ନିୟନ୍ତ୍ରଣରେ ବସ୍ତି : ଏବେ ରାଜଧାନୀର ଅଧିକାଂଶ ବସ୍ତି କରୋନାମୁକ୍ତ, ବସ୍ତିରୁ ବାହାରିଛନ୍ତି ୧୪୭୮, ସୁସ୍ଥ ୧୧୮୦

ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସବୁଠୁ ଅଧିକ ଆକ୍ରାନ୍ତ, ଅଧିକ ସୁସ୍ଥ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିଲେ ହେଁ ବସ୍ତି ଅଞ୍ଚଳରେ କମୁଛି। ଏବେ ସାରା ରାଜଧାନୀରେ ୪୮୮୬ଟି ଆକ୍ଟିଭ୍‌ କେସ୍ ଥିବାବେଳେ ଏଥିରୁ ବସ୍ତିରେ ମାତ୍ର ୨୯୮ଟି କେସ୍‌ ରହିଛି। ଅର୍ଥାତ୍‌ ମାତ୍ର ୬.୦୯% ଆକ୍ରାନ୍ତ ବସ୍ତିରେ ଅଛନ୍ତି। ଯାହା ବିଏମ୍‌ସିକୁ ଆଶ୍ବସ୍ତି ଦେଇଛି। ପ୍ରାୟ ୧୦୦ରୁ ଅଧିକ ବସ୍ତିରୁ ୧୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ଏବେ ସୁଦ୍ଧା ୧୧୮୦ ଜଣ ସୁସ୍ଥ ହୋଇସାରିଲେଣି। ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟେମ୍ବରରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବସ୍ତି ଅଞ୍ଚଳରେ କମିବା ରାଜଧାନୀ ପାଇଁ ଭଲ ଖବର। କାରଣ ବିଭିନ୍ନ ଅଞ୍ଚଳରେ କାମ କରୁଥିବା, ବିଭିନ୍ନ ଲୋକଙ୍କ ଘରେ କାମ କରୁଥିବା ଲୋକ ବସ୍ତିବାସିନ୍ଦା। ତେଣୁ ବସ୍ତିରେ କରୋନା ବ୍ୟାପିଲେ ଏହାଦ୍ବାରା ବହୁ ଲୋକ ସଂକ୍ରମିତ ହେବାର ଭୟ ରହୁଥିଲା। ଯାହା ଏବେ କିଛି ମାତ୍ରାରେ ଟଳିଛି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟାର ମାତ୍ର ୧୧.୫୩% ଆକ୍ରାନ୍ତ ରାଜଧାନୀର ୧୨୦ରୁ ଅଧିକ ବସ୍ତିରୁ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ପ୍ରାୟ ୫୦ଟି ବସ୍ତିରେ ୨୯୮ ଜଣ ଆକ୍ରାନ୍ତ ଅଛନ୍ତି। ୫୦ରୁ ଅଧିକ ବସ୍ତି କରୋନା ମୁକ୍ତ ହୋଇଯାଇଥିବାରୁ ବିଭିନ୍ନ ବସ୍ତିରୁ ଗୋଷ୍ଠୀ ସଂକ୍ରମଣ ଭୟ କମିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୁଲାଇ ଓ ଅଗଷ୍ଟ ମାସର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବସ୍ତି ଅଞ୍ଚଳରୁ ପ୍ରତିଦିନ ପ୍ରାୟ ୨୦ରୁ ୩୦ଜଣ ଆକ୍ରାନ୍ତ ବାହାରୁଥିଲେ। ଏପରିକି ସାଲିଆସାହି, ତ୍ରିନାଥ ବସ୍ତି, ତାରିଣୀ ବସ୍ତି, ଓୟୁଏଟି ଫାର୍ମ ଗେଟ୍‌ ବସ୍ତି, ଶିଖରଚଣ୍ଡୀ ବସ୍ତିରୁ ଆରମ୍ଭ କରି ଆଖଣ୍ଡଳମଣି ବସ୍ତି, ସୁବାସନଗର, ମହିଷାଖାଲ, ପଥରବନ୍ଧ, ବାୟାବାବା ମଠ ନିକଟ ବସ୍ତି ଆଦି ଅଞ୍ଚଳରେ କରୋନା ସାଂଘାତିକ ରୂପ ଧାରଣ କରିଥିଲା। ଏଠାରେ ନିୟମିତ ବ୍ୟବଧାନରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏହିଭଳି ପ୍ରାୟ ୧୦ଟି ବସ୍ତିରୁ ଅଧାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ଉକ୍ତ ବସ୍ତିଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ଆଗନ୍ତୁକଙ୍କୁ ୧୪ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରଖିବା, ନିୟମିତ ବିଶୋଧନ କରିବା ଦ୍ବାରା ବସ୍ତିରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।

ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସବୁଠୁ ଅଧିକ ଆକ୍ରାନ୍ତ, ଅଧିକ ସୁସ୍ଥ
ରାଜଧାନୀର ତିନିଟି ଜୋନ୍‌ରେ ପ୍ରାୟ ୫୦୦ଟି ବସ୍ତି ଥିଲେ ହେଁ ଏଥିରୁ ପ୍ରାୟ ୧୨୦ଟି ବସ୍ତିରେ ଆଜି ସୁଦ୍ଧା ୧୪୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ଦକ୍ଷିଣ-ପଶ୍ଚିମ ଜୋନ୍‌ ତଥା ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରୁ ଆରମ୍ଭ କରି ସମ୍‌ହସ୍ପିଟାଲ, ପାତ୍ରପଡ଼ା, ପୋଖରୀପୁଟ, ସୂର୍ଯ୍ୟନଗର ପର୍ଯ୍ୟନ୍ତ ଆଦି ଅଞ୍ଚଳରେ ଥିବା ବସ୍ତିରେ ବାହାରିଥିଲେ। ଏହି ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରୁ ୬୪୦ଜଣ ଆକ୍ରାନ୍ତ ବାହାରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୩୬ଜଣ ସୁସ୍ଥ ହୋଇସାରିଲେଣି। ଏବେ ମାତ୍ର ୧୦୪ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ଉତ୍ତର ଜୋନ୍‌ ତଥା ସାଲିଆସାହିର ୪ଟି ୱାର୍ଡରୁ ଆରମ୍ଭ କରି ବାଣୀବିହାର, ଚନ୍ଦ୍ରଶେଖରପୁର, ପାହାଳ ପର୍ଯ୍ୟନ୍ତ ଆଦି ଅଞ୍ଚଳର ବିଭିନ୍ନ ବସ୍ତିରୁ ୪୮୨ଜଣ ଆକ୍ରାନ୍ତ ବାହାରିଥିବାବେଳେ ୩୫୬ଜଣ ସୁସ୍ଥ ହୋଇଗଲେଣି। ୧୨୬ଜଣ ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ଅଛନ୍ତି। ସବୁଠୁ କମ୍‌ ଆକ୍ରାନ୍ତ ଦକ୍ଷିଣ-ପୂର୍ବ ଜୋନ୍‌ରେ ବାହାରିଛନ୍ତି। ଅର୍ଥାତ୍‌ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଏବଂ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରୁ ୩୫୬ଜଣ ଆକ୍ରାନ୍ତ ବାହାରିଥିବାବେଳେ ଏଥିରୁ ୨୮୮ଜଣ ସୁସ୍ଥ ହୋଇଗଲେଣି। ମାତ୍ର ୬୮ଜଣ ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି। ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଏବଂ ପୂର୍ବଭଳି ଏକ‌ସଙ୍ଗେ ୩୦/୪୦ ଜଣ ଆକ୍ରାନ୍ତ ବାହାରୁନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଆଶ୍ବସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର