ଭୁବନେଶ୍ବର: ଅବ୍ୟବସ୍ଥିତ ଡ୍ରେନ୍ ଯୋଗୁଁ ବର୍ଷର ଅଧିକାଂଶ ସମୟରେ ପଚା ପାଣି ରାସ୍ତାକୁ ମାଡ଼ି ଆସୁଛି। ରାସ୍ତାରେ ଲହଡ଼ି ମାରୁଛି ଆବର୍ଜନାଭରା ମଇଳା ପାଣି। ଫଳରେ ଗନ୍ଧରେ ରହି ହେଉନାହିଁ କି ରାସ୍ତାରେ ଯାତାୟାତ କରି ହେଉନାହିଁ। ବର୍ଷା ଦିନରେ ଡ୍ରେନ୍ ଓ ରାସ୍ତାରୁ ପଚା ପାଣି ଉଛୁଳି ଘର ଭିତରେ ପଶି ଯାଉଛି। ତେଣୁ ବର୍ଷା ଦିନ ଆସିଲେ, ଘର ନର୍କଠାରୁ ବଳିପଡ଼ୁଛି। ଖାଇବା, ପିଇବା ଓ ରହିବା ସବୁଥିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମାତ୍ର ବାରମ୍ବାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ବି ଡ୍ରେନ୍ ନବୀକରଣ କରାଯାଉନାହିଁ। ତେଣୁ ଆଗାମୀ ପୌର ନିର୍ବାଚନ ପୂର୍ବରୁ ସେମାନଙ୍କୁ ଏହି ସମସ୍ୟାରୁ ମୁକାଳିବାକୁ ପଦକ୍ଷେପ ନିଆନଗଲେ, ୨ ହଜାର ଭୋଟର ଭୋଟ୍ ବର୍ଜନ କରିବେ ବୋଲି ଚେତବାନୀ ଦେଇଛନ୍ତି। ଏମିତି କ୍ଷୋଭର ସହ କହିଛନ୍ତି ବିଏମ୍ସି ୩୨ନମ୍ବର ୱାର୍ଡ ଅର୍ନ୍ତଗତ ଜଗନ୍ନାଥନଗର ଲେନ୍-୧ ଅଞ୍ଚଳର ବାସିନ୍ଦାମାନେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳରେ ପାଖାପାଖି ୫ଶହ ପରିବାର ବସବାସ କରୁଛନ୍ତି। ସବୁବେଳେ ଏହି ସମସ୍ତ ପରିବାରର ଘର ସାମ୍ନାରେ ରାସ୍ତାରେ ଡ୍ରେନ୍ ଜଳ ଲହଡ଼ି ମାରୁଛି। ଟିକିଏ ଅଧିକ ବର୍ଷା ହେଲେ ଘର ଭିତରକୁ ଡ୍ରେନ୍ ଜଳ ପ୍ରବେଶ କରୁଛି। ବର୍ଷା ଦିନେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। କେବଳ ବର୍ଷା ଦିନ କଥା ଯେ ଏମିତି ତା ନୁହେଁ, ବର୍ଷର ଅନ୍ୟ ସମୟରେ ବି ଅବସ୍ଥା ଏଭଳି ହେଉଛି। ପୁଣି ଏହି ସମସ୍ୟା ଆଜି କି କାଲିର ନୁହେଁ, ଦୀର୍ଘ ୫ବର୍ଷ ହେଲା ଅଞ୍ଚଳବାସୀ ଏଭଳି ସମସ୍ୟାରେ ହରବର ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ଅଞ୍ଚଳରେ ଆବାସିକ କଲୋନି ଓ ଆପାର୍ଟମେଣ୍ଟ ସଂଖ୍ୟା ବଢ଼ିଗଲାଣି। ମାତ୍ର ସେମାନଙ୍କର ଆବର୍ଜନା ନିଷ୍କାସନ ବ୍ୟବସ୍ଥା ଠିକ୍ ନାହିଁ। ସେସବୁ କଲୋନିର ସେଫ୍ଟି ଟାଙ୍କି ଭର୍ତ୍ତି ହେବା ପୂର୍ବରୁ ସଫା କରାଯାଉନାହିଁ, ବରଂ ସେମାନେ ଟାଙ୍କିରୁ ଉଚ୍ଛୁଳୁଥିବା ମଇଳା ପାଣିକୁ ପାଚେରି ଦେଇ ବାହାରକୁ ଛାଡ଼ି ଦେଉଛନ୍ତି। ଫଳରେ ବର୍ଷର ବହୁ ସମୟରେ ସେହି ପାଣି ରାସ୍ତା ଉପରେ ବହୁଛି। ଫଳରେ ପଚା ପାଣିରେ ପଶି ଯାତାୟାତ କରିବା ଦ୍ବାରା ଛୋଟ ପିଲା, ମହିଳା ଓ ବରିଷ୍ଠ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ବାସିନ୍ଦା କୁଞ୍ଜବିହାରୀ ନାୟକ କହିଛନ୍ତି, ବିଏମ୍ସିର ଅବହେଳା ଯୋଗୁଁ ଏହି ଅଞ୍ଚଳର ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଏନେଇ ସେମାନେ ବିଏମ୍ସି କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଅନ୍ୟ ଜଣେ ବାସିନ୍ଦା ସୁବଳ ଚରଣ ସାହୁ କହିଛନ୍ତି ଯେ ବିଧାୟକ, ସ୍ଥାନୀୟ ଜନପ୍ରତିନିଧି କେହି ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଉନାହାନ୍ତି। ତେଣୁ ପୌର ନିର୍ବାଚନରେ ଏହାର ଜବାବ ଦିଆଯିବ। ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନହେଲେ, ସେମାନେ ଭୋଟ ବର୍ଜନ କରିବେ। ଏଥିସହ ସେମାନେ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।