ରାଜଧାନୀରେ ମାତିଲେଣି ମଶା; ବିଏମ୍‌ସି ପଦକ୍ଷେପକୁ ମାନୁନାହାନ୍ତି

ମଶାଙ୍କ ସାନ୍ଦ୍ରତା ସର୍ଭେ ହେଉନି, ଟିଫା ମେସିନ୍‌ ବୁଲୁଛି, ତେଲ ବି ସ୍ପ୍ରେ’ ହେଉଛି

ଭୁବନେଶ୍ବର : ଚିଡ଼ିଆଖାନାରେ ଲୋକମାନେ ଖୁଆଡ଼ ପାଖରେ ଛିଡ଼ା ହୋଇ ଯେମିତି ପାଟି କରି ବାଘକୁ ଦେଖନ୍ତି ଏବେ ସେମିତି ମଶାମାନେ ମଶାରି ବାହାରେ ଭଁ ଭଁ ହୋଇ ଲୋକଙ୍କୁ ଦେଖୁଛନ୍ତି। ଚିଡ଼ିଆଖାନାରେ ଲୋକ ଖୁଆଡ଼ ଭିତରକୁ ପଶିବାକୁ ଚାହାନ୍ତିନି, କିନ୍ତୁ ମଶାରି ବାହାରେ ଥିବା‌ ମଶା କେମିତି ଭିତରକୁ ପଶିବ ସେ ବାଟ ଖୋଜୁଛନ୍ତି। ରାଜଧାନୀରେ ମଶାଙ୍କ ଆତଙ୍କ ଏପରି ବଢ଼ିଯାଇଛି ଯେ ଲୋକ କଲବଲ ହୋଇଗଲେଣି।

ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ। ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି। ମୁହଁ ପାଖରେ ଭଁ ଭଁ ହୋଇ ଉଡ଼ୁଛନ୍ତି। ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ମଶାଙ୍କ ଆତଙ୍କରୁ ରକ୍ଷା ପାଉଛନ୍ତି। ମଶାରି ଭିତରେ ଶୋଇଲେ ବି ମଶାରି ବାହାରେ ମଶା ଭଣଭଣ ହେଉଛନ୍ତି। ଟିକିଏ ଫାଙ୍କ ପାଇଲେ ଯେମିତି କାମୁଡ଼ି ପକାଇବେ। ଏମିତି ମାତିଛନ୍ତି ଯେ ନାମୀ କମ୍ପାନିଙ୍କ ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି। ସବୁ ଜାଗାରେ ମଶାଙ୍କ ସାନ୍ଦ୍ରତା ୬୦ ଟପିଲାଣି। ମଶା ବଢ଼ୁଛନ୍ତି ଆଉ ତାହା ସହ ଡେଙ୍ଗୁ, ମ୍ୟାଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟା ବି ବଢ଼ୁଛି। ହେଲେ ବିଏମ୍‌ସି କହୁଛି ରାଜଧାନୀରେ ଏବେ ମଶା ସ୍ଥିତି ସେହିଭଳି ସଙ୍ଗିନ୍‌ ହୋଇନି। ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗରେ ରାଜଧାନୀରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କି ବିଏମ୍‌ସିର ନିଘା ନାହିଁ। ଯଦି କେଉଁ ଅଞ୍ଚଳରେ ଏସବୁ ରୋଗ ବ୍ୟାପୁଛି, ତେବେ ଯାଇ ବିଏମ୍‌ସି ପ୍ରତିକାର ବ୍ୟବସ୍ଥା ଆରମ୍ଭ କରୁଛି। ନହେଲେ ମଶାଙ୍କ ଦୌରାତ୍ମ୍ୟ ବଢ଼ୁ କି ଲୋକ ମରନ୍ତୁ, ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ନାହିଁ। ବର୍ଷା ଋତୁ ପରେ ମଶାଙ୍କ ବଂଶବୃଦ୍ଧି ହୋଇଥିବା ବେଳେ ଏବେ ଚାରିଆଡ଼େ ମଶା ଭଁ ଭଁ ଶବ୍ଦ କରି ଉଡ଼ୁଛନ୍ତି। ଆଉ ମଶା ନିପାତ କରିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି, ଆମେ ଆମ କାମ କରୁଛୁ।

ସାଧାରଣତଃ ମଶାଙ୍କ ସାନ୍ଦ୍ରତା ୪୦ (ଏକ କ୍ୟୁବିକ୍ ଫୁଟରେ) ଭିତରେ ରହିଲେ ଲୋକ ମଶା କାମୁଡ଼ିବା ବିଶେଷ ଅନୁଭବ କରିବେନି। କିନ୍ତୁ ଏବେ ସବୁଠି ସାନ୍ଦ୍ରତା ୬୦ ଟପିଲାଣି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସ୍ବୀକାର କରିବା ପରେ ବି ନିୟମ ଆଳ ଦେଖାଇ ଚୁପ୍ ବସି ଯାଇଛନ୍ତି। ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ମିଶ୍ର କହିଛନ୍ତି, ଆମେ ଗୋଟେ ରାଉଣ୍ଡ ଟିଫା ମେସିନ୍ ବୁଲାଇ ସାରିଲୁଣି। ଡିସେମ୍ବର ୧ରୁ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଟିଫା ମେସିନ୍ ବୁଲୁଛି। ଥରେ ଟିଫା ମେସିନ୍ ବୁଲାଇଲେ ୩୦/୩୨ ଦିନରେ ପୂରା ବିଏମ୍‌ସି ଅଞ୍ଚଳକୁ ଆମେ କଭର୍‌ କରିପାରୁଛୁ। ମଶା ବଂଶ ବଢ଼ିବାକୁ ନଦେବା ଏବଂ ଲାର୍ଭା ସମୟରେ ହିଁ ମାରିଦେବା ବିଏମ୍‌ସିର କାର୍ଯ୍ୟ ହୋଇଥିଲେ ହେଁ ତାହା କେତେବେଳେ ହେଉଛି, ତାହା କେହି ଜାଣିପାରୁନାହାନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ଆମେ ସବୁ ନିୟମିତ କରୁଛୁ। ନିୟମ ଅନୁଯାୟୀ, କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି, ତାହା ପ୍ରତି ସପ୍ତାହରେ ବିଏମ୍‌ସି ପକ୍ଷରୁ ସର୍ଭେ ହେବ। ଯଦି କେଉଁଠି ବି ମଶା ବଢ଼ିଥିବେ‌, ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ। ହେଲେ ବିଏମ୍‌ସିର ଏହି ସର୍ଭେ କରିବାକୁ କେହି ଅଧିକାରୀ ନାହାନ୍ତି।

ବିଏମ୍‌ସି ନଗର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ମଶାଙ୍କ ସାନ୍ଦ୍ରତା ମାପିବା କାମ ଆମର ନୁହେଁ। ଏନ୍‌ଭିବିଡିସିପି ମଶାଙ୍କ ସାନ୍ଧ୍ରତା ମାପିକି ଆମକୁ କହିଲେ ଆମେ ପଦକ୍ଷେପ ନେବୁ। ହେଲେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଏନ୍‌ଭିବିଡିସିପି କର୍ତ୍ତୃପକ୍ଷ କହିଛନ୍ତି କେଉଁ ଅଞ୍ଚଳରେ କେମିତି ମଶା ବଢ଼ୁଛନ୍ତି, କେତେ ଅଛନ୍ତି, ତାହା ମାପିବା କାମ ବିଏମ୍‌ସିର। ସେମାନେ ନିଜ କାମ ନକରି ଆମ ଉପରକୁ ଠେଲୁଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଅଧିକାରୀଜଣଙ୍କ କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି ସର୍ଭେ କରୁଥିଲେ ଏବେ ତାଙ୍କର ପଦୋନ୍ନତି ହୋଇଛି। ତେଣୁ ସେ ଆଉ ସର୍ଭେ କରିବାକୁ ଯାଉନାହାନ୍ତି। ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଅଧିକ ମଶା ହେଉଥିବାରୁ ଏହି ସମୟରେ ଟିଫା ମେସିନ୍ ବୁଲାଇଛୁ। ଏହାବାଦ୍ ଗଳି କନ୍ଦିରେ ଥିବା ଛୋଟ ଡ୍ରେନ୍‌ ସଫା କରିବା, ପାଇଖାନା ଟାଙ୍କି, ପାଣି ଜମୁଥିବା ସ୍ଥାନରେ ଏହି ତେଲ ଓ ଔଷଧ ସ୍ପ୍ରେ’ ହେଉଛି। ପ୍ରତି ତିନି ମାସରେ ସମସ୍ତ ମୁଖ୍ୟ ଡ୍ରେନ୍‌ଗୁଡ଼ିକ ସଫେଇ ହେଉଛି। ଯେଉଁ ମଶା ବଢ଼ୁଛନ୍ତି, ସେଗୁଡ଼ିକ ଟିଫା ମେସିନ୍‌ ବୁଲିବା ପରେ ମରୁଛନ୍ତି। ପ୍ରତି ୱାର୍ଡ ପାଇଁ ୪ରୁ ୫ଜଣ ରହିଲେ ସବୁ କାମ ଠିକ୍ ସମୟରେ ହୋଇପାରନ୍ତା। କିନ୍ତୁ ଏବେ ୱାର୍ଡ ପିଛା ଦୁଇରୁ ତିନିଜଣ କର୍ମଚାରୀ ଥିବାରୁ ଏହା ନିୟମିତ ହୋଇପାରୁନି। କର୍ତ୍ତୃପକ୍ଷ ଦୁଇ ସପ୍ତାହରେ ଥରେ ଟେମେଫସ୍‌ ଏବ˚ ଏମ୍‌.ଏଲ୍‌ ତେଲ ସ୍ପ୍ରେ’ କରୁଛନ୍ତି, ଡ୍ରେନ୍‌ ସଫା କରୁଛନ୍ତି ବୋଲି କହୁଛନ୍ତି। ହେଲେ ରାଜଧାନୀବାସୀ ଏହାକୁ କେମିତି ଦେଖି ପାରୁନାହାନ୍ତି। ଯଦି କର୍ମଚାରୀ ଠକୁଛନ୍ତି, ତାହାକୁ ଯାଞ୍ଚ କରିବାକୁ ବି ବିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି। ଫଳରେ ମଶା ମରା ନାଁରେ ବର୍ଷକୁ କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି ବୋଲି ରାଜଧାନୀବାସୀ ଅଭିଯୋଗ କଲେଣି।

ସମ୍ବନ୍ଧିତ ଖବର