାର୍ଯ୍ୟ ଶେଷ କର। କର୍ପୋରେଟର୍ମାନଙ୍କୁ ବି ଭିତିରିଆ କହି ଦିଆଗଲାଣି ତୁମ ଅଞ୍ଚଳରେ କ’ଣ କ’ଣ ଉନ୍ନତିମୂଳକ ପ୍ରକଳ୍ପ କରିବାକୁ ଚାହୁଁଛ ତା’ର ତାଲିକା ଜଲ୍ଦି ଦିଅ। ବିଏମ୍ସି ନିର୍ବାଚନ ପୂର୍ବରୁ ଶେଷ ସ୍ୱାୟତ୍ତ ଶାସନ ଦିବସ ହୋଇଥିବାରୁ ଏଥର ଯେପରି ଅଗଷ୍ଟ ୨୯ରୁ ୩୧ ପର୍ଯ୍ୟନ୍ତ ଜୋରଦାର ପ୍ରଚାର ପ୍ରସାର କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏଥିରେ ଏବେ କର୍ପୋରେଟର୍ମାନେ କେଁ ପୂରାଇବା ଆରମ୍ଭ କଲେଣି। ଶେଷ ବର୍ଷରେ ଆଉ ଶିଳାନ୍ୟାସ ନୁହେଁ, କ’ଣ ଉଦ୍ଘାଟନ କରିପାରିବ ତାହା କରିବାକୁ ସେମାନେ ବିଏମ୍ସି ଉପରେ ଚାପ ପକାଇଲେଣି। ଗତ କିଛି ବର୍ଷ ହେଲା ଶିଳାନ୍ୟାସ ହୋଇଥିବା ବହୁ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାବେଳେ ଯାହା ବି ହୋଇଥିଲା ତାହା ଭାଙ୍ଗିରୁଜି ଗଲାଣି। ତେଣୁ ଆସନ୍ତା ନିର୍ବାଚନ ବେଳକୁ ଭୋଟର୍ଙ୍କୁ ଆକୃଷ୍ଟ କରିବା ଭଳି କିଛି ବି ଆଖିଦୃଶିଆ ପ୍ରକଳ୍ପ ନାହିଁ। ଲୋକ ଖୁସି ହେଲା ଭଳି ପ୍ରକଳ୍ପ ଉଦ୍ଘାଟନ ନହେଲେ ଆସନ୍ତା ନିର୍ବାଚନ ବର୍ତ୍ତମାନର କର୍ପୋରେଟର୍ମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସେମାନେ ନିଜେ ନିଜେ ଆକଳନ କରିସାରିଲେଣି। କେତେକ କର୍ପୋରେଟର୍ଙ୍କ କହିବାନୁଯାୟୀ, ରାଜଧାନୀରେ ବର୍ଷା ଜଳ ନିଷ୍କାସନ ସମସ୍ୟା ମୁଖ୍ୟ ସମସ୍ୟା ହୋଇଥିବାବେଳେ ଅଧିକାଂଶ ଅଞ୍ଚଳରେ ଘରେ ପାଣି ପଶୁଛି। ତେଣୁ ଗତ ନିର୍ବାଚନ ବେଳେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ, ଡ୍ରେନ୍ ନିର୍ମାଣ କରିବୁ, ସମସ୍ତ ମୁଖ୍ୟ ଡ୍ରେନ୍ ସମସ୍ୟା ସମାଧାନ କରିବୁ। କିନ୍ତୁ ଦୁଇ ସପ୍ତାହ ତଳେ ହୋଇଥିବା ବର୍ଷାରେ ପ୍ରାୟ ସମସ୍ତଙ୍କ ଘରେ ପାଣି ପଶିବା ପରେ ଲୋକ ଆମକୁ ଛି ଛାକର କରି କହୁଛନ୍ତି। ଏପରିକି ବିରୋଧୀ ଏହାକୁ ପ୍ରସଙ୍ଗ କରି ପ୍ରଚାର କଲେଣି। ବହୁ ସମର୍ଥକ ସିଧାସଳଖ କହିଲେଣି ଏଥର ଭୋଟ୍ ଦେବେନି ବୋଲି। ଏମିତି ପରିସ୍ଥିତିରେ ଯଦି ଲୋକଙ୍କ ସମସ୍ୟା ସମାଧାନ ନହୁଏ ତେବେ ଆମେ ନିର୍ବାଚନ ସମୟରେ ଅସୁବିଧାରେ ପଡ଼ିଯିବୁ।
ଯଦି ବିଏମ୍ସି ପକ୍ଷରୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ କରି ଆସୁଥିବା ଦାବିଗୁଡ଼ିକ ଉପରେ କିଛି ଆଖି ଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ଆବଶ୍ୟକ ପଡ଼ିଲେ ମୁଁ ଆମରଣ ଅନଶନରେ ବସିବି ବୋଲି ନୂଆପଲ୍ଲୀ ଅଞ୍ଚଳର ଜଣେ କର୍ପୋରେଟର କହିଛନ୍ତି। ସେହିପରି କଟକ ରୋଡ୍ ଅଞ୍ଚଳର ଆଉ ଜଣେ କର୍ପୋରେଟର୍ କହିଛନ୍ତି ଯେ, ଏଥର ବର୍ଷା ପାଣି ପଶିବା ପରେ ମୁଁ ଘର ଘର ବୁଲି ଲୋକଙ୍କ କଥା ବୁଝିଲି, ରିଲିଫ୍ ବାଣ୍ଟିଲି। ତଥାପି ଲୋକ ମୋତେ ସର୍ବସାଧାରଣରେ ଗାଳିଗୁଲଜ କଲେ। ସ୍ଥିତି ଏପରି ହୋଇଛି ଯେ, ୫୦୦ରୁ ୬୦୦ ଭୋଟ୍ କଟିବ। ବିଏମ୍ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ମୋ ଓ୍ଵାର୍ଡର ସମସ୍ୟା ନେଇ କହିଲି। ହେଲେ କିଛି ହେଲାନି। ଯଦି ସ୍ୱାୟତ୍ତ ଶାସନ ଦିବସରେ ଏନେଇ କିଛି କାର୍ଯ୍ୟ ଆରମ୍ଭ ନହୁଏ ତେବେ ନିର୍ବାଚନ ଜିତିବା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି। ବିଏମ୍ସି ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆସନ୍ତା ସ୍ୱାୟତ୍ତ ଶାସନ ଦିବସରେ କେଉଁ କେଉଁ ପ୍ରକଳ୍ପ ଉଦ୍ଘାଟନ ହେବ, କ’ଣ ଶିଳାନ୍ୟାସ ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ଖୁବ୍ ଶୀଘ୍ର ଏନେଇ ବୈଠକ ବସି ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ବର୍ଷା ଜଳ ନିଷ୍କାସନର କିପରି ସ୍ଥାୟୀ ବାଟ ବାହାରିବ ସେନେଇ ପଦକ୍ଷେପ ନିଆଯାଉଛି। ଏବେ କମିସନର୍ଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ବିଭାଗ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ଯେଉଁ ଯେଉଁ ଅଞ୍ଚଳରେ ମୁଖ୍ୟ ଡ୍ରେନ୍, ରାସ୍ତା କଡ଼ ଡ୍ରେନ୍ ସଙ୍କୁଚିତ ହୋଇଯାଇଛି ତାହାକୁ ଓସାର କରାଯିବ, ଡ୍ରେନ୍ ନଥିଲେ ନୂଆ ଡ୍ରେନ୍ ନିର୍ମାଣ କରାଯିବ। ଏହାର ରିପୋର୍ଟ ଆସିଲେ ସ୍ୱାୟତ୍ତ ଶାସନ ଦିବସରେ ଏନେଇ ଶିଳାନ୍ୟାସ ହୋଇପାରେ।
ଏହାବାଦ୍ ବିଭିନ୍ନ ଅଞ୍ଚଳରେ ରାସ୍ତା, ଷ୍ଟ୍ରିଟ ଲାଇଟ୍ ଲଗାଇବା, ପାର୍କ ଲୋକାର୍ପଣ, କମ୍ୟୁନିଟି ସେଣ୍ଟର୍ ପ୍ରତିଷ୍ଠା ଓ ଶିଳାନ୍ୟାସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ, ଭେଣ୍ଡିଂ ଜୋନ୍ ଶିଳାନ୍ୟାସ, ସହର ସୌନ୍ଦର୍ଯ୍ୟକରଣ କରିବାକୁ ଯୋଜନା ହୋଇଛି। ବିଏମ୍ସି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ଟି ପାର୍କ ଉଦ୍ଘାଟନ କରିବାକୁ ଯୋଜନା ଅଛି। ଯେଉଁଠି ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଅଛି ତାହାକୁ ତୁରନ୍ତ ଶେଷ କରିବାକୁ ତିନିଟି ଡିଭିଜନ୍ର ଯନ୍ତ୍ରୀମାନଙ୍କୁ କୁହାଯାଇଛି। ଅପରପକ୍ଷେ ଚଳିତ ବର୍ଷ ବିଏମ୍ସିର ଓ୍ଵାର୍ଡ ବଜେଟ୍ ୫୦ଲକ୍ଷ ଟଙ୍କାରେ ସୀମିତ ରଖାଯାଇଥିବାରୁ କିପରି କେଉଁ ଓ୍ଵାର୍ଡରେ କ’ଣ କରାଯିବ ତାହା ମଧ୍ୟ ବିଏମ୍ସିକୁ ଅକଳରେ ପକାଇଲାଣି। ତେଣୁ ରାଜ୍ୟ ସରକାରଙ୍କଠାରୁ ମିଳିବାକୁ ଥିବା ଜରୁରୀକାଳୀନ ସହାୟତା ରାଶିରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଏବଂ ସ୍ୱତନ୍ତ୍ର ଅନୁଦାନ ଆଣିବାକୁ ଯୋଜନା ହେଉଛି। ସ୍ୱାୟତ୍ତ ଶାସନ ଦିବସରେ ପ୍ରାୟ ୩୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଯୋଜନା ହୋଇଥିବାବେଳେ ମଙ୍ଗଳବାର ବିଏମ୍ସିର କଣ୍ଟ୍ରାଷ୍ଟ କମିଟି ଏନେଇ ଆଲୋଚନା କରିଛି। ତିନି ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ଦେବାକୁ କୁହାଯାଇଛି।