ଭୁବନେଶ୍ବର: ଗୋଟିଏ ବର୍ଷରେ ବିଏମ୍ସିରେ ବିଭିନ୍ନ ଅଫିସର ବ୍ୟବହାର କରୁଥିବା ଗାଡ଼ିରେ ୩ କୋଟିରୁ ବେଶି ଟଙ୍କାର ତେଲ ପଡ଼ିଛି। ୨୦୧୯ ଏପ୍ରିଲ୍ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏଭଳି ତେଲ ଖର୍ଚ୍ଚ ହୋଇଛି। ସେତେବେଳେ ନିର୍ବାଚିତ ଲୋକ ପ୍ରତିନିଧି ନଥିଲେ, କେବଳ ଅଧିକାରୀମାନେ ଗାଡ଼ି ବ୍ୟବହାର କରିଛନ୍ତି। ତେଲ ପକାଇଛନ୍ତି କିନ୍ତୁ ଫାଇଲ୍ ଲୁଚାଇ ଦେଇଛନ୍ତି। ଫାଇଲ୍ ମିଳୁ ନଥିବାରୁ ଅଡିଟ୍କୁ ଦେଖାଇ ପାରିନାହାନ୍ତି। ଏଣୁ ଅଡିଟ୍ ତେଲ ପକାରେ ଖର୍ଚ୍ଚ ହୋଇଥିବା ୩ କୋଟି୮୨ ଲକ୍ଷ ୮୫ ହଜାର ୮୪୫ ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି। ପରବର୍ତ୍ତୀ ଅଡିଟ୍ରେ ଏହି ହିସାବ ଦେଖାଇ ନପାରିଲେ, ଅଧିକାରୀଙ୍କଠାରୁ ଏହା ଆଦାୟ ହେବ ବୋଲି ଜଣାପଡ଼ିଛି।
ଏହି କାରନାମା ଧରାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। କେଉଁ ଗାଡ଼ିରେ କେତେ ତେଲ ପଡ଼ିଛି? କିଏ କେଉଁ ଗାଡ଼ି ଚଢ଼ୁଥିଲା? କାହାର ଫିଲ୍ଡରେ କାମ? କାହାର କେବଳ ଅଫିସ୍ରେ କାମ? କେବଳ ଅଫିସ୍ରେ କାମ କରି କେହି ଅଧିକ ତେଲ ପକାଇଛି କି? ଏ ସବୁକୁ ନେଇ ଏବେ ବିଏମ୍ସିରେ ଖୋଳତାଡ଼ ଚାଲିଛି। ବାସ୍ତବରେ ଏତିକି ଟଙ୍କାର ତେଲ ପଡ଼ିଛି ନା ଅଫିସରଙ୍କ ଗାଡ଼ିରେ ତେଲ ପଡ଼ିଛି ଦେଖାଇ ଗାଡ଼ି ଦାୟିତ୍ବରେ ଥିବା ଅଧିକାରୀ ଅର୍ଥ ହଡପ କରିଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। କମିସନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ଏକ ବୈଠକରେ ତନାଘନା କରିବା ପରେ ଦାୟିତ୍ବରେ ଥିବା ଅଧିକାରୀଙ୍କର ନିଦ ହଜିଛି। କିଏ କେଉଁଗାଡ଼ି ଚଢ଼ିଛି ଏବଂ ଦିନକୁ କେତେ କିଲୋମିଟର ବୁଲିଛି ତାହାର ହିସାବ ଆରମ୍ଭ ହୋଇଛି।
ହିସାବ ଆରମ୍ଭ ହେବା ପରେ ବିଏମ୍ସି ଗାଡ଼ିକୁ ନିଜ ଘରୋଇ କାମରେ ବ୍ୟବହାର କରିଥିବା ଅଫିସର ଛାନିଆ ହୋଇଛନ୍ତି। ବାସ୍ତବରେ ଅନେକ ଅଫିସର ବିଏମ୍ସି ଗାଡ଼ିରେ ଘରକୁ ପରିବା ବୋହିବା ଠାରୁ ଆରମ୍ଭ କରି ପିଲାଙ୍କୁ ସ୍କୁଲରେ ନିୟମିତ ଛାଡ଼ିବା ଆଣିବା କାମରେ ଲଗାଇଛନ୍ତି। କେତେକ ଟୁର୍ ଦେଖାଇ ସହର ବାହାରେ ବୁଲାବୁଲି କରିଛନ୍ତି। ପୂର୍ବରୁ ମେୟରଙ୍କ ନାମରେ ଭଡ଼ା ଆସିଥିବା ଗାଡ଼ି କେତେକ ଅଫିସର ବ୍ୟବହାର କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍ରେ ଏହି ତଥ୍ୟ ପଦାକୁ ଆସିଛି। ଏହି ସମୟରେ ନିର୍ବାଚିତ ଜନପ୍ରତିନିଧି ନଥିଲେ। ପୂର୍ବରୁ ମେୟରଙ୍କ ନାମରେ ଆସିଥିବା ଏକ ସ୍କର୍ପିଓ ଗାଡ଼ି କେତେକ ଅଫିସର ବ୍ୟବହାର କରୁଥିବା ଦେଖାଯାଇଛି। ସେହି ଗାଡ଼ିରେ ଦିନକୁ ୧ ହଜାର ଟଙ୍କା ତେଲ ପଡ଼ିଥିବା କାଗଜପତ୍ରରେ ଦର୍ଶାଯାଇଛି। ମେୟର ନଥିବା ବେଳେ ଏହି ଗାଡ଼ିକୁ କିଏ ବ୍ୟବହାର କଲା? ଏହାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି। ତନାଘନା ବେଳେ ଜଣାପଡ଼ିଛି କି ଏହାକୁ ବ୍ୟବହାର କରିଥିବା ଅଧିକାରୀଙ୍କର ଫିଲ୍ଡରେ ଡ୍ୟୁଟି ନାହିଁ। ସେ କେବଳ ଅଫିସ୍ ଡ୍ୟୁଟି କରନ୍ତି। ଏଣୁ ଏବେ ଏତେ ଟଙ୍କାର କେମିତି ତେଲ ହିସାବ ଦେଖାଇବେ ଚିନ୍ତାରେ ପଡ଼ିଛନ୍ତି।
ଠିକ୍ ସେହିଭଳି କେତେକ ଅଯୋଗ୍ୟ ଅଫିସର ମଧ୍ୟ ଗାଡ଼ି ଚଢ଼ୁଛନ୍ତି। ନିୟମ ମୁତାବକ, ଜୁନିୟର କ୍ଲାସ୍-୧ ଅଫିସର ପହ୍ୟାରୁ ଅଧିକ ହେଲେ ‘ପୁଲ୍ ଭେଇକିଲ’ ବ୍ୟବହାର କରିବା ପାଇଁ ଯୋଗ୍ୟ ହୁଅନ୍ତି। ଅର୍ଥାତ୍ ଗୋଟିଏ ଗାଡ଼ିକୁ ଏକାଧିକ ଅଫିସ ବ୍ୟବହାର କରନ୍ତି। ଡେପୁଟି ସେକ୍ରେଟାରିଙ୍କ ଠାରୁ ଅଧିକ ପାହ୍ୟାର ଅଫିସର ହେଲେ ‘ଇୟରମାର୍କ ଭେଇକିଲ’ ବ୍ୟବହାର କରିବାକୁ ଯୋଗ୍ୟ ହୁଅନ୍ତି। କିନ୍ତୁ ବିଏମ୍ସିରେ କେତେକ କନିଷ୍ଠ ଯନ୍ତ୍ରୀ ପାହ୍ୟାର ଅଫିସର ଗାଡ଼ି ଚଢ଼ୁଛନ୍ତି। ଏସ୍ବିଏମ୍ ସେଲ୍ରେ କେତେକ ଅଧିକାରୀ ‘ପୁଲ୍ ଭେଇକିଲ’ ବ୍ୟବହାର ପାଇଁ ଯୋଗ୍ୟ ନଥାଇ ‘ଇୟରମାର୍କ ଭେଇକିଲ’ ବ୍ୟବହାର କରୁଥିବା ତନାଘନା ବେଳେ ଜଣାପଡ଼ିଛି। କମିସନରଙ୍କ ତନାଘନା ପରେ ଗାଡ଼ି ଦାୟିତ୍ବରେ ଥିବା ଅଧିକାରୀ କଣ ଉତ୍ତର ରଖିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଏଣେ ଅଡିଟ୍କୁ କ’ଣ ଉତ୍ତର ଦିଆଯିବ? ଫାଇଲ୍ କେଉଁଠୁ ଆସିବ ସେ ନେଇ କର୍ତ୍ତୃପକ୍ଷଙ୍କ ମଥା ଘୂରିଛି।