ଭୁବନେଶ୍ୱର : ରାଜଧାନୀରେ ବଢ଼ିଗଲେଣି ମଶା ବଂଶ। ଦିନ ରାତି କିଛି ମାନୁନାହାନ୍ତି। ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି। ରାଜଧାନୀବାସୀଙ୍କୁ କଲବଲ କରୁଛନ୍ତି। ରାଜଧାନୀର ଏମିତି କୌଣସି ଜାଗା ନାହିଁ ଯେଉଁଠି କିଏ ବିନା ମଶାରିରେ ଶାନ୍ତିରେ ଶୋଇ ପାରୁଛନ୍ତି। ସବୁ ଜାଗାରେ ମଶାଙ୍କ ସାନ୍ଦ୍ରତା ୬୦ ଛୁଇଁଲାଣି। ମଶା ବଢ଼ୁଛନ୍ତି ଆଉ ତାହା ସହ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ୁଛି। ହେଲେ ବିଏମ୍ସି କହୁଛି ରାଜଧାନୀରେ ଏବେ ମଶା ସ୍ଥିତି ସେହିଭଳି ସଙ୍ଗିନ୍ ହୋଇନି। ଆମେ ସମୟ ଦେଖି ମଶା ମରା ଅଭିଯାନ ଆରମ୍ଭ କରିବୁ।
Sambad is now on WhatsApp
Join and get latest news updates delivered to you via WhatsApp
ଡୁମଡୁମା, ଯଦୁପୁର, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଝାରପଡ଼ା, ବିଜେବି ନଗର, ବଡଗଡ଼, ଆଇଆର୍ସି ଭିଲେଜ୍, ବ୍ରିଟ୍ କଲୋନି, ନୂଆପଲ୍ଲୀ, ପଟିଆ, ମଞ୍ଚେଶ୍ୱର, ବମିଖାଲ, ଲକ୍ଷ୍ମୀସାଗର, ଜିଜିପି କଲୋନି, ବାପୁଜୀ ନଗର, ପୁରୁଣା ଭୁବନେଶ୍ୱର ପ୍ରଭୃତି ଅଞ୍ଚଳରେ ମଶାଙ୍କ ସାନ୍ଦ୍ରତା ୬୦ଟପିଲାଣି (ଏକ କ୍ୟୁବିକ ଫୁଟରେ ୬୦ଟି ମଶା) । ବାକି ଅଞ୍ଚଳରେ ବି ମଶା ସାନ୍ଦ୍ରତା ୫୬ରୁ ଅଧିକ। ଯାହା ରାଜଧାନୀର ହାରାହାରି ମଶାଙ୍କ ସାନ୍ଦ୍ରତା ଠାରୁ ଅଧିକ। କେଉଁଠି ବି ମଶାଙ୍କ ଦାଉରୁ ନିସ୍ତାର ନାହିଁ। ବିଏମ୍ସି କର୍ତ୍ତୃପକ୍ଷ କହୁଛନ୍ତି ଯେ, ମଶାଙ୍କ ସାନ୍ଦ୍ରତା ୮୦ ଛୁଇଁଲେ ଆମେ ଟିଫା ମେସିନ୍ ବ୍ୟବହାର କରୁ। ଏପଟେ ଦିନବେଳା ତ ଯାହା ମଶା କାମୁଡ଼ୁଛନ୍ତି ସଞ୍ଜ ନଇଁଲେ ମଶା ପଲ ପଲ ହୋଇ ମାଡ଼ି ଆସୁଛନ୍ତି। ଘର ବାହାର କିଛିି ମାନୁନାହାନ୍ତି। । ବିଭିନ୍ନ କମ୍ପାନିଙ୍କ ମଶା ମରା କଏଲ୍ କି ଲିକ୍ୱିଡ୍ କାମ ଦେଉନି। ଏପରି ଆକ୍ରମଣ କରୁଛନ୍ତି ଯେ, ଯେପରି ପୂରା ଟେକି ନେବେ।
ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧ ଛୁଇଁଲାଣି
ରାଜଧାନୀରେ ମଶାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାବେଳେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି। ସାଲିଆ ସାହି ସମେତ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳ, ମୁଖ୍ୟ ଡ୍ରେନ୍ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ଉଭା ହେଲାଣି। ସାଲିଆ ସାହିରେ ୪୯ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂରା ଭୁବନେଶ୍ୱରରେ ଏହା ୧୭୧ ଟପିଲାଣି। ଏହି ଗଣନା ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ହୋଇଥିଲେ ହେଁ ଗତ ଦୁଇ ମାସ ମଧ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଲିଆ ସାହିରେ ଡେଙ୍ଗୁ ବ୍ୟାପିବା ପରେ ବିଏମ୍ସି ତରବରିଆ ଭାବେ ଟିଫା ମେସିନ୍ ବୁଲାଇବା ଆରମ୍ଭ କରିଛି। ପୂରା ସାଲିଆ ସାହିରେ ବି ଟିଫା ମେସିନ୍ ବୁଲିନି। ଏପଟେ ରାଜଧାନୀର ଅନ୍ୟ ଅଞ୍ଚଳରେ ଡେଙ୍ଗୁ ଭୟ ଲୋକଙ୍କୁ ଗୋଡ଼ାଇଲାଣି। କିନ୍ତୁ ନଗର ସ୍ୱାସ୍ଥ୍ୟ ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ କହୁଛନ୍ତି ନଭେମ୍ବର ୧୫ବେଳକୁ ଟିଫା ମେସିନ୍ ବୁଲିବ। ପ୍ରତି ଓ୍ଵାର୍ଡରେ ଥରେ ଲେଖାଏଁ ବୁଲିବ। ଏଥିରେ ମଶା ପୂରା ମରିଯିବେ। ହେଲେ ଥରକରେ କେତେ ଧୂଆଁ କୁଆଡ଼େ ଯିବ ଯେ ମଶା ମରିବେ ସେନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ପାଖରେ ହିସାବ ନାହିଁ।
ନଭେମ୍ବର ୧୫ରୁ ଧୂଆଁ ଛାଡ଼ିବ ବିଏମ୍ସି
ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଦାସ କହିଛନ୍ତି ଯେ, ଆମେ ମଶା ନବଢ଼ିବା ପାଇଁ ବର୍ଷତମାମ୍ କାମ କରୁଛୁ। ପ୍ରତି ଓ୍ଵାର୍ଡରେ ସପ୍ତାହକୁ ଗୋଟିଏ ଦିନ ଆମେ ଟେମେଫସ୍ ଏବଂ ଏମ୍.ଏଲ୍ ତେଲ ସ୍ପ୍ରେ କରୁଛୁ। ସବୁ ଡ୍ରେନ୍ ସଫା କରିବା ସହ ପାଇଖାନା ଟାଙ୍କି, ପାଣି ଜମୁଥିବା ସ୍ଥାନରେ ଏହି ତେଲ ଓ ଔଷଧ ସ୍ପ୍ରେ ହେଉଛି। ଏହାବାଦ୍ ପ୍ରତି ତିନି ମାସରେ ସମସ୍ତ ମୁଖ୍ୟ ଡ୍ରେନ୍ଗୁଡ଼ିକ ସଫେଇ କରୁଛୁ। କେଉଁଠି ବି ପାଣି ଜମିବାକୁ ଦେଉନୁ। ଆଉ ମଶା ଡିମ୍ବ ମାରୁଛୁ। ଯେଉଁ ମଶା ବଢ଼ୁଛନ୍ତି ସେଗୁଡ଼ିକ ଟିଫା ମେସିନ୍ ବୁଲିଲେ ମରୁଛନ୍ତି। ଚଳିତବର୍ଷ ନଭେମ୍ବର ୧୫ରୁ ଟିଫା ମେସିନ୍ ବୁଲିବ। ପ୍ରାୟ ୪୫ଦିନ ମଧ୍ୟରେ ୬୭ଟି ଯାକ ଓ୍ଵାର୍ଡରେ ଧୂଆଁ ଛଡ଼ାଯିବ। ଥରକରେ ଦୁଇଟି ମେସିନ୍ ଦୁଇଟି ଓ୍ଵାର୍ଡ ବୁଲିବ। ଏଥିପାଇଁ ୫୩୦ଲିଟର ଡିଜେଲ୍, ୧୦ଲିଟର ପେଟ୍ରୋଲ୍ ଏବଂ ଦୁଇ କେଜି କିଙ୍ଗ୍ ଫଗ୍ ଔଷଧ ସ୍ପ୍ରେ ହେବ। ଲୋକ ଯଦି ସଚେତନ ରହିବେ ତେବେ ମଶା ସଂଖ୍ୟା ବଢ଼ିବେନି କି ଲୋକଙ୍କୁ ଅଭିଯୋଗ କରିବାକୁ ପଡ଼ିବନି ବୋଲି ନଗର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
ବିଏମ୍ସିର ମଶା ମାରିବା ତରିକା ଭୁଲ୍!
ବିଏମ୍ସି କର୍ତ୍ତୃପକ୍ଷ ଯେଉଁଭଳି ଭାବେ ମଶା ମାରୁଛନ୍ତି ତାହା ଭୁଲ୍। ଏଥିରେ ମଶା ଯେତିକି ମରୁନାହାନ୍ତି ତାହାଠାରୁ ଅଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ ପରିବେଶ ପ୍ରଦୂଷଣ ହେଉଛି ବୋଲି ଭେକ୍ଟର ବର୍ଣ୍ଣ ଡିଜିଜ୍ ଉପରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ବିଏମ୍ସି ମଶା ନିପାତ ପାଇଁ ଗାଡ଼ିରେ ଫଗିଂ ମେସିନ୍ ଓ ଟିଫା ମେସିନ୍ ବୁଲାଉଛି। ଏହିଭଳି ମଶା ମାରିବା ପ୍ରକ୍ରିୟା ବିଭିନ୍ନ ଦେଶରେ ତଥା ଆମ ଦେଶର କେତୋଟି ରାଜ୍ୟରେ ବନ୍ଦ ହୋଇଗଲାଣି। କାରଣ ଟିଫା ମେସିନ୍ ବା ଫଗିଂ ମେସିନ୍ ଶହଶହ ଲିଟର ଡିଜେଲ୍ ଓ ପେଟ୍ରୋଲ୍ ଦ୍ୱାରା ଚାଲୁଥିବାରୁ ଏହା ଦ୍ୱାରା ମାତ୍ରାଧିକ କଳାଧୂଆଁ ବାହାରିଥାଏ। ଯେଉଁଥିରେ କାର୍ବନ ମନୋକ୍ସାଇଡ୍ ଥାଏ। ଏହି କାର୍ବନ ମନୋକ୍ସାଇଡ୍ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବାବେଳେ ଏହାକୁ ନିରବ ମୃତ୍ୟୁ ବୋଲି ଗଣା ଯାଉଛି। ତେଣୁ ଏହାର ବ୍ୟବହାର ପ୍ରାୟ ସବୁଠି ବନ୍ଦ ହୋଇଗଲାଣି। ଗାଡ଼ି ଧୂଆଁରୁ କାର୍ବନ ମନୋକ୍ସାଇଡ୍ ବାହାରୁଥିବାରୁ ବାୟୁ ପ୍ରଦୂଷଣ ବଢୁଛି। ହେଲେ ଟିଫା ମେସିନ୍ ଓ ଫଗିଂ ମେସିନ୍ରୁ ମାତ୍ରାଧିକ କାର୍ବନ ମନୋକ୍ସାଇଡ୍ ବାହାରୁଥିବାରୁ ଏହା ଗାଡ଼ି ଧୂଆଁଠାରୁ ଅଧିକ ବିପଜ୍ଜନକ।
କେବଳ ଏତିକି ନୁହେଁ ଏହି ଟିଫା ମେସିନ୍ରେ ଯେଉଁ କେମିକାଲ ବ୍ୟବହାର ହେଉଛି ସେଥିରେ ମଶା ମରୁନାହାନ୍ତି। ମେସିନ୍ ଶବ୍ଦରେ ମଶା ବାହାରୁ ଯାଇ ଘରେ ପଶୁଛନ୍ତି। ଯେଉଁ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ସେହି ମଶାଗୁଡ଼ିକ ଏହି ମେସିନ୍ ଶବ୍ଦ ଏବଂ କେମିକାଲ ସଂସ୍ପର୍ଶରେ ଆସିଲେ ଘର ଭିତରକୁ ପଶି ଯାଉଥିବା ଦେଖାଯାଉଛି। ଏନେଇ ବିଏମ୍ସିକୁ ଜଣା ହେଲାଣି। କିନ୍ତୁ ସେମାନେ ଫଗିଂ ଓ ଟିଫା ମେସିନ୍ ବ୍ୟବହାର କମ୍ କରୁନାହାନ୍ତି।
ବିଶେଷଜ୍ଞଙ୍କ ପରାମର୍ଶର୍ ଯେ ଯଦି ସପ୍ତାହକୁ ଥରେ ପ୍ରତ୍ୟେକ ଡ୍ରେନ୍ ସଫା ହୁଅନ୍ତା, ଡ୍ରେନ୍ ଉପରେ ଘୋଡ଼ଣି ରୁହନ୍ତା, ଘର ଓ ବିଭିନ୍ନ କାର୍ଯ୍ୟାଳୟର ଓଭରହେଡ୍ ପାଣି ଟାଙ୍କି ଘୋଡ଼ଣି ପୂରା ନିବୁଜ ରୁହନ୍ତା, ସେପ୍ଟିକ୍ ଟାଙ୍କି ବନ୍ଦ ରୁହନ୍ତା, ସ୍ୱେରେଜ୍ ଟାଙ୍କି ଭଲ ଭାବେ ସଫା କରିବା ସହ ସ୍ୱେରେଜ୍ ଲାଇନ୍ ସଫା କରିବା ଦରକାର। ଏହାସହିତ ପାଇଖାନାରୁ ବାହାରିଥିବା ଭେଣ୍ଟ୍ ପାଇପର ଉପରି ଭାଗରେ ମଶାରି କପଡ଼ା ବାନ୍ଧି ଦେଲେ ଆଉ ମଶା ପଶିବେନି କି ବାହାରିବେନି। ମଶା ଡିମ୍ବ ଦେଉଥିବା ସ୍ଥାନ ଚିହ୍ନଟ କରି ଏମ୍.ଏଲ୍ ତେଲ ଆରମ୍ଭରୁ ପକାଯାଆନ୍ତା ତେବେ ମଶା ଏତେ ମାତ୍ରାରେ ହୁଅନ୍ତାନି। କିନ୍ତୁ ବିଏମ୍ସି ମଶା ବଡ଼ ହେବା ପରେ ଯାଇ ଏମ୍.ଏଲ୍ ତେଲ ପକାଉଥିବାରୁ ମଶା ମରୁନାହାନ୍ତି ଖାଲି ତେଲ ନଷ୍ଟ ହେଉଛି। ଯେଉଁ କାମ ଲୋକଙ୍କୁ ସଚେତନତା ଓ ବାର୍ଷିକ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇପାରନ୍ତା ସେହି କାମ ପାଇଁ ବିଏମ୍ସି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି।