ଭୁବନେଶ୍ବର: ସକାଳ ହେଉ କି ସନ୍ଧ୍ୟା। ବ୍ୟାୟମ କରିବାକୁ ଶ୍ୟାମାପ୍ରସାଦ ମୁର୍ଖାଜୀ ପାର୍କ ଆସୁଥିବା ଲୋକଙ୍କ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଆଗରୁ ଗୋଟିଏ ମୁକ୍ତାକାଶ ବ୍ୟାୟାମଶାଳା ରହିଥିବା ବେଳେ ଏବେ ଆଉ ଗୋଟିଏ ବାୟାମଶାଳା ପ୍ରତିଷ୍ଠା କାମ ଆରମ୍ଭ ହୋଇଛି। ପାର୍କର ଦକ୍ଷିଣ ଓ ପୂର୍ବ ପାର୍ଶ୍ବରେ ଥିବା ଗଛ ଛାଇ ତଳେ ଯନ୍ତ୍ରପାତି ଲଗାଯାଉଥିବା ବେଳେ କେତେଜଣ ମୁଷ୍ଟିମେୟ ବ୍ୟକ୍ତିବିଶେଷ ଏହାକୁ ବିରୋଧ କରିଛନ୍ତି। ଗଛ ଛାଇ ବଦଳରେ ଖରା ହେଉଥିବା ସ୍ଥାନରେ ଲଗାଇବାକୁ ବିଭିନ୍ନ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି। ଯେଉଁଥିପାଇଁ କାମ ବିଳମ୍ବ ହେଉଥିବା ମର୍ଣ୍ଣିଂୱାର୍କସ ଅଭିଯୋଗ କରିଛନ୍ତି।

Advertisment

ସେମାନଙ୍କ ଅଭିଯୋଗ ଅନୁଯାୟୀ ପାର୍କରେ ବଢ଼ୁଥିବା ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ବ୍ୟାୟମ ପାଇଁ ଗଛ ଛାଇ ତଳେ ଲଗାଯାଉଥିବା ସାମଗ୍ରୀଗୁଡ଼ିକୁ ହଟାଇବାକୁ କେତେଜଣ ଲାଗିପଡ଼ିଛନ୍ତି। ସନ୍ଧ୍ୟା ହେଲେ ସେମାନେ ସେହି ସ୍ଥାନରେ ଆଡ୍ଡା ଜମାଉଛନ୍ତି। ଦିନରେ ଗଛ ଛାଇ ତଳେ ଖଟି କରୁଛନ୍ତି। ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ‌ଯନ୍ତ୍ରପାତିଗୁଡ଼ିକ ସେଠାରେ ଲଗାଯିବା ଦ୍ବାରା ସେମାନଙ୍କ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହେବ। ତେଣୁ ସେଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଚାପ ପକାଉଛନ୍ତି। ଏବେ ଯେଉଁ ସ୍ଥାନରେ ଯନ୍ତ୍ରପାତି ଲଗାଯାଉଛି ତାହା ଛାଇ ହୋଇଥିବାରୁ ଏଠାକୁ ଆସୁଥିବା ବରିଷ୍ଠ ନାଗରିକ ସୁରୁଖୁରରେ ବ୍ୟାୟାମ କରିପାରିବେ। ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଖରା ହେଉଥିବା ଅଞ୍ଚଳକୁ ସ୍ଥାନାନ୍ତର କରାଗଲେ ବରିଷ୍ଠ ନାଗରିକ ବ୍ୟାୟମ କରିବା କଷ୍ଟକର ହୋଇପଡ଼ିବ। ସେମାନଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ଏସମ୍ପର୍କରେ ଏସ୍‌ଡିଓଙ୍କୁ ଫୋନ୍‌ ଯୋଗେ ଅବଗତ କରାଯାଇଛି। ସମସ୍ତଙ୍କ ସୁବିଧାକୁ ନଜରରେ ରଖି ଏଦିଗରେ ପଦକ୍ଷେପ ନେବାକୁ ସକୁନ୍ତଳା ରାୟ, ଯୁଗୋଳ କିଶୋର ରାୟ, ବିଶ୍ବଜିତ୍‌ ରାଉତ, ଚତ୍ରୁଭୂଜ ବେହେରା ପ୍ରମୁଖ ବିଡିଏ ଉପାଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି।