ଭୁବନେଶ୍ବର: ରାଜଧାନୀରେ ମଶା ସାନ୍ଦ୍ରତା ୬୦କୁ ଖସି ଆସିଛି। ୨ ମାସର ବ୍ୟବଧାନ ପରେ ହାରାହାରି ସାନ୍ଦ୍ରତା ୮୦ରୁ ଖସି ଆସିଥିବା ସ୍ପଷ୍ଟ ହୋଇଛି। ତେବେ ଏବେ ବି ମଶାଙ୍କ ସାନ୍ଦ୍ରତା ନିମ୍ନସ୍ତରକୁ ଆସି ନାହିଁ। ଏହା ୫୦ ତଳକୁ ଖସିବା ଲାଗି ଆହୁରି କିଛି ଦିନ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଫାଇଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଏଫ୍‌ସିପି) ଅନୁସାରେ ୧୦ ମ୍ୟାନ୍ ଆୱାରରେ ମଶାଙ୍କ ସାନ୍ଦ୍ରତା ୫୦ କିମ୍ବା ଏହାର ତଳେ ରହିଲେ ମଶା ନିୟନ୍ତ୍ରଣରେ ରହିଥିବା ବିଚାର କରାଯାଇଥାଏ। ୫୦ରୁ ଅଧିକ ୬୫ରୁ କମ୍ ସାନ୍ଦ୍ରତା ରହିଲେ ଏହା ମଧ୍ୟମ ଓ ଏହା ଉପରେ ରହିଲେ ଉଚ୍ଚ ବୋଲି ବିଚାର କରାଯାଏ। ଗତ ନଭେମ୍ବର ମାସରେ ରାଜଧାନୀରେ ମଶାଙ୍କ ହାରହାରି ସାନ୍ଦ୍ରତା ୮୦ ଛୁଇଁଥିଲା। ଘରେ କିମ୍ବା ବାହାରେ ମଶା ରଖେଇ ଦେଇ ନଥିଲେ। ସ୍ଥିତି ଅଣାୟତ୍ତ ହେବା ପରେ ବିଏମ୍‌ସିର ନିଦ ଭାଙ୍ଗିଥିଲା। ମଶାମରା ଅଭିଯାନ ଆରମ୍ଭ ହୋଇଥିଲା। ‌ଡ୍ରୋନ୍ ସାହାଯ୍ୟରେ ମଶାଙ୍କୁ ମାରିବା ଲାଗି ଔଷଧ ସିଞ୍ଚନ ହୋଇଥିଲା। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ମଶାଙ୍କ କେତେ ସାନ୍ଦ୍ରତା ରହିଛି, ସେ ସଂପର୍କରେ ଜଣାଇବାକୁ କୁହାଯାଇଥିଲା। ରାଜଧାନୀର ଏକାଧିକ ୱାର୍ଡରେ ମଶାଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସାନ୍ଦ୍ରତା ପ୍ରାୟ ୬୦ ରହିଥିବା ନଜରକୁ ଆସିଛି।

Advertisment

ବିଏମ୍‌ସିର ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବ‌ିଷୋୟୀ କହିଛନ୍ତି, ମଶାଙ୍କ ସାନ୍ଦ୍ରତା ଏବେ ୬୦କୁ ଖସି ଆସିଛି, ଯାହାକି ଗ୍ରହଣୀୟ। ତେବେ ଏହାକୁ ଆହୁରି ହ୍ରାସ କରିବା ପାଇଁ ଉଦ୍ୟମ ଜାରି ରହିଛି। ସାନ୍ଦ୍ରତା ହ୍ରାସ ପାଇଥିବାରୁ ଡ୍ରୋନ୍ ଜରିଆରେ ଔଷଧ ସିଞ୍ଚନଙ୍କୁ ବନ୍ଦ ରଖାଯାଇଛି। ପ୍ରବଳ ଥଣ୍ଡା କାରଣରୁ ମଶାଙ୍କ ସଂଖ୍ୟା ହ୍ରାସ ପାଇବା ଦାବି ଯୁକ୍ତିଯୁକ୍ତ ନୁହେଁ। ମଶାଙ୍କ ସାନ୍ଦ୍ରତା ହ୍ରାସ ପାଇଁ ଏବେ ଯେଉଁସବୁ ପଦକ୍ଷେପ ନିଆଯାଉଛି, ତାହା ଆଗକୁ ମଧ୍ୟ ଜାରି ରହିବ ବୋଲି ଡା. ବିଷୋୟୀ କହିଛନ୍ତି।