ଚନ୍ଦ୍ରଶେଖରପୁର: ବୁଧବାର ସକାଳେ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଝାପ୍ସା ଦେଖାଯାଉଥିବାବେଳେ ବେଲଗାମ ହୋଇପଡ଼ିଥିଲା ଏକ ପୁଲିସ୍ ଭ୍ୟାନ୍। ସକାଳ ପ୍ରାୟ ସାଢ଼େ ନଅଟା ସମୟରେ ଓଏସ୍ଏପି ୭ମ ବାଟାଲିଅନ୍ ପଟୁ ଆସି ୟୁ ଟର୍ଣ୍ଣ କରୁଥିବା ଏହି ପୁଲିସ ଭ୍ୟାନ୍ ରାସ୍ତାରେ ଯାଉଥିବା ଏକ ଗ୍ଲାମର୍ ବାଇକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍ରେ ବସିଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥବାବେଳେ ଜଣେ ଟ୍ରଲି ଚାଳକ ମଧ୍ୟ ଏହି ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ। ମାତ୍ର ଦୁର୍ଘଟଣା ଘଟାଇଥିବା ପୁଲିସ୍ ଭ୍ୟାନ୍ଟି ସେଠାରେ ଅଟକି ନ ଥିଲା। ଧକ୍କା ଦେଲାପରେ ଦ୍ରୁତ ଗତିରେ ସେହି ସ୍ଥାନ ଛାଡ଼ି ଫେରାର୍ ହୋଇଯାଇଥିଲା। ଆହତ ତିନି ଜଣଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେବା ସହିତ ହସ୍ପିଟାଲ୍ ପଠେଇବା ବନ୍ଦୋବସ୍ତ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସେହି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା। ଦୁର୍ଘଟଣା ଘଟାଇଥିଲେ ମଧ୍ୟ ପୁଲିସ ଭ୍ୟାନ୍ ଆହତଙ୍କୁ ହସ୍ପିଟାଲ ନେବା ପାଇଁ ନ ଅଟକିବାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ତେବେ ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ୍ ପଠାଇବା ସହିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ପୁଲିସ୍ ଭ୍ୟାନ୍ ଚଳାଉଥିବା କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।
ସକାଳୁ ସକାଳୁ ବେଲଗାମ ପୁଲିସ୍ ଭ୍ୟାନ୍
ବାଇକ୍କୁ ଧକ୍କା ଦେଲା, ତିନି ଆହତ
/sambad/media/post_attachments/wp-content/uploads/2018/03/raj-accident.jpg)