୫ବର୍ଷର ହିସାବ ନିକାଶ ସମସ୍ୟା ଅନେକ, ସମାଧାନ କମ୍‌

ଭୁବନେଶ୍ବର: ୱାର୍ଡ ୨୫। ୨୦୧୪ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ସାମଲ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ କିଛି ମାସ ପରେ ତାଙ୍କର ଅକାଳ ମୃତ୍ୟୁ ହେବାରୁ ଏହି ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିଲେ ମାନସୀରାଣୀ ସୁନ୍ଦରରାୟ। ସେ ବି ସଂଘମିତ୍ରାଙ୍କ ଭଳି ବିପୁଳ ଭୋଟ୍‌ରେ ବିଜୟୀ ହେଲେ। ନିର୍ବାଚନ ରଣାଙ୍ଗନ ଜିତିବା ପାଇଁ ସଂଘମିତ୍ରା ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ମାନସୀ ତାହାକୁ ଦୋହରାଇଥିଲେ। ୱାର୍ଡର ରାସ୍ତାଘାଟ, ପରିମଳ ବ୍ୟବସ୍ଥା, ପାର୍କ, କମ୍ୟୁନିଟି ହଲ୍, ପାନୀୟ ଜଳଯୋଗାଣରେ ପରିବର୍ତ୍ତନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକାଳ ସରିବାକୁ ଥିବା ବେଳେ ମାନସୀ କହିଛନ୍ତି ମୁଁ ଯାହା କହିଥିଲି ପ୍ରାୟ ସବୁ କରିଛି। କିନ୍ତୁ ବି‌େରାଧୀ କହୁଛନ୍ତି କର୍ପୋରେଟର ଡାହା ମିଛ କହୁଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଏହି ବର୍ଷ କିଛି କାମ ଆରମ୍ଭ ହେଉଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଦୀର୍ଘ ବର୍ଷ ହେଲା ୱାର୍ଡର ମୁଖ୍ୟ ସମସ୍ୟା ପିଇବା‌ ପାଣି ପାଲଟିଛି। କିନ୍ତୁ କର୍ପୋରେଟର ଏହାକୁ ସମାଧାନ କରିପାରୁନାହାନ୍ତି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ୱାର୍ଡରେ ଆଉ ଏକ ସାଢ଼େ ୩ ହଜାର ଲିଟର ଭୂତଳ ପାଣି ଟାଙ୍କି ଯୋଜନା କରାଯାଇଥିଲା। ହେଲେ ୫ ବର୍ଷ ପରେ ବି ଏହି ପାଣି ଟାଙ୍କି ନିର୍ମାଣ ହୋଇପାରିଲାନି। ବିଏମ୍‌ସି କମ୍ୟୁନିଟି ହଲ୍‌ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ମଧ୍ୟ ୫ବର୍ଷ ପରେ ଅସମ୍ପୂର୍ଣ୍ଣ।

ୱାର୍ଡ ନଂ୨୫ ୨ଟି ପାର୍କ ହୋଇଛି, ଯାହା ଅଧା ‌ଅଛି ଶୀଘ୍ର ସରିବ
୧୯କୋଟି ଟଙ୍କା ବ୍ୟୟରେ ସିଆରପିରୁ ମଇଳାଟାଙ୍କି ରାସ୍ତା ଓ ନୂଆପଲ୍ଲୀ ଥାନା ଛକରୁ ମଇଳାଟାଙ୍କି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଛି। ଦୁଇଟି ନୂ୍ଆ ପାର୍କ ହୋଇଛି। ଗୋଟିଏ ଔଷଧୀୟ ପାର୍କ ଓ ପିଲାଙ୍କ ପାଇଁ ଏକ ନୂଆ ପାର୍କ କରାଯାଇଛି। ୬ଟି ପାର୍କରେ ମୁକ୍ତାକାଶ ଜିମ୍ ହୋଇଛି। ପ୍ରତିଦିନ ଠିକ୍ ସମୟରେ ୱାର୍ଡରୁ ଆବର୍ଜନା ଉଠୁଛି। ଆଇଆର୍‌ସି ଭିଲେଜ୍ ହାଇସ୍କୁଲ୍‌ରେ ଏକ ଏସ୍‌ସିିଏସ୍‌ଟି ହଷ୍ଟେଲ୍‌ ହୋଇଛି। ୱାର୍ଡର ଅଧିକାଂଶ ସ୍ଥାନରେ ଡ୍ରେନ୍‌ ସମସ୍ୟାର ସମାଧାନ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଗଜଲକ୍ଷ୍ମୀ ମନ୍ଦିରରୁ ଆଇଡି ମାର୍କେଟ୍‌ ଭେଣ୍ଡିଂ ଜୋନ୍ ପର୍ଯ୍ୟନ୍ତ ଡ୍ରେନ୍‌ ହୋଇ ପାରିନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ଅଛି, ତାହା ଖୁବ୍‌ଶୀଘ୍ର ଶେଷ ହେବ।
ମାନସୀରାଣୀ ସୁନ୍ଦରରାୟ, କର୍ପୋରେଟର

୫ବର୍ଷ ତଳେ ଯାହା ସମସ୍ୟା ଥିଲା, ଏବେ ବି ଅଛି
କର୍ପୋରେଟର୍ ରାସାନ କାର୍ଡରେ ଓ ହେଲ୍ଥ କାର୍ଡ ଆବଣ୍ଟନ‌ରେ ଅନିୟମିତତା କରିଛନ୍ତି। କେବଳ ନିଜ ଲୋକଙ୍କୁ କାର୍ଡ ପ୍ରଦାନ କରିଛନ୍ତି। ୱାର୍ଡରେ ଏବେ ବି ଡ୍ରେନ୍‌, ଆଲୋକ ଓ ପରିମଳ ସମସ୍ୟା ଲାଗି ରହିଛି। କର୍ପୋରେଟର କହୁଛନ୍ତି ଡ୍ରେନ୍‌ ହୋଇଛି, ତେବେ ଲୋକଙ୍କ ଘରେ କାହିଁକି ପାଣି ପଶୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଖରାପ ହେଲେ ମାସମାସ ଧରି ସଜଡ଼ା ହେଉନି। ୫ବର୍ଷ ତଳେ ଯାହା ସମସ୍ୟା‌ ଥିଲା ଏବେ ବି ତାହା ଅଛି। ଆସନ୍ତା ନିର୍ବାଚନରେ ଲୋକ ଏହାର ଜବାବ ଦେବେ।
ସ୍ନିଗ୍ଧା ସ୍ବାଇଁ, ପରାଜିତ ପ୍ରାର୍ଥୀ
କେଉଁ ଅଞ୍ଚଳ ଯାଉଛି
ଆଇଆରସି ଭିଲେଜ୍‌ ଏନ୍‌-୧, ଏନ୍-୨, ଏନ୍‌-୩, ଆର୍‌ବିଆଇ କଲୋନି, ଇସ୍କନ୍‌ ଅଞ୍ଚଳ

ୱାର୍ଡ ନଂ ୩୪ ଅଳିଆ, ଉଠାଦୋକାନୀ, ସ୍ବେରେଜ୍‌ ସବୁଠୁ ବଡ଼ ସମସ୍ୟା
ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୱାର୍ଡ-୩୪ରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି ବୋଲି କର୍ପୋରେଟର କହୁଥିଲେ ହେଁ ସ୍ଥାନୀୟ ବାସିନ୍ଦା ଏହାକୁ ମାନିବାକୁ ନାରାଜ। ସେମାନଙ୍କ ଅଭିଯୋଗ, ଏ ପର୍ଯ୍ୟନ୍ତ ବହୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି। ସ୍ମାର୍ଟ ସିଟିର ପ୍ରମୁଖ ଅଞ୍ଚଳ ଭାବେ ସତ୍ୟନଗର ଯାଉଥି‌େଲ ହେଁ ଏଠାକର ରାସ୍ତାଘାଟ, ସରକାରୀ ସୁବିଧା ସୁଯୋଗ ପୂରା ବିପର୍ଯ୍ୟସ୍ତ। ଯେଉଁଠି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗ ପାଉନାହାନ୍ତି ସେଠାରେ ବସ୍ତି ବାସିନ୍ଦାଙ୍କୁ କିଏ ପଚାରେ ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି। ବିରୋଧୀଙ୍କ କହିବାନୁଯାୟୀ, ସତ୍ୟନଗରରୁ ଠିକ୍ ସମୟରେ ଅଳିଆ ଉଠୁନି। ଦିନଦିନ ଧରି ଆବର୍ଜନା ପଡ଼ି ରହୁଛି। ବିଗ୍‌ବଜାର ସମ୍ମୁଖ ମଦର ଟେରସା ରାସ୍ତାର ଉଭୟ ପାର୍ଶ୍ବକୁ ଫାଷ୍ଟଫୁଡ୍, ଦହିବରା, ଜଳଖିଆ ଦୋକାନୀ, ‌ବେଡସିଟ୍‌ ବେପାରୀ ଓ ପାନ ଦୋକାନୀମାନେ କବ୍‌ଜା କରି ରଖିଛନ୍ତି। ସଂଧ୍ୟାରେ ସେଠା‌ରେ ଯାତାୟାତ କରିବା ଏକରକମ ଅସମ୍ଭବ ହୋଇପଡ଼ୁଛି। ୨୦୦୯ ମସିହା‌ରେ ବିଏମ୍‌ସି ପକ୍ଷରୁ ଉଠାଦୋକାନୀମାନଙ୍କୁ ବିଗ୍‌ ବଜାର ସମ୍ମୁଖ ଓ ରାମ ମନ୍ଦିର ଛକ ନିକଟରେ ଭେଣ୍ଡିଂ ଜୋନ୍‌ରେ ଥଇଥାନ କରାଯାଇଥିଲା। ହେଲେ କେତେକ ବ୍ୟବସାୟୀ ଏହାକୁ ଭଡ଼ାରେ ଲଗାଇ ଦେଇ ପୁଣି ରାସ୍ତା ଉପରେ ବ୍ୟବସାୟ କରୁଛନ୍ତି। ଏଠାରେ ସ୍ଥିତି ଏପରି ଉପୁଜିଛି ଯେ ଏହି ରାସ୍ତା ଦେଇ ଆମ୍ବୁଲାନ୍‌ସ, ଦମକଳ କି ପୁଲିସ ଭ୍ୟାନ୍ ମଧ୍ୟ ଯାଇପାରୁନି। ଉଠାଦୋକାନୀମାନେ ଅଳିଆ, ଆବର୍ଜନା ପାଣି ରାସ୍ତାକୁ ଛାଡ଼ୁଛନ୍ତି, ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି।

ଡ୍ରେନ୍, ରାସ୍ତା ଓ ପାର୍କର ନବୀକରଣ ହୋଇଛି
ଶାନ୍ତିପଲ୍ଲୀ ବସ୍ତିକୁ ଡ୍ରେନ ସଂଯୋଗ ଯୋଗୁଁ ଏକ ପ୍ରମୁଖ ସମସ୍ୟାର ସମାଧାନ ହୋଇଛି। ଖେଳଘର ପାର୍କର ନବୀକରଣ ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୱାର୍ଡର ଲୋ-ଭୋଲଟେଜ୍ ସମସ୍ୟା ଦୂର ପାଇଁ ପୁରୁଣା ବିଦ୍ୟୁତ ତାର ବଦଳାଯାଇଛି। ଷ୍ଟ୍ରିଟ୍‌ ଲାଇଟ୍ ସବୁ ଅଞ୍ଚଳରେ ଲାଗିଛି। ୨୪ଶହ ରାସନ୍ କାର୍ଡ ବଣ୍ଟାଯାଇଛି। ବସ୍ତିବାସିନ୍ଦାଙ୍କୁ ସୁବିଧାରେ ପାଣି ଓ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଶାନ୍ତି ନଗର ଆବାସ ଯୋଜନା ଏକ ବଡ଼ ସଫଳତା ହେବ। ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ୟାର ସମାଧାନ ହୋଇଛି। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ସରିଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଟେଣ୍ଡର ବାତିଲ୍ ହେବାରୁ ସତ୍ୟନଗର ମଶାଣିର ନବୀକରଣ କାର୍ଯ୍ୟ ଅଟକିଯାଇଛି।
ଭାନୁପ୍ରିୟା ଦାଶ, କର୍ପୋରେଟର

ୱାର୍ଡରେ କେଉଁ ଅଞ୍ଚଳ ଯାଉଛି
ମହର୍ଷି କଲେଜ ଏବଂ ଘରୋଇ ଅଞ୍ଚଳ, ଇଏସ୍ଆଇ ମେଡିକାଲ, ଶାନ୍ତିପଲ୍ଲୀ ବସ୍ତି, ସତ୍ୟନଗର, କାଳୀମନ୍ଦିର ଅଞ୍ଚଳ, ପଞ୍ଜାବୀ କଲୋନି, ତୋଷାଳୀ ପ୍ଲାଜା, ସତ୍ୟ ନଗର ହାଉସିଂ ବୋର୍ଡ ଅଞ୍ଚଳ

ଚନ୍ଦ୍ରଶେଖରପୁର: ବିକାଶର ନାରା ଦେଇ ବିଜେଡି ପ୍ରାର୍ଥୀ ଗତ ନିର୍ବାଚନରେ ଏଠାରେ ବିଜୟ ହାସଲ କରିଥିଲେ। ପ୍ରତିଦ୍ବନ୍ଦ୍ବୀଙ୍କୁ ୫୦୦ରୁ ଅଧିକ ଭୋଟରେ ପରାସ୍ତ କରିଥି‌ଲେ। ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ୫ବର୍ଷ ମଧ୍ୟରେ ସେଥିରୁ ବହୁତ ପୂରଣ କରିଥିବା କର୍ପୋରେଟର କହୁଛନ୍ତି। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା କମିନି। ବିରୋଧୀ ପାଟି ଖୋଲୁନଥିବାରୁ ସମସ୍ୟା ବି ସୁଧୁରୁନି। ଏହି ୱାର୍ଡର ରାସ୍ତାଘାଟ ସମସ୍ୟା କିଛି ମାତ୍ରାରେ ଦୂର ହୋଇଥିଲେ ମଧ୍ୟ ଦୟା‌‌ୱେଷ୍ଟ କେନାଲ ରାସ୍ତା ଆଜି ପର୍ଯ୍ୟନ୍ତ ଠିକ୍‌ ହୋଇପାରିନି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଦୟା କେନାଲ ନିକଟରେ ଥିବା ପାଟ ଭୁଆଶୁଣୀ ପୋଖରୀରୁ ପଙ୍କ ଉଦ୍ଧାର କରାଯାଇପାରିଲା ନାହିଁ। ଯେମିତି ଥିଲା ସେମିତି ରହିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ଥିବା ବସ୍ତିଗୁଡ଼ିକୁ ଏପର୍ଯ୍ୟନ୍ତ ଡ୍ରେନେଜ୍‌ ସୁବିଧା ହୋଇପାରିନି। ବସ୍ତି ରାସ୍ତା ଇଡ୍‌କୋ ଅଧୀନରେ ଥିବାରୁ ଡ୍ରେନେଜ୍ କରିହେଉନି। ଏପରିକି ଏହି ରାସ୍ତା ଦୀର୍ଘ ବର୍ଷ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଇଡ୍‌କୋ ଏହାକୁ ମରାମତି କରୁନି କି ବିଏମ୍‌ସିକୁ ହସ୍ତାନ୍ତର କରୁନି। ଫଳରେ ଇଡ୍‌କୋ କଲୋନି ବାସିନ୍ଦାଙ୍କ ସମେତ ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିଳ୍ପାଞ୍ଚଳରୁ ମଞ୍ଚେଶ୍ବର ଷ୍ଟେସନକୁ ରାସ୍ତା ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଶିଳ୍ପାଞ୍ଚଳରେ ପ୍ରତିଦିନ ବଡ଼ ବଡ଼ ଗାଡ଼ି ଯାଉଥିବାରୁ କମ୍‌ ଦିନରେ ରାସ୍ତା ଖରାପ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ମୁଖ୍ୟ ବିରୋଧୀ ପ୍ରାର୍ଥୀ ନିର୍ବାଚନ ଲଢ଼ିବେନି ବୋଲି କହୁଥିବାରୁ ଏକାଧିକ ଆଶାୟୀ ଏବେଠୁ ମୁଣ୍ଡ ଟେକିଲେଣି।

ୱାର୍ଡ ନଂ ୧୦ ବହୁତ ଉନ୍ନତିମୂଳକ କାମ ହୋଇଛି
ବସ୍ତି ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଦୟାୱେଷ୍ଟ କେନାଲ ବନ୍ଧରେ ଏଲ୍ଇଡି ଲାଇଟ୍ ଲାଗିଛି। ୨୫ବର୍ଷ ହେଲା ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମଞ୍ଚେଶ୍ବର ଷ୍ଟେସନକୁ ଯୋଗାଯୋଗ କରୁଥିବା ରାସ୍ତା ହୋଇପାରୁ ନଥିଲା। ଏବେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଛି। ରସୁଲଗଡ଼ ଛକରେ ପାର୍କିଂ ହେଉଥିବା ଟ୍ରକ୍‌ଗୁଡ଼ିକୁ ଏଠାରେ ରଖାଯିବ। ଦୟାୱେଷ୍ଟ କେନାଲର ଅପରପାର୍ଶ୍ବରେ ଥିବା ଚକେଇସିଆଣି, ଭୋଟପଡା, ଶ୍ରୀରାମନଗରକୁ ଯୋଗାଯୋଗ କେନାଲ ଉପରେ ଆଉ ଦୁଇଟି ବ୍ରିଜ୍ ନିର୍ମାଣ ହୋଇଛି। ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ସଂସ୍ଥାର ଆବର୍ଜନା ପାଣି ନିଷ୍କାସନ ପାଇଁ ସ୍ବତନ୍ତ୍ର ଡ୍ରେନ୍ ହୋଇଛି।
ପ୍ରଣତୀ ନାୟକ, କର୍ପୋରେଟର

ସମ୍ବନ୍ଧିତ ଖବର