ସର୍ବାଧିକଙ୍କ ପସନ୍ଦ ଡାକ୍ତରୀ ପେସା

ଭୁବନେଶ୍ବର : ରାଜଧାନୀରେ ଚଳିତ ବର୍ଷ ପାଖାପାଖି ୧୦୦ ପିଲା ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏହି ଏ୧ ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଭବିଷ୍ୟତ ଲକ୍ଷ୍ୟ ହେଉଛି ଡାକ୍ତର ହେବେ। ଡାକ୍ତରୀ ପେସା କାହିଁକି ପସନ୍ଦ କରନ୍ତି ବୋଲି ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପଚାରିବାରେ ସେମାନଙ୍କ ଉତ୍ତର ଥିଲା, ସମାଜସେବାରେ ଜଡ଼ିତ ରହିବା ସହ ଲୋକଙ୍କୁ ନିକଟରୁ ସେବା କରିବାର ଉତ୍କୃଷ୍ଟ ବାଟ ହେଉଛି ଡାକ୍ତରୀ ପେସା। ଆଉ କିଛି ଛାତ୍ରଛାତ୍ରୀ କହିଥିଲେ, ସଂପ୍ରତି ଜୀବନଶୈଳୀରେ ଏତେ ପରିବର୍ତନ ଘଟୁଛି ଯେ ପ୍ରତ୍ୟେକ ଘରେ ରୋଗ ଆଉ ରୋଗୀ। ଏଣେ ରାଜ୍ୟରେ ପ୍ରତ୍ୟେକ ମେଡିକାଲ୍‌ରେ ଡାକ୍ତର ଅଭାବ ଖବର ବାରମ୍ବାର ଗଣମାଧ୍ୟମରୁ ଜାଣୁଛୁ। ତେଣୁ ଡାକ୍ତରୀ ସେବାକୁ ପେସା କରି ରୋଗୀଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଅନେକ ଛାତ୍ରଛାତ୍ରୀ କହିଛନ୍ତି। ପାଖାପାଖି ୭୦ ପ୍ରତିଶତ ପିଲା ଡାକ୍ତର ହେବାକୁ ମନସ୍ଥ କରି ନେଇଛନ୍ତି।

ଡାକ୍ତରୀ ସେବା ପରେ ଦ୍ବିତୀୟ ପସନ୍ଦର ପେସା ରହିଛି ଆଇଆଇଟି। କିଛି ଛାତ୍ରଛାତ୍ରୀ କହିଛନ୍ତି, ସଂପ୍ରତି ଇଂଜିନିୟରିଂ ପଢ଼ିବା ପରେ ଚାକିରି ମିଳୁନାହିଁ ଏବଂ ଶହଶହ ପିଲା ଇଂଜନିୟରିଂ ପଢ଼ି ବେକାର ଅଛନ୍ତି ବୋଲି ଶୁଣୁଛୁ। ଏହାକୁ ଭୁଲ ପ୍ରମାଣିତ କରି ଆଇଆଇଟିରେ ଭଲ କରି ଇଂଜିନିୟରିଂ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେବାକୁ ଏହି ପେସାକୁ ଆପଣାଇବୁ ବୋଲି ଅନେକ ମେଧାବୀ କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ହାତଗଣତି କିଛି ଏ୧ ମେଧାବୀ ସିଭିଲ୍‌ ସର୍ଭିସ୍‌ ତଥା ପ୍ରାଶାସନିକ ସେବା କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ଆଇଏଏସ୍‌ ହେବା ମେଧାବୀ ଛାତ୍ରଛାତ୍ରୀଙ୍କର ତୃତୀୟ ପସନ୍ଦ ରହିଛି। ସେହିପରି ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଜୟଦେବ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଜ୍ୟୋତିପ୍ରକାଶ ରାଉତରାୟ ବଡ଼ ହେଲେ ବୈଜ୍ଞାନିକ ହେବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ବିଡ଼ମ୍ବନାର ବିଷୟ ହେଉଛି, କାଁଭାଁ ଏ୧ ମେଧାବୀ ନିଜକୁ ଶିକ୍ଷକ କିମ୍ବା ଅଧ୍ୟାପକ ପେସାରେ ଦେଖିବାକୁ ଚାହାନ୍ତି। ଦିନେ ଶିକ୍ଷକତା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ପରିଲକ୍ଷିତ ହେଉଥିଲେ ହେଁ ଏବେ ମେଧାବୀଙ୍କ କ୍ଷେତ୍ରରେ ତାହା ଗୌଣ ହୋଇଯାଇଛି। ଅଧିକାଂଶ ଏ୧ ମେଧାବୀ ଛାତ୍ରଛାତ୍ରୀଙ୍କର ମତ ଯେ, ଡାକ୍ତରୀ ପେସାଠୁ ସେବାର ଆଉ ଭଲ ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର