ମାଗଣା ପରୀକ୍ଷାକୁ ଭରସା ପାଉନି, ସରକାରୀ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ପରୀକ୍ଷା

ଟ୍ରୁ ନାଟ୍ ଟେଷ୍ଟ ପସନ୍ଦ ନୁହେଁ

ଭୁବନେଶ୍ୱର : ସରକାରୀ ହସ୍ପିଟାଲରେ କରୋନା ପରୀକ୍ଷା କଲେ ପଜିଟିଭ୍ ବାହାରୁଛି। କିନ୍ତୁ ଘରୋଇ ହସ୍ପିଟାଲକୁ ଯାଇ ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍ ଆସୁଛି। ହେଲେ ଆଗ ଯଦି ସରକାରୀ ବ୍ୟବସ୍ଥାରେ ପରୀକ୍ଷା କରିଥିବ ତେବେ ପରେ ନେଗେଟିଭ୍ ଆସିଲେ ବି ବିଏମ୍‌ସି କରୋନା ପଜିଟିଭ୍ ବୋଲି ଗଣନା କରୁଛି। ହୋମ୍‌ ଆଇସୋଲେସନରେ ରୁହନ୍ତୁ କି କୋଭିଡ୍‌ କେୟାର କି କୋଭିଡ୍‌ ହସ୍ପିଟାଲରେ କରୋନା ଆକ୍ରାନ୍ତ ଭାବେ ରହିବାକୁ ପଡ଼ୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଦ୍ବିତୀୟ ରିପୋର୍ଟକୁ ସଙ୍ଗେ ସଙ୍ଗେ ଗ୍ରହଣ କରୁନାହାନ୍ତି। ତେଣୁ ଏବେ ରାଜଧାନୀବାସୀ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରିବାକୁ ଆଗ୍ରହ ଦେଖାଉଛନ୍ତି। ସରକାରଙ୍କର ମାଗଣା ପରୀକ୍ଷାକୁ ଲୋକଙ୍କର ବିଶ୍ବାସ ପାଉନି।

ଗତ ୧୨ ଦିନରେ ଅର୍ଥାତ୍‌ ଅଗଷ୍ଟ ୧ରୁ ୧୨ ମଧ୍ୟରେ ରାଜଧାନୀରେ ମୋଟ୍‌ ୧୯୯୯୬ ପରୀକ୍ଷା ହୋଇଥିବାବେଳେ ଏଥିରୁ ୧୦,୪୯୧ଜଣ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଛନ୍ତି। ଯେତେବେଳେ କି ୯୫୦୫ଜଣ ସରକାରୀ ବ୍ୟବସ୍ଥାରେ କରୋନା ପରୀକ୍ଷା କରିଛନ୍ତି। ଏଥିରୁ କିଛି ଲୋକ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧ରେ ସରକାରୀ ବ୍ୟବସ୍ଥାରେ ୮୬୮ଜଣ ପରୀକ୍ଷା କରିଥିବାବେଳେ ଘରୋଇ ହସ୍ପିଟାଲରେ ୮୩୦ଜଣ, ଅଗଷ୍ଟ ୨ରେ ସରକାରୀ ବ୍ୟବସ୍ଥାରେ ୭୬୩ଜଣ ପରୀକ୍ଷା କରିଥିବାବେଳେ ଘରୋଇ ହସ୍ପିଟାଲରେ ୭୫୫ଜଣ, ଅଗଷ୍ଟ ୩ରେ ସରକାରୀ ବ୍ୟବସ୍ଥାରେ ୮୦୯ଜଣ, ଘରୋଇ ହସ୍ପିଟାଲରେ ୭୫୧ଜଣ, ଅଗଷ୍ଟ ୪ରେ ସରକାରୀ ବ୍ୟବସ୍ଥାରେ ୭୯୮ଜଣ, ଘରୋଇ ହସ୍ପିଟାଲରେ ୮୨୧ଜଣ, ଅଗଷ୍ଟ ୫ରେ ସରକାରୀ ବ୍ୟବସ୍ଥାରେ ୮୨୦, ଘରୋଇ ହସ୍ପିଟାଲରେ ୭୧୯ଜଣ, ଅଗଷ୍ଟ ୬ରେ ସରକାରୀ ବ୍ୟବସ୍ଥାରେ ୯୫୦, ଘରୋଇ ହସ୍ପିଟାଲରେ ୧୦୬୦ଜଣ, ଅଗଷ୍ଟ ୭ରେ ସରକାରୀ ବ୍ୟବସ୍ଥାରେ ୮୯୦, ଘରୋଇ ହସ୍ପିଟାଲରେ ୧୩୯୫ଜଣ, ଅଗଷ୍ଟ ୮ରେ ସରକାରୀ ବ୍ୟବସ୍ଥାରେ ୯୦୨, ଘରୋଇ ହସ୍ପିଟାଲରେ ୧୦୧୩ଜଣ, ଅଗଷ୍ଟ ୯ରେ ସରକାରୀ ବ୍ୟବସ୍ଥାରେ ୭୩୮, ଘରୋଇ ହସ୍ପିଟାଲରେ ୭୩୭ଜଣ, ଅଗଷ୍ଟ ୧୦ରେ ସରକାରୀ ବ୍ୟବସ୍ଥାରେ ୧୦୨୦, ଘରୋଇ ହସ୍ପିଟାଲରେ ୫୭୯ଜଣ, ଅଗଷ୍ଟ ୧୧ରେ ସରକାରୀ ବ୍ୟବସ୍ଥାରେ ୯୪୭ ଜଣ ପରୀକ୍ଷା କରିଥିବାବେଳେ ଘରୋଇ ହସ୍ପିଟାଲରେ ୯୪୭ଜଣ ପରୀକ୍ଷା କରିଥିଲେ। ଅଗଷ୍ଟ ୧୨ର ସଂପୂର୍ଣ୍ଣ ତଥ୍ୟ ଆସିନଥିଲେ ବି ଘରୋଇ ହସ୍ପିଟାଲରେ ୮୮୪ଜଣ ପରୀକ୍ଷା କରିଥିବା ଜଣାପଡ଼ିଛି। ଏହି ୧୨ଦିନରୁ ୪ଦିନ ଅଧିକ ଲୋକ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଛନ୍ତି। ଘରୋଇ ହସ୍ପିଟାଲକୁ ଅଧିକ ଲୋକ କରୋନା ପରୀକ୍ଷା ପାଇଁ ଯିବାର ପ୍ରମୁଖ କାରଣ ହେଉଛି ଲୋକ ସରକାରୀ ରିପୋର୍ଟକୁ ବିଶ୍ବାସ କରୁନାହାନ୍ତି। ବହୁ ଲୋକ ସରକାରୀ ରିପୋର୍ଟ ପାଇବା ପରେ ପୁଣି ଘରୋଇ ହସ୍ପିଟାଲରେ ପରୀକ୍ଷା କରୁଛନ୍ତି। ଏହାବାଦ୍ ବହୁ ଲୋକ ପରୀକ୍ଷା କରିବାକୁ ଚାହୁଁଥିବାବେଳେ ବିଏମ୍‌ସି ସେମାନଙ୍କ ନିକଟରେ ପହଞ୍ଚିପାରୁନି। ଏପରିକି ବିଏମ୍‌ସିରେ ପରୀକ୍ଷା କଲେ ଯେଉଁ ରିପୋର୍ଟ ଦୁଇରୁ ତିନି ଦିନରେ ଆସୁଛି ଘରୋଇ ହସ୍ପିଟାଲରେ ପରୀକ୍ଷା କଲେ ତାହା ଦିନକରେ ଆସିଯାଉଛି। ତେଣୁ ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଇ ଦେଉଛନ୍ତି। ଏହାବାଦ୍‌ ଧନୀକ ଶ୍ରେଣୀର ଲୋକମାନେ ସର୍ବସାଧାରଣ ସ୍ଥାନକୁ ଯାଇ ପରୀକ୍ଷା କରିବା ଅପେକ୍ଷା ଘରୋଇ ହସ୍ପିଟାଲକୁ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଘରୋଇ ହସ୍ପିଟାଲରେ ପରୀକ୍ଷା ସଂଖ୍ୟା ବଢ଼ିଛି।

ଅପରପକ୍ଷେ ଆଜି ସୁଦ୍ଧା ରାଜଧାନୀରେ ୭୭୮୮୧ଟି ପରୀକ୍ଷା ହୋଇଥିବାବେଳେ ଏଥିରୁ ସରକାରୀ ହସ୍ପିଟାଲ, ବିଏମ୍‌ସି ପକ୍ଷରୁ ବିଭିନ୍ନ କ୍ୟାମ୍ପରେ ୬୦,୪୨୧ଟି ପରୀକ୍ଷା ହୋଇଥିବାବେଳେ ବିଭିନ୍ନ ଘରୋଇ ହସ୍ପିଟାଲ ଓ ଲାବରେ ୧୭୪୬୦ଟି ପରୀକ୍ଷା ହୋଇଛି। ଏଥିରୁ ଭୁବନେଶ୍ବରରେ ୪୩୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାହାର ଜିଲ୍ଲାର ବହୁ ବାସିନ୍ଦା ଭୁବନେଶ୍ବର ଆସି ବି ପରୀକ୍ଷା କରିଛନ୍ତି। ସେମାନଙ୍କର ପଜିଟିଭ୍ ବାହାରିବା ପରେ ସେମାନଙ୍କ ଜିଲ୍ଲା ପ୍ରଶାସନକୁ ଜଣାଯାଇଛି।

ଟ୍ରୁ ନାଟ୍ ଟେଷ୍ଟ ପସନ୍ଦ ନୁହେଁ
ସରକାରୀ ବ୍ୟବସ୍ଥାରେ ଆଜି ସୁଦ୍ଧା ମାତ୍ର ୧୮୬ ଜଣଙ୍କର ଟ୍ରୁ ନାଟ୍‌ ପରୀକ୍ଷା ହୋଇଥିବାବେଳେ ୪୨ଜଣଙ୍କ ପଜିଟିଭ୍ ଆସିଛି। ଗତ ୧୨ଦିନରେ ୫୭ଜଣଙ୍କର ଏହି ପରୀକ୍ଷା ହୋଇଥିବାବେଳେ ୧୨ଜଣଙ୍କର ପଜିଟିଭ୍ ଆସିଛି। ଆଜି ସୁଦ୍ଧା ସରକାରୀ ବ୍ୟବସ୍ଥାରେ ୮୧୩୭ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇଥିବାବେଳେ ୪୭୩ଜଣଙ୍କର ପଜିଟିଭ୍ ଆସିଛି। ୭୬୬୪ଜଣଙ୍କର ନେଗେଟିଭ୍ ଆସିଛି। ସେହିପରି ୧୨ଦିନରେ ମୋଟ୍‌ ୪୩୯୩ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୩୦୭ଜଣଙ୍କର ପଜିଟିଭ୍ ଆସିଛି। ୪୦୮୬ଜଣଙ୍କର ନେଗେଟିଭ୍ ଆସିଛି। ସେହିପରି ଏହି ସମୟରେ ୫୦୫୫ ଜଣଙ୍କର ଆରଟି-ପିସିଆର୍ ପରୀକ୍ଷା ହୋଇଥିବାବେଳେ ଆଜି ସୁଦ୍ଧା ୪୭୦୫୬ଜଣଙ୍କର ଆରଟି-ପିସିଆର୍ ଟେଷ୍ଟ ହୋଇଛି। ଘରୋଇ ହସ୍ପିଟାଲରେ ୧୭୪୬୦ଜଣଙ୍କର ପରୀକ୍ଷା ହୋଇଥିଲେ ହେଁ କେଉଁ ପରୀକ୍ଷା କେତେ ଜଣଙ୍କର ହୋଇଛି ତାହା ଜଣାପଡ଼ିନି।

ସମ୍ବନ୍ଧିତ ଖବର