କଲବଲ କଲେଣି ମଶା: ସାନ୍ଦ୍ରତା ୬୦ ଟପିଲା, ବିଏମ୍‌ସି ‌ବେଫିକର

ଭୁବନେଶ୍ବର: ରାଜଧାନୀବାସୀଙ୍କୁ କଲବଲ କଲେଣି ମଶା। ଶୀତ ସତ୍ତ୍ବେ ଭଲରେ ଶୋଇ ପାରୁନାହାନ୍ତି ରାଜଧାନୀବାସୀ। ମଶା ସେମାନଙ୍କ ନିଦ ଛଡ଼େଇ ନେ‌ଇଛନ୍ତି। ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ମଶାଙ୍କ ସାନ୍ଦ୍ରତା ୬୦ ଟପିଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ନିଘା ନାହିଁ। ମଶାଙ୍କ ଦୌରାତ୍ମ୍ୟ ହ୍ରାସ କରିବାକୁ ବିଏମ୍‌ସି କିଛି ବି ପଦକ୍ଷେପ ନେଉନାହିଁ। ‌ତେଣୁ ସହରରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ରାଜଧାନୀରେ ସ୍ଥିତି ଏପରି ହୋଇଛି ଯେ ଅପରାହ୍‌ଣ ୪ଟା ହେଉ ହେଉ ଘର ଭିତରେ ଓ ଅଗଣାରେ ସବୁଆଡ଼େ ମଶା ସାଲୁବାଲୁ ହେଉଛନ୍ତି। ମୁହଁ ପାଖରେ ଭଁ ଭଁ ହୋଇ ଉଡ଼ୁଛନ୍ତି। କେଉଁଠି ବି ଛିଡ଼ା କରାଇ ଦେଉନାହାନ୍ତି। କାମୁଡ଼ି କାମୁଡ଼ି ରକ୍ତ ଶୋଷି ନେଉଛନ୍ତି। ଏମିତିକି ମଶାରି ଭିତରେ ଶୁଆଇ ଦେଉନାହାନ୍ତି। ମଶାରି ବାହାରେ ଭଣଭଣ ହେଉଛନ୍ତି। ଟିକିଏ ଫାଙ୍କ ପାଇଲେ ମଶାରି ଭିତରେ ପଶି ରକ୍ତ ଶୋ‌ଷି ନେଉଛନ୍ତି। ବଡ଼ କଥା ହେଉଛି, ନାମୀଦାମୀ କମ୍ପାନିର ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି। ସେଗୁଡ଼ିକ ପ୍ରତି ସେମାନେ ଏତେ ଅଭ୍ୟସ୍ତ ହୋଇଯାଇଛନ୍ତି ଯେ କଏଲ୍‌ ଧୂଆଁ ବୁଲୁଥିବା ସ୍ଥାନରେ ବି ମଶାମାନେ ବୁଲୁଥିବା ଦେଖିବାକୁ ମିଳୁଛି।

ସାଧାରଣତଃ ମଶାଙ୍କ ସାନ୍ଦ୍ରତା ୪୦ (ଏକ କ୍ୟୁବିକ୍ ଫୁଟରେ)ରୁ କମ୍‌ ରହିଲେ, ମଶାଙ୍କ ଦୌରାତ୍ମ୍ୟ ଅଧିକ ଅନୁଭୂତ ହୁଏନାହିଁ। କିନ୍ତୁ ଏବେ ସବୁଠି ସାନ୍ଦ୍ରତା ୬୦ ଟପିଲାଣି। ଏକଥା ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ ପରୋକ୍ଷରେ ସ୍ବୀକାର କରୁଛନ୍ତି। ଏହା ପରେ ବି ନିୟମ ଆଳ ଦେଖାଇ ଚୁପ୍ ବସି ଯାଇଛନ୍ତି। ବିଏମ୍‌ସିର ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ସେହି ଚିରାଚରିତ ଉତ୍ତର ‘ଆମେ ମଶା ମରା ଅଭିଯାନ ଜାରି ରଖିଛୁ। ଟିଫା ମେସିନ୍ ବୁଲାଉଛୁ।’ ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ମିଶ୍ର କହିଛନ୍ତି ଯେ ଏବେ ଦୁଇଟି ଗାଡ଼ିରେ ଏବଂ ଦୁଇଟି ହାତ ମେସିନ୍‌ରେ ଧୂଆଁ ସ୍ପ୍ରେ କରାଯାଉଛି। ଏହା ଦ୍ବାରା ବଡ଼ ମଶାଗୁଡ଼ିକ ମରିଯିବେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ମିଛ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଟିଫା ମେସିନ୍ ବୁଲୁଥିବା କଥାକୁ ରାଜଧାନୀର ବହୁ ଅଞ୍ଚଳରେ ଲୋକେ ଦେଖିନଥିବା ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ବର୍ଷା ଋତୁ ପରେ ବିଏମ୍‌ସି ପକ୍ଷରୁ ମଶା ଲାର୍ଭାଗୁଡ଼ିକୁ ମାରିବା ପାଇଁ ଟେମେଫସ୍‌ ଏବଂ ଏମ୍‌ଏଲ୍‌ ତେଲ ସ୍ପ୍ରେ କରାଯିବା କଥା। ଏହାବାଦ୍‌ ବିଭିନ୍ନ ନାଳ ଓ ପୋଖରୀରେ ମଶା ଡିମ୍ବ ଖାଇବା ପାଇଁ ମାଛ ଛାଡ଼ିବା କଥା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏହା ଠିକ୍‌ ଭାବେ ହୋଇପାରୁନି। ଡିମ୍ବ ଅବସ୍ଥାରେ ନମାରିବାରୁ ଏବେ ମଶା ବଡ଼ ହୋ‌ଇ ଚାରିଆଡ଼େ ଲୋକଙ୍କ ରକ୍ତ ଶୋଷୁଛନ୍ତି। ଫଳରେ ମଶା କାମୁଡ଼ା ଲାଗି ରାଜଧାନୀରେ ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି। କରୋନା ସମୟରେ ଏହି ସବୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କେବଳ କରୋନା ମୁକାବିଲାରେ ମାତି ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥାକୁ ଭୁଲି ଯାଇଛନ୍ତି।

ରାଜଧାନୀରେ ଏବେ ମୁଖ୍ୟତଃ କପିଳପ୍ରସାଦ, ସୁନ୍ଦରପଦା, କପିଳେଶ୍ୱର, ପୋଖରୀପୁଟ, ସାମନ୍ତରାପୁର, ନୂଆଗାଁ, ବଡ଼ଗଡ଼, ଲକ୍ଷ୍ମୀସାଗର, ବାଣୀବିହାର, ପଳାଶୁଣି, ଝାରପଡ଼ା, ବମିଖାଲ, ଜଗନ୍ନାଥ ନଗର, ଜାଗମରା ଆଦି ଅଞ୍ଚଳର ସନ୍ତସନ୍ତିଆ ସ୍ଥାନରେ ମଶାଙ୍କ ଉତ୍ପାତ ଅସହ୍ୟ ହେଲାଣି। ଏଠାରେ ଥିବା ବିଭିନ୍ନ ପୁଷ୍କରିଣୀଗୁଡ଼ିକରେ ସ୍ଥିର ପାଣି ରହୁଥିବାରୁ ମଶା ବଂଶ ବୃଦ୍ଧିକୁ ସୁହାଉଛି। ପୂର୍ବରୁ ବିଏମ୍‌ସି ପକ୍ଷରୁ ଏଠାରେ ଏମଏଲ୍‌ ତେଲ ପକାଯାଉଥିବାବେଳେ ଏବେ ପକାଯାଉନାହିଁ। ମଶା ବଂଶ ବୃଦ୍ଧି ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଜରି ଅଖାରେ ଚୋକଡ଼ରେ ମଶାନାଶକ ତେଲ ମିଶାଇ ପୋଖରୀ ମଝିକୁ ପକାଯାଏ ।

ଏହାଦ୍ବାରା ମଶାଗୁଡ଼ିକ ଡିମ୍ବ ଅବସ୍ଥାରେ ମରିଯାଆନ୍ତି। କିନ୍ତୁ ତାହା ହେଉ ନ ଥିବାରୁ ମଶା ଜନ୍ମ ନେବା ସହ ବଡ଼ ହୋଇ ଚାରିଆଡ଼େ ଖେଦି ଯାଇଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ବିଏମ୍‌ସିର ଯେଉଁ ଅଧିକାରୀ ମଶାଙ୍କ ସାନ୍ଦ୍ରତା ସର୍ଭେ କରୁଥିଲେ, ତାଙ୍କର ପଦୋନ୍ନତି ହୋଇଛି। ତାଙ୍କ ପରେ କେହି ଏ କାମ କରୁନାହାନ୍ତି। ତେଣୁ ନିୟମିତ ଢଙ୍ଗରେ ଯେଉଁଭଳି ପଦକ୍ଷେପ ନିଆଯିବା କଥା ନିଆଯାଇପାରୁନାହିଁ। ଡିସେମ୍ବର ମାସରୁ ରାଜଧାନୀରେ ଦିନକୁ ଦୁଇଟି ୱାର୍ଡ ଟାର୍ଗେଟ୍‌ କରି ଟିଫା ମେସିନ୍ ବୁଲାଯାଏ। ଫଳରେ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ପୂରା ରାଜଧାନୀରେ ମଶାମରା ଅଭିଯାନ ଶେଷ ହୁଏ। ଏହା ବାଦ୍ ଗଳିକନ୍ଦିରେ ଥିବା ଛୋଟ ଡ୍ରେନ୍‌ ସଫା କରିବା, ପାଇଖାନା ଟାଙ୍କି, ପାଣି ଜମୁଥିବା ସ୍ଥାନରେ ଏମ୍‌ଏଲ୍‌ ତେଲ ଓ ଔଷଧ ସ୍ପ୍ରେ କରାଯାଏ। ନିୟମିତ ବ୍ୟବଧାନରେ ଟିଫା ମେସିନ୍‌ ବୁଲିଲେ ମଶାମାନେ ମରିଯାଆନ୍ତେ। ତେଣୁ ପ୍ରତି ୱାର୍ଡ ପାଇଁ ୪ରୁ ୫ଜଣ ରହିଲେ ସବୁ କାମ ଠିକ୍ ସମୟରେ ହୋଇପାରନ୍ତା। କିନ୍ତୁ ଏବେ ୱାର୍ଡ ପିଛା ଦୁଇ ଜଣ କର୍ମଚାରୀ ଥିବାରୁ ଏହା ନିୟମିତ ହୋଇପାରୁନି। ଯେଉଁ କର୍ମଚାରୀ ଅବସର ନେଉଛନ୍ତି ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀ ନିଯୁକ୍ତି ଦିଆଯାଉନି। ଫଳରେ କମ୍‌ ଲୋକଙ୍କୁ ନେଇ କାମ କରାଯାଉଥିବାରୁ ବିଳମ୍ବ ହେଉଛି। କିନ୍ତୁ କାମ ହେଉଛି। ତେବେ ଉକ୍ତ ଅଧିକାରୀ ସିନା ସଫେଇ ଦେଇ ବସିଗଲେ, ରାଜଧାନୀବାସୀଙ୍କ ମଶା ଯନ୍ତ୍ରଣା କେବେ କମିବ, ତାହା କହିଲେ ନାହିଁ।

ସମ୍ବନ୍ଧିତ ଖବର