ଭୁବନେଶ୍ୱର: ବଡ଼ଗଡ଼ ଗାଁ ସମେତ ବ୍ରିଟ୍ କଲୋନି, ଝରଣା ସାହି, ମେଘେଶ୍ୱର କଲୋନି, ଇଏ କଲୋନି, ବ୍ରହ୍ମେଶ୍ବର ପାଟଣା ଆଦି ଅଞ୍ଚଳରେ ମଶା ଆତଙ୍କ ଲୋକଙ୍କୁ କଲବଲ କଲାଣି। ସନ୍ଧ୍ୟା ହେଉ ନ ହେଉଣୁ ଘରେ ଘରେ କବାଟ ଝରକା ବନ୍ଦ ହୋଇଯାଉଛି। ସନ୍ଧ୍ୟା ହେଲେ ଲୋକେ ବାହାରେ ଠିଆ ହୋଇପାରୁ ନାହାନ୍ତି। ତେଣୁ ଲୋକେ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ସୂଚନାନୁସାରେ, ଦୟା ପଶ୍ଚିମ କେନାଲ ଓ ଗଙ୍ଗୁଆ ନାଳ ପାଇଁ ସେମାନଙ୍କର ଏଭଳି ଅବସ୍ଥା। ଦୀର୍ଘ ଦିନ ହେବ ଏହି ଦୁଇ ନାଳକୁ ସଫା କରାଯାଉ ନଥିବାରୁ ମଶାମାନଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ତେଣୁ ମଶାମାନଙ୍କ ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ଡେଙ୍ଗୁ, ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି।
ପ୍ରତି ସପ୍ତାହରେ ଏହି ଅଞ୍ଚଳରୁ ୨/୩ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମାତ୍ର ଏନେଇ ବିଏମ୍ସିରେ ବାରମ୍ବାର ଅଭିଯୋଗ ହେବା ପରେ ବି ଏବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଯୁବକ ସଂଘ ସମ୍ପାଦକ ସଂଗ୍ରାମ ମାର୍ଥା କହିଛନ୍ତି ଯେ ଗାଁରେ ମଶା ଧୂଆଁ ଛଡ଼ା ଯାଉନାହିଁ। ସେହିଭଳି ଗାଁ ମଧ୍ୟରେ ଥିବା ପରିତ୍ୟକ୍ତ ଜଳାଶୟଗୁଡ଼ିକ ମଧ୍ୟ ମଶା ବଂଶବୃଦ୍ଧିର କାରଣ ପାଲଟିଛି। ନୂଆସାହି ପୋଖରୀ, ଟୁବି ଗାଡ଼ିଆ, ଗୋପାଳୁଣୀ ଗାଡ଼ିଆ ପ୍ରଭୃତି ଜଳାଶୟଗୁଡ଼ିକ ସଫା କରାଯାଉନାହିଁ। ଜଳାଶୟଗୁଡ଼ିକ ଦଳରେ ଭର୍ତ୍ତି ହୋଇଯାଇଛି। ଫଳରେ ଏହି ଜଳାଶୟଗୁଡ଼ିକ ମଶାର ଉତ୍ପତ୍ତିସ୍ଥଳ ହୋଇଗଲାଣି। ଏ ବାବଦରେ ୪୪ନଂ ୱାର୍ଡ କର୍ପୋରେଟର୍ ଅଜିତ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଖୁବ୍ଶୀଘ୍ର ମଶା ତେଲ, ମଶା ଧୂଆଁ ବ୍ୟବହାର କରାଯିବ ବୋଲି ପଦକ୍ଷେପ ନିଆଯାଇଛି।