ଭୁବନେଶ୍ବର: ଗତକାଲି ସକାଳେ ବିଜେପି ନେତାମାନେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ବିଏମ୍ସି କିଛି କାମ କରୁନି, ମଶା ମାରିପାରୁନି ଅଭିଯୋଗ କଲେ। ସନ୍ଧ୍ୟାରେ ମନ୍ତ୍ରୀ ମଶା ନିୟନ୍ତ୍ରଣକୁ ନେଇ ବିଏମ୍ସିରେ ସମୀକ୍ଷା କଲେ। କହିଲେ ‘ମଶା ଧୂଆଁ ମେସିନ୍ କିଣ। ହଟ୍ସ୍ପଟ୍ ଖୋଜ।’ ଦୁଇ ବର୍ଷ ତଳେ ମେୟର ହଟ୍ସ୍ପଟ୍ ଖୋଜିବା ସହ ଔଷଧ ସିଞ୍ଚନ କରିବାକୁ ଡ୍ରୋନ୍ ଉଡାଇଥିଲେ ଏବଂ ଫେଲ୍ ମାରିଥିଲେ। ବର୍ଷକୁ କେବଳ ମଶା ଧୂଆଁରେ ବିଏମ୍ସିର ୬୦ ଲକ୍ଷ ଉଡ଼ିଯାଉଛି। କର୍ମଚାରୀ, ତେଲ, ଗାଡ଼ିଭଡ଼ାକୁ ହିସାବ କଲେ ମଶା ଦମନ ପଛରେ ଖର୍ଚ୍ଚ କୋଟିଏ ଛୁଇଁବ। ହେଲେ ମଶା କମୁନାହାନ୍ତି। ନେତାମାନେ କେବଳ ମଶାକୁ ନେଇ ରାଜନୀତି କରୁଥିବା ବେଳେ ଅଧିକାରୀ ମଶା ବାବଦରେ ହେଉଥିବା ଖର୍ଚ୍ଚରୁ ନିଜ ପକେଟ୍ ଗରମ କରୁଛନ୍ତି। ମଶା ବଂଶ ବୃଦ୍ଧି ପଛରେ ଥିବା ବାସ୍ତବ କାରଣ ଖୋଜିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେହି ଚାହୁନାହାନ୍ତି।
ଜଣେ ପୂର୍ବତନ ବରିଷ୍ଠ ଅଧିକାରୀଙ୍କ କହିବା କଥା, କେନ୍ଦୁଝରର ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜସ୍ବ ଗମ୍ବୁସିଆ ମାଛ ହାଚେରି ରହିଛି। ଫଳରେ ପ୍ରତ୍ୟେକ ନଳାରେ ଗମ୍ବୁସିଆ ମାଛ ଛଡ଼ା ଯାଉଛି। ଛୋଟଛୋଟ ପରିତ୍ୟକ୍ତ ଜଳାଶୟରେ ବି ଏଭଳି ମାଛ ଛଡ଼ା ଯାଇ ନିୟନ୍ତ୍ରଣ କରାଯାଉଛି। କିନ୍ତୁ ରାଜଧାନୀରେ ଏଭଳି ବ୍ୟବସ୍ଥା ନାହିଁ। ପୂର୍ବରୁ ଏଭଳି ହାଚେରି ଥିଲା। ସାରା ରାଜ୍ୟକୁ ଏଠାରୁ ଏହି ମାଛ ସପ୍ଲାଇ ହେଉଥିଲା। କିନ୍ତୁ ସରକାରଙ୍କ ଆନ୍ତରିକତା ଅଭାବରୁ ହାଚେରି ବନ୍ଦ ହୋଇଗଲା। ଏବେ ବି ଚାହିଲେ ବିଏମ୍ସି କିମ୍ବା ସରକାର ଏହି ହାଚେରି କରିପାରିବେ। କିନ୍ତୁ ଏମାନେ ଦୋଷାରୋପ ରାଜନୀତିରେ ମାତିଛନ୍ତି।
ବାସ୍ତବ ସମସ୍ୟା କେହି ବୁଝୁନାହାନ୍ତି
ଡ୍ରୋନ୍ ଉଡ଼ାଇ ଫେଲ୍ ମାରିଥିଲେ ମେୟର
ଟିଫା ମେସିନ୍ କିଣିବାକୁ କହିଲେଣି ମନ୍ତ୍ରୀ
ଧୂଆଁରେ ବିଏମ୍ସିର ଖର୍ଚ୍ଚ ବର୍ଷକୁ ୬୦ ଲକ୍ଷ
ଏବେ ସ୍ବାସ୍ଥ୍ୟବିଭାଗରେ ଜଣେ ମାତ୍ର ‘ଇନ୍ସେକ୍ଟ କଲେକ୍ଟର’ ରହିଛନ୍ତି ଯିଏକି ସାନ୍ଦ୍ରତା ମାପ କରନ୍ତି। ସାରା ରାଜ୍ୟରେ ବୁଲି ବୁଲି ଏହି ଜଣେ ମାତ୍ର ଅଧିକାରୀ ଏହି କାମ କରୁଥିବାରୁ ନିୟମିତ ସାନ୍ଦ୍ରତା ମାପିବା ସମ୍ଭବ ହୁଏନାହିଁ। ନିକଟ ଅତୀତରେ ମପା ଯାଇଥିବା ତଥ୍ୟ ଅନୁସାରେ ଭୁବନେଶ୍ବରରେ ମଶାଙ୍କ ସାନ୍ଦ୍ରତା ଥିଲା ୮୦(ଟେନ୍ ମ୍ୟାନ୍ ଆୱାର)। ଏବେ ଏହା ୧୦୦ ଅତିକ୍ରମ କରିଛି। ଅଧିକାରୀଙ୍କ ଅଭାବରୁ କେବଳ ଆଉଟ୍ଡୋର୍ ସାନ୍ଦ୍ରତା ମାପ କରାଯାଉଛି। ଆଜି ପର୍ଯ୍ୟନ୍ତ ଇନ୍ଡୋର ସାନ୍ଦ୍ରତା ମପା ଯାଇ ନାହିଁ। ଯେଉଁ ଆଉଟ୍ଡୋର୍ ସାନ୍ଦ୍ରତା ମାପ କରାଯାଉଛି ତାହା ପୁଣି କେବଳ କେତୋଟି ନିର୍ଦ୍ଦିଷ୍ଟ ଜାଗାରେ। ଏଣୁ ଭୁବନେଶ୍ବରରେ ମଶାଙ୍କ ସାନ୍ଦ୍ରତା ଯେତିକି ବିଭାଗ ପକ୍ଷରୁ ହିସାବ ଦିଆଯାଉଛି ତାହା ସଠିକ୍ ନୁହେଁ ବୋଲି କୁହାଯାଉଛି। କିନ୍ତୁ ବର୍ଷବର୍ଷ ଧରି ସରକାର ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି।
ନଳା ମୁକୁଳା ରହିଲେ ଲୋକ ଭାସି ଯାଉଛନ୍ତି। ଏଣୁ ସବୁ ନଳାରେ ସ୍ଲାବ୍ ପକାଇବା ପାଇଁ ବିଏମ୍ସି ନିଷ୍ପତ୍ତି ନେଇଛି। କଂକ୍ରିଟ୍ ସ୍ଲାବ୍ ପକାଇବା ପରେ ଏହା ଭିତରେ ଥିବା ମଶାଙ୍କ ଉତ୍ସକୁ ଚିହ୍ନଟ କରାଯାଇ ପାରୁନାହିଁ। ଫଳରେ ଯେଉଁଠି ଟିକିଏ ଫାଙ୍କା ଅଛି ସେଠାରେ ମଶା ତେଲ ଫିଙ୍ଗି ଦିଆଯାଉଛି। ଏହା କେତେଦୂର କାମରେ ଲାଗିଲା ବା ମଶାଙ୍କ ଉତ୍ସରେ ପହଞ୍ଚିଲାକି ନାହିଁ ତାହା ଦେଖିବାକୁ କେହି ନାହାନ୍ତି। ଜଣେ କର୍ମଚାରୀ କହିଛନ୍ତି, ସ୍ଲାବ୍ ହଟାଇ ତେଲ ପକାଇବା ସମ୍ଭବ ନୁହେଁ। ଏଣୁ ଯେଉଁଠି ସୁବିଧା ସେଠାରେ ପକାଇ ଦେଉଛୁ। କେଉଁଠି ହଟ୍ସ୍ପଟ୍ ତାହା ମଧ୍ୟ ଚିହ୍ନଟ ହୋଇନାହିଁ। ଯିଏ ଦାୟିତ୍ବରେ ରହୁଛି ସେହି କର୍ମଚାରୀ ଯେମିତି ଚାହୁଛି ସେମିତି ତେଲ ପକାଯାଉଛି। ଦୟା, ଗଙ୍ଗୁଆ ଓ ସହର ଭିତର ଦେଇ ଯାଇଥିବା ସମସ୍ତ ପ୍ରାକୃତିକ ନାଳ ମଶାଙ୍କ ଜନ୍ମସ୍ଥଳ ପାଲଟିଛି। କିନ୍ତୁ ଏଥିରେ ଥରେ ହେଲେ ତେଲ ପଡ଼ିନାହିଁ। ଏଣୁ ମଶା ତେଲ ସିଞ୍ଚନ କେବଳ ଧର୍ମକୁ ଆଖିଠାର। ଏଥିପାଇଁ ସରକାରଙ୍କ ପାଖରେ କୌଣସି ଠୋସ୍ ଯୋଜନା ନାହିଁ।
ବିଏମ୍ସିରେ ଏବେ ଟ୍ରାକ୍ଟର ମାଉଣ୍ଟେଡ୍ ୨ଟି ଟିଫା ମେସିନ୍ ରହିଛି। ଆଉ ୪ଟି କିଣିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ବିଏମ୍ସି ପାଣ୍ଠିରୁ କୋଟିଏରୁ ଅଧିକ ଖର୍ଚ୍ଚ ହେବ। ଭୁବନେଶ୍ବର ଯେତେବଡ଼ ଅଞ୍ଚଳ ଏଠାରେ ୬୭ଟି ୱାର୍ଡ ପାଇଁ ୬୭ ମେସିନ୍ କିଣିଲେ ବି ମଶା ଦମନ ଅସମ୍ଭବ ହେବ। ଯେ ପର୍ଯ୍ୟନ୍ତ ଉତ୍ସ ନଷ୍ଟ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଏ ସବୁ କେବଳ ଖର୍ଚ୍ଚ ବଢ଼ାଇବ। କେବଳ ଅସ୍ଥାୟୀ ଭାବେ କୌଣସି ସଭାସ୍ଥଳରେ ଧୂଆଁ ଦିଆଯାଇ ସାମୟିକ ଭାବରେ ମଶା ଘଉଡ଼ାଇ ଦିଆଯାଇପାରେ ବୋଲି ବିଏମ୍ସି ଜନସ୍ବାସ୍ଥ୍ୟ ଉପବିଭାଗର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି।