ଭୁବନେଶ୍ବର: ପ୍ରତିଦିନ ୬ ପ୍ରତିଶତ ସୁଧ ମିଳିବାର ଲୋଭ ଦେଖାଇ ଗେଟ୍-ସୋ’ ନାମକ ଏକ ଆପ୍ ଜରିଆରେ ପୂରା ଦେଶରୁ ୧୪୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଏକ ରୢାକେଟ୍କୁ ଇଓଡବ୍ଲୁ ଠାବ କରିଛି। ଗ୍ୟାଙ୍ଗ୍ର ସଦସ୍ୟ ବିଶାଳ ସଖାରାମ ଉତ୍କଳକୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) କୋଲକାତା ହାଓଡ଼ା ଶିବପୁର ନିକଟରୁ ଗିରଫ କରିଛି। ସଖାରାମର ଘର ପୁଣେ ମଣ୍ଡୁଆ ଥାନା ଅଞ୍ଚଳରେ। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ପରେ ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ପୂର୍ବରୁ ଏହି ଗେଟ୍-ସୋ’ ଆପ୍ ଗୁଗଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧ ଥିଲା। ତାହା ଜରିଆରେ ଠକମାନେ ବିଭିନ୍ନ ସ୍କିମ୍ରେ ଲୋକଙ୍କୁ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ। ନୂଆପଲ୍ଲୀ ଅଞ୍ଚଳ ଦିବ୍ୟଜ୍ୟୋତି କର ନାମକ ଜଣେ ଯୁବକ ଏହି ଆପ୍ ଜରିଆରେ ଗତ ୨୦୨୨ମସିହାରେ ୧ଲକ୍ଷ ୨୭ହଜାର ଟଙ୍କା ପୁଞ୍ଜି ନିବେଶ କରିଥିଲେ। ଟଙ୍କା ଜମା ପରେ ଠକ ତାଙ୍କ ଆପ୍କୁ ଲକ୍ କରି ଦେଇଥିଲେ। ଟଙ୍କା ଫେରସ୍ତ ପାଇଁ ଯେତେ ଉଦ୍ୟମ କରିଥିଲେ ବି କୌଣସି ସୁଫଳ ମିଳି ନଥିଲା। ତେଣୁ ସେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ଘଟଣାର ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ସଂସ୍ଥା କେବଳ ଦିବ୍ୟଜ୍ୟୋତିଙ୍କୁ ନୁହେଁ, ଓଡ଼ିଶାର ଶହେରୁ ଊର୍ଧ୍ବ ଲୋକଙ୍କଠାରୁ କୋଟି କୋଟି ଲୁଟିଛି। ଏନେଇ ଇଓଡବ୍ଲୁର ଏକ ଟିମ୍ କୋଲକାତାସ୍ଥିତ ଶିବପୁର ଅଞ୍ଚଳରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ତା’ ଆକାଉଣ୍ଟରୁ ୯ କୋଟି ଟଙ୍କା ଠାବ କରାଯାଇଥିଲା। ତା’ ନାଁରେ ପଞ୍ଜାବ ଓ ଛତିଶଗଡ଼ରେ ମାମଲା ଥିବା ଜଣାପଡ଼ିଛି।