ଭୁବନେଶ୍ବର : ରାଜଧାନୀରେ ମଶା ଉତ୍ପାତକୁ ନେଇ ତନାଘନା ଚାଲିଥିବା ବେଳେ ଆଜି ନୂଆ ତଥ୍ୟ ପଦାକୁ ଆସିଛି। କୋଭିଡ୍‌ ସମୟରେ ବିଏମ୍‌ସିର ମଶାମରା ଅଭିଯାନରେ ତାଲା ପଡ଼ିବା, ନାଳ ନର୍ଦ୍ଦମାରେ ମଶାମରା ତେଲ ପକା ନଯିବା, ଡ୍ରେନ୍‌ ସଫା ନ ହେବା, ଘାସବୁଦା କଟା ନ ଯିବା ଆଦି ମଶା ବୃଦ୍ଧିର କାରଣ ବୋଲି ଜଣାପଡ଼ିଛି। ସେତେବେଳେ ବିଏମ୍‌ସି ସହରରେ ସାନିଟାଇଜର୍‌ ଛିଞ୍ଚିବା ପାଇଁ ସବୁ ସ୍ପ୍ରେୟର୍‌କୁ ବ୍ୟବହାର କରିଥିଲା। କିନ୍ତୁ ପରେ ତାହା ଖରାପ ହୋଇଯାଇଥିଲେ ହେଁ ଆଉ ନୂଆ କିଣା ଯାଇନଥିଲା।

Advertisment

ଦୀର୍ଘ ୨ ବର୍ଷ ଧରି ବିଏମ୍‌ସିର ଏହି ଅବହେଳା ଯୋଗୁଁ ଏବେ ଭୁବନେଶ୍ବରବାସୀ କଲବଲ ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବିଏମ୍‌ସିକୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ସ୍ଥିତିରେ ବିଏମ୍‌ସି ଆଜି ଡ୍ରୋନ୍‌ ଉଡ଼ାଇ ମଶା ଉତ୍ସ ଖୋଜିବା ଆରମ୍ଭ କରିଛି। ଦୁଇ ଦିନ ସର୍ଭେ ହୋଇ ମଶାଙ୍କ ଉତ୍ପତ୍ତି ସ୍ଥଳ ଖୋଜାଯିବା ପରେ ସେହି ଜାଗାରେ ୫ଦିନ ଧରି ଔଷଧ ସ୍ପ୍ରେ’ କରାଯିବ। ଏହା ସଫଳ ହେଲେ ପୂରା ୬୭ଟି ୱାର୍ଡରେ ଏଭଳି ଡ୍ରୋନ୍‌ ସର୍ଭେ ସହ ଔଷଧ ସିଞ୍ଚନ ହେବ ବୋଲି କୁହାଯାଇଛି। ତେବେ ଡ୍ରୋନ୍‌ ଯୋଜନା ସଫଳତାକୁୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।