ଭୁବନେଶ୍ବର: ଠିକା କାମର ପାଉଣା ମାସ ମାସ ଧରି ପଡ଼ି ରହୁଛି। ୬ ମାସ ହେଲାଣି, କାହାରି ଟଙ୍କା ପ୍ରଦାନ କରାଯାଇନି। ୬୦ରୁ ଅଧିକ ଠିକାଦାରଙ୍କ ପ୍ରାୟ ୧୭୦ କୋଟି ଟଙ୍କା ବାକି ରଖିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷ। ଏହାର ପ୍ରତିବାଦରେ ଆଜି ଅଲ୍‌ ଓଡ଼ିଶା ଠିକାଦାର ସଂଘ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ଜଣାଇଛି। ସଂଘର କାର୍ଯ୍ୟକର୍ତ୍ତାମାନେ ମେୟର ସୁଲୋଚନା ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ୭ ଦିନ ଭିତରେ ବକେୟା ପ୍ରାପ୍ୟର କିଛି ଅଂଶ ପ୍ରଦାନ କରିବାର ମେୟର ପ୍ରତିଶ୍ରୁତି ଦେବା ପରେ ସଂଘ ଆନ୍ଦୋଳନରୁ ଓହରିଛି।
ଅଲ୍‌ ଓଡ଼ିଶା ଠିକାଦାର ସଂଘ ସଂପାଦକ ଦିଲ୍ଲୀପ କୁମାର ଜେନା କହିଛନ୍ତି, ବିଏମ୍‌ସିରେ ହେଉଥିବା ଠିକା କାମର ଟଙ୍କା ଠିକାଦାରଙ୍କୁ ସମୟରେ ମିଳୁନି। ଯଦି ୧୦ କୋଟି ମିଳିବାର ଅଛି, ୧୦ଲକ୍ଷ ଦେଉଛନ୍ତି। ସେପଟେ ୪ ବର୍ଷର ଅମାନତ ରାଶି ବି ଠିକାଦାରଙ୍କୁ ପ୍ରଦାନ କରାଯାଇନି। ପୂର୍ବତନ ବିଏମ୍‌ସି ଆୟୁକ୍ତ ୬ ମାସ ଭିତରେ ଅମାନତ ରାଶି ଫେରସ୍ତ ଦେବାକୁ ଚିଠି କରିଥିଲେ। କିନ୍ତୁ ଅଧିକାରୀମାନେ ଶୁଣୁନାହାନ୍ତି। ଏଭଳି ସ୍ଥିତିରେ ଆମକୁ କାମ କରିବା ବି କଷ୍ଟକର ହୋଇପଡ଼ୁଛି। ଗତ ୧୨ ତାରିଖରେ ଏ ସଂପର୍କରେ ସଂଘ ପକ୍ଷରୁ ମେୟରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗତ ରଜକୁ ସବୁ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ରଜ ସରିଥିଲେ ବି ଆମକୁ ଟଙ୍କା ମିଳିନି। ଆଜି ପ୍ରତିବାଦ ବେଳେ ମେୟର ଶ୍ରୀମତୀ ଦାସ ଆମକୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ବେଳେ ଶ୍ରୀମତୀ ଦାସ କହିଥିଲେ, ଏ ଭିତରେ ପୁରୁଣା ମୁଖ୍ୟ ବିତ୍ତ ଅଧିକାରୀଙ୍କ ବଦଳି ଓ ନୂଆ ମୁଖ୍ୟ ବିତ୍ତ ଅଧିକାରୀ ଯୋଗ ଦେଇଛନ୍ତି। ଏଣୁ ଠିକା ଟଙ୍କା ଦେବାରେ ଅସୁବିଧା ହେଉଛି। ଆଉ ଏ ସମସ୍ୟା ରହିବନି ବୋଲି ଶ୍ରୀମତୀ ଦାସ କହିଛନ୍ତି। ୭ ଦିନରେ ପ୍ରାପ୍ୟ ନ ମିଳିଲେ, ଆମେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବୁ ବୋଲି ଶ୍ରୀ ଜେନା କହିଛନ୍ତି।