ଭୁବନେଶ୍ବର: ଅଧିକ ସୁଧର ଲୋଭ ଦେଖାଇ ଓଡ଼ିଶାରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକି ନେଇଥିବା ବିଦେଶ କମ୍ପାନି କ୍ୟୁ-ନେଟ୍ର ଆଉ ଜଣେ କର୍ମଚାରୀକୁ ଆଜି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଶାଖା (ଇଓଡବ୍ଲୁ) ଗିରଫ କରିଛି। ସେ ହେଲା, କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ପଲାଇ ଗାଁର ଅରବିନ୍ଦ କୁମାର। ୫ ବର୍ଷରେ ଶହେ ଗୁଣା ଫେରସ୍ତର ଲୋଭ ଦେଖାଇ ହଂକଂର ଏହି ଅର୍ଥ ଲଗାଣକାରୀ ସଂସ୍ଥା ଦେଶରୁ ଶହ ଶହ କୋଟି ଟଙ୍କା ଠକି ନେଇଥିଲା। ସେ ନାମୀଦାମୀ କଳାକାରଙ୍କୁ ମଧ୍ୟ ଏହି ଜାଲରେ ଫସାଇଥିଲା।
ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ଶତାଧିକ ଲୋକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଲୁଟି ନେଇଥିଲା। ତେବେ ପ୍ରତିଶ୍ରୁତି ମୁତାବକ କମ୍ପାନି ଲୋକଙ୍କୁ ଟଙ୍କା ନ ଫେରାଇବାରୁ ୨୦୧୯ ସେପ୍ଟେମ୍ବରରେ ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଠକେଇର ପରିମାଣ କୋଟିଏ ଟପିଯିବାରୁ କ୍ରାଇମ୍ବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ଏହି ଘଟଣାରେ ତେଲେଙ୍ଗାନାରେ ରାଜ୍ୟର ୭୦ ଜଣ ଗିରଫ ହୋଇସାରିଥିବା ବେଳେ ଆମ ରାଜ୍ୟରେ ଇଓଡବ୍ଲୁ ଶରତ କୁମାର ପରିଡ଼ା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଲିକ, ପ୍ରଶାନ୍ତ କୁମାର ମହାଲିକ୍ ପ୍ରମୁଖଙ୍କୁ ବାନ୍ଧି ସାରିଥିବା ଜଣାପଡ଼ିଛି।