ଅସମାହିତ ଅଛି ଡଜନେରୁ ଅଧିକ ହତ୍ୟା ମାମଲା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ

ଭୁବନେଶ୍ବର: ରାଜଧାନୀରେ ଏମିତି କିଛି ହତ୍ୟାକାଣ୍ଡ ଘଟିଛି, ଯାହା କି ସହରବାସୀଙ୍କୁ ବିଚଳିତ କରିଦେଇଛି। ସହରରେ କୋକୁଆ ଭୟ ଖେଳାଇ ଦେଇଛି। କେଉଁଠି ଛୋଟ କାରଣ ପାଇଁ ମୁଣ୍ଡ ଗଡ଼ିଛି ତ କେଉଁଠି କାରଣ ହିଁ ଜଣାପଡ଼ିନି। ଚିନ୍ତାଜନକ ବିଷୟ ହେଉଛି ଯେ ବର୍ଷ ବର୍ଷ ହେଲା ଅନେକ ହତ୍ୟାକାଣ୍ଡ ରହସ୍ୟାବୃତ୍ତ ହୋଇ ରହିଯାଉଛି। ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିପାରୁନି। ମାସ ମାସ, ବର୍ଷ ବର୍ଷ ଧରି ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌। କିନ୍ତୁ ପତ୍ତା ମିଳୁନି। ପୁଲିସ୍‌କୁ ଚକ୍‌ମା ଦେଖାଇ ଅପରାଧୀ ଖସିଯାଉଛନ୍ତି। ଅଭିଯୁକ୍ତି ଧରା ପଡ଼ି ନଥିବା କହି ପୁଲିସ୍‌ ଚାର୍ଜସିଟ୍‌ ଦାଖଲ କରୁନାହିଁ।

ବଙ୍ଗୀୟ ଠିକାଦାରର ପତ୍ତା ମିଳୁନି

୨୦୧୮ ମସିହାରେ ମାର୍ବଲ ମିସ୍ତ୍ରି ଅଜିତ ଜେନାକୁ ଅପହରଣ କରି ଠିକାଦାର କୈଳାସ ଦାସ ଓ ଅକ୍ଷୟ ପ୍ରଧାନ ପିପିଲସ୍ଥିତ ଏକ ଜଙ୍ଗଲରେ ବୀଭତ୍ସ ଭାବେ ପଥର ଛେଚି ହତ୍ୟା କରିଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଅକ୍ଷୟକୁ ଗିରଫ କରିଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୈଳାସର ପତ୍ତା ଏବେ ବି ପାଉନି। ପୁଅ ହତ୍ୟାକାଣ୍ଡକୁ ପ୍ରାୟ ସାଢ଼େ ୪ବର୍ଷ ବିତିଥିଲେ ବି ହତ୍ୟାକାରୀ ଅକ୍ଷୟ ଧରା ନ ପଡ଼ିବାରୁ ବାପା ବୁଦ୍ଧିରାମା ଜେନା କମିସନରେଟ୍ ପୁଲିସର ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିବା ସହିତ ନୂଆ ଡିସିପି ପ୍ରତୀକ ସିଂହକୁ ଦେଖା କରି ଅଭିଯୁକ୍ତକୁ ଧରିବା ପାଇଁ ଦାବିପତ୍ର ଦେଇଥିଲେ।

ସ୍ବିଗି ବୟ ହତ୍ୟାକାଣ୍ଡରେ ୫ ଫେରାର୍

୨୦୨୧ ସେପ୍ଟେମ୍ବର ୨୬ ତାରିଖ ତାରିଖ ଫାୟାର୍ ଷ୍ଟେସନ୍ ଛକରେ ସ୍ବିଗି ବୟ ସୁପ୍ରଭାସ ମାନ୍ଧାତା ଖାଇବା ନେଇ ଯାଉଥିବା ବେଳେ କିଛି ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଗାଡ଼ି ଛଡ଼ାଇବାକୁ ନେଇ ବଚସା ହେବାରୁ ସୁପ୍ରଭାସ ତାଙ୍କ ଭାଇ ସୌମ୍ୟକୁ ଡାକିଥିଲେ। ପରେ ଫାଇନାନ୍ସ କର୍ମଚାରୀ ୨ଭାଇଙ୍କୁ ଖଣ୍ଡାରେ ହାଣିଥିଲେ। ଘଟଣାସ୍ଥଳରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଭରତପୁର ପୁଲିସ ୩ଜଣଙ୍କୁ ଗିରଫ କରିଥିଲେ ବି ଆହୁରି ୫ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି।

କାଳିଆର ହତ୍ୟାକାରୀ କିଏ?

୨୦୨୧ ଡିସେମ୍ବର ୪ ତାରିଖରେ ସୁନ୍ଦରପଦାର ସନ୍ତୋଷ ରାଉତ ଓରଫ କାଳିଆ ରସୁଲଗଡ଼ ଛକରେ ଛିଡ଼ା ହୋଇଥିଲେ। ତାଙ୍କୁ ଜଣେ ଯୁବକ ଛୁରାମାଡ଼ ପେଟରୁ ଅନ୍ତବୁଜୁଳା ବାହାର କରିଦେଇଥିଲା। ଘଟଣାସ୍ଥଳରେ କାଳିଆର ମୃତ୍ୟୁ ହୋଇଥିବା ବେଳେ କିଏ ମାରିଲା ଓ କାହିଁକି ମାରିଲା ତା’ର ଉତ୍ତର କମିସନରେଟ୍ ପୁଲିସ ଏପର୍ଯ୍ୟନ୍ତ ଦେଇପାରିନାହିଁ। ଜଣେ ବରିଷ୍ଠ ଅଧିକାରୀ ତଦନ୍ତ କରି ଏବେ କହିଛନ୍ତି, ବିହାରର ଜଣେ ଯୁବକ ଘଟଣାସ୍ଥଳରେ ବ୍ୟବସାୟ କରି ଫେରୁଥିବା ବେଳେ କାଳିଆର ତା’ ସହିତ ବଚସା ହୋଇଥିଲା। ଏହି କାରଣରୁ ଉକ୍ତ ଯୁବକ କାଳିଆକୁ ଛୁରୀ ଭୁସି ହତ୍ୟା କରିଥିଲା। ହେଲେ ଉକ୍ତ ଯୁବକକୁ ଏପର୍ଯ୍ୟନ୍ତ ସହିଦନଗର ଥାନା ପୁଲିସ ଧରିପାରିନାହିଁ।

ମିଲୁ ଏବେ କେଉଁଠି?

ଜାନୁଆରି ୧୬ତାରିଖ ଅପରାହ୍ନରେ ପ୍ରେସ୍ ଛକରେ ନିରଂଜନ ପରିଡ଼ା ଓରଫ୍ ଚିଣ୍ଟୁକୁ କିଛି ଯୁବକ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ସହିଦନଗର ଥାନା ପୁଲିସ ୨ଜଣ ଅଭିଯୁକ୍ତ ସତ୍ୟପ୍ରକାଶ ପାଣ୍ଡବ ଓ ସତ୍ୟପ୍ରକାଶ ସିଂହକୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ଯାଜପୁରର ସୌମ୍ୟରଂଜନ ବେହେରା ଓରଫ୍ ମିଲୁକୁ ଧରିପାରିନାହିଁ। ମିଲୁ ହିଁ ଛୁରିରେ ଚିଣ୍ଟୁ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େଇ ଭୁସିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମିଲୁ ରାଜ୍ୟ ଛାଡ଼ି ବାହାରେ ରହୁଛି। ଯେଉଁଥିପାଇଁ ତାକୁ ଧରିବା ସମ୍ଭବ ହେଉନାହିଁ।

ସୁରତରେ ଲୁଚିଛି ରାଜା!

୨୦୨୧ ଅଗଷ୍ଟ ୨୯ତାରିଖ ବିଳମ୍ବିତ ରାତିରେ ଡୁମୁଡୁମାସ୍ଥିତ ରଘୁନାଥନଗରରେ ମୁଣ୍ଡ ଗଡ଼ିଥିଲା। ନିଶା କାରବାରକୁ ବିରୋଧ କରିବାକୁ କେନ୍ଦ୍ର କରି ସନାତନକୁ ରାଜା ଓ ତା’ ପରିବାର ଲୋକେ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ରାଜା ପରିବାରର ୫ଜଣଙ୍କୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ରାଜାର ପତ୍ତା ଏବେ ବି ମିଳୁନି। ଖଣ୍ଡଗିରି ଥାନା ପୁଲିସ ଘଟଣାର ତଦନ୍ତ କରି ସେ ସମୟରେ ସୁରତ, କେରଳ ଓ ମୁମ୍ବାଇ ଭଳି ସହରରେ ଚଢ଼ଉ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ରାଜା ଧରାପଡ଼ିନାହିଁ। ପୁଲିସ ସୂଚନା ମୁତାବକ ସେ ଏବେ ସୁରତରେ ଲୁଚିଛି।

ଦଶନ୍ଧି ପରେ ବି ଉଠିନି ପରଦା

୧୦ବର୍ଷ ପୂର୍ବେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପୁଲିସ ଜବତ କରିଥିଲା। ମୃତଦେହ ନିକଟରୁ ଏକ ଶାଢ଼ି ଦୋକାନର ପଲିଥିନ୍ ମିଳିଥିଲା। ତଦନ୍ତ ପରେ ଏହା ଢେଙ୍କାନାଳର ଶାଢ଼ି ଦୋକାନ ବୋଲି ପୁଲିସ କହିଥିଲା। ମାତ୍ର ଘଟଣାରେ ପୁଲିସ ମହିଳାଙ୍କ ପରିଚୟ ନ ପାଇବାରୁ ପୋଷ୍ଟର ମାରିଥିଲା। ହେଲେ ଏସବୁ ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା। ଘଟଣାକୁ ପ୍ରାୟ ୧୦ବର୍ଷରୁ ଅଧିକ ଦିନ ବିତିଥିଲେ ବି ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା, ସେନେଇ କମିସନରଟେ ପୁଲିସ ପାଖରେ କୌଣସି ତଥ୍ୟ ନାହିଁ।

ସମ୍ବନ୍ଧିତ ଖବର