ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲେଣି ମଶାବଂଶ। ଦିନରାତି ୨୪ ଘଣ୍ଟା ଲୋକେ ମଶା କାମୁଡ଼ାରେ ତ୍ରାହିତ୍ରାହି ଡାକ ଦେଉଛନ୍ତି। ରାସ୍ତାଘାଟରେ ଛିଡ଼ା ହେବା ତ’ ଦୂରର କଥା ଘରେ ବି ରହିବା କଷ୍ଟକର ହେଲାଣି। ଖୋଲାମେଲା ନାଳନର୍ଦ୍ଦମା ଯୋଗୁ ମଶାବଂଶ ବଢ଼ିଚାଲିଛି। ତଥାପି ମଶାମରା ଅଭିଯାନକୁ ବ୍ୟାପକ କରାଯାଉନି। ଫଳସ୍ବରୂପ ପ୍ରତି ମୁହୂର୍ତ୍ତରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ଭୟ ଲୋକଙ୍କୁ ଗୋଡ଼ାଉଛି। କିଛିବର୍ଷ ହେଲାଣି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ଡେଙ୍ଗୁ ମହାମାରୀ ରୂପ ନେଇଥିବାବେଳେ ଚଳିତବର୍ଷ ପୁଣି ଡେଙ୍ଗୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି।
ବଡ଼କଥା ହେଉଛି, ଖରାଦିନ କାରଣରୁ ବର୍ତ୍ତମାନ ଟିଫା ମେସିନ୍ ଧୂଆଁ ଛାଡ଼ିବାରେ କଟକଣା ଲଗାଯାଇଛି। ଖରାଦିନ ଏହି ଧୂଆଁ ଲୋକଙ୍କ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଥିବାରୁ ଓ କଟକଣା ଲଗାଇଥିବାରୁ ମଶାବଂଶ ଲୋକ ପାଇଁ ବିଏମ୍ସି ମଶାମରା ତେଲ ଉପରେ ନିର୍ଭର କରୁଛି। ନାଳମାନଙ୍କରେ ମଶାବଂଶର ବିସ୍ତାର ରୋକିବାକୁ ଟେମେଫସ୍ ଓ ଏମ୍ଏଲ୍ ତେଲ ସ୍ପ୍ରେ କରାଯାଇଥାଏ। କିନ୍ତୁ ମଶାମରା ତେଲ ଯେଉଁ ପରିମାଣରେ ନାଳରେ ସିଞ୍ଚନ ହେବା କଥା ସେହି ପରିମାଣରେ ସିଞ୍ଚନ କରାଯାଉନଥିବାରୁ ମଶାବଂଶ ଏହାକୁ ମାନୁନଥିବା ଓ ମଶା ହାଉଜାଉ ହେଉଥିବା ଅଭିଯୋଗ ହୋଇଛି।
ମଶା ତେଲରେ ଖର୍ଚ୍ଚ ୧.୧୬ କୋଟି ରାଜ୍ୟରେ ସର୍ବାଧିକ
ମଶା ତେଲ ସିଞ୍ଚନରେ ବିଏମ୍ସିରେ ମାର୍ଚ୍ଚ ସୁଦ୍ଧା ୧.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସାରା ରାଜ୍ୟର ଜିଲ୍ଲା, ପୌରାଞ୍ଚଳ ଓ ମହାନଗର ନିଗମର ହିସାବ ଦେଖିଲେ, ମଶା ତେଲ ସିଞ୍ଚନରେ ସର୍ବାଧିକ ଖର୍ଚ୍ଚ ବିଏମ୍ସିରେ କରାଯାଇଛି। ଖୋର୍ଦ୍ଧ ଜିଲ୍ଲା ସମୁଦାୟ ଖର୍ଚ୍ଚ ଦେଖିଲେ, ଭୁବନେଶ୍ବର ମହାନଗର ନିଗମରେ ୨୦୨୪ ରୁନ୍ରୁ ୨୦୨୫ ମସିହା ମାର୍ଚ୍ଚ ମାସ ସୁଦ୍ଧା ସର୍ବାଧିକ ୧କୋଟି ୧୬ଲକ୍ଷ ୮୮ହଜାର ୧୨୬ ଟଙ୍କା, ଜଟଣୀ ପୌରାଞ୍ଚଳରେ ୨୪ଲକ୍ଷ ୭୦ହଜାର ୨୫ ଟଙ୍କା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧ଲକ୍ଷ ୮୦୦ ଟଙ୍କା(ତୃତୀୟ ସର୍ବାଧିକ ଖର୍ଚ୍ଚ), ଖୋର୍ଦ୍ଧା ପୌରପାଳିକାରେ ୭୫ହଜାର ଟଙ୍କା ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬ହଜାର ୧୩୬ ଟଙ୍କା ଖର୍ଚ୍ଚ କରାଯାଇଛି।
ବିଏମ୍ସିରେ ୬୭ଟି ୱାର୍ଡ ଥିବାବେଳେ ଜନସଂଖ୍ୟା ୧୩ ଲକ୍ଷରୁ ଅଧିକ। ଦିନକୁ ଦିନ ବିଏମ୍ସିର କାୟା ବଢ଼ିବା ସହ ଜନସଂଖ୍ୟା ବି ବଢ଼ିବାରେ ଲାଗିଛି। କିନ୍ତୁ ଜନସଂଖ୍ୟା ଅନୁସାରେ ମଶାମରା ଅଭିଯାନକୁ ବ୍ୟାପକ କରାଯାଉନି ବୋଲି ଅଭିଯୋଗ ହେଉଛି। ଗତବର୍ଷ ବର୍ଷା ପରଠାରୁ ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ୱାର୍ଡରେ ନିୟମିତ ମଶା ମରା ତେଲ ପକାଯାଉନି କି ଟିଫା ମେସିନ୍ରେ ମଶାମରା ଧୂଆଁ ଛଡ଼ାଯାଉନି। ଫଳରେ ନାଳନର୍ଦ୍ଦମା, ଆବର୍ଜନାରେ ମଶାବଂଶ ବୃଦ୍ଧି ହେବାରେ ଲାଗିଛି। ବିଶେଷତଃ, ଅତି ଶୀତ କିମ୍ବା ଅତି ଖରା ହେଲେ ସେତେଟା ମଶା ହୁଅନ୍ତିନି। ବର୍ଷା ପରେ ପରେ ଏମାନେ ଅଣ୍ଡା ଦେବା ଆରମ୍ଭ କରି ଦେଇଥାନ୍ତି। ଖରାରେ ବି ମଶା ହାଉଜାଉ ହେଉଥିବାବେଳେ ଆଗକୁ ବର୍ଷା ଦିନ ଥିବାରୁ ଏବେଠୁ ମଶା ମରା ଅଭିଯାନକୁ ବ୍ୟାପକ କରାନଗଲେ, ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ସହରବାସୀ ମତ ଦେଇଛନ୍ତି।
ଗତବର୍ଷ ଭୁବନେଶ୍ବରରେ ପ୍ରାୟ ୨୫୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଲୋକେ ଭୁବନେଶ୍ବର ଆସିବାକୁ ଡରୁଥିଲେ। ଆସିଲେ ଡେଙ୍ଗୁ ରୋଗ ନେଇ ଫେରୁଥିଲେ। ସ୍ବାସ୍ଥ୍ୟବିଭାଗ ପାଇଁ ଏହା ମୁଣ୍ଡବଥାର କାରଣ ପାଲଟିଥିଲା। ବିଏମ୍ସି ବରିଷ୍ଠ ପରିମଳ ନିରୀକ୍ଷକ ସ୍ମୃତିରଂଜନ ବଳ କହିଛନ୍ତି, ବର୍ତ୍ତମାନ ଆମ ପାଖରେ ୫୦ ଟିଫା ମେସିନ୍ ରହିଛି। ଏଥିରୁ ୨୦ଟି ଅଟୋମାଉଣ୍ଟେଡ୍ ଓ ୩୦ଟି ପୋର୍ଟେବଲ୍। କିନ୍ତୁ ଖରାଦିନରେ ଟିଫା ଧୂଆଁ ଛାଡ଼ିବାରେ କଟକଣା ରହିଥିବାରୁ ଏହା ସ୍ପ୍ରେ କରାଯାଉନି। କିନ୍ତୁ ନିୟମିତ ପ୍ରତି ୱାର୍ଡରେ ମଶାମରା ତେଲ ନାଳରେ ସିଞ୍ଚନ କରାଯାଉଛି। ମଶା ବି ଏବେ କମ୍ ଅଛନ୍ତି। ବାକି ଶତପ୍ରତିଶତ ମଶା ମାରିବା ସମ୍ଭବପର ନୁହେଁ ବୋଲି ଶ୍ରୀ ବଳ କହିଛନ୍ତି। ବରିଷ୍ଠ ଡାକ୍ତର ଲଲାଟେନ୍ଦୁ ନାୟକ କହିଛନ୍ତି, ଡେଙ୍ଗୁମଶା ନାଳରେ ନୁହେଁ ବରଂ ଷଢ଼େଇ, ଭଙ୍ଗା କାଚବୋତଲ, ପଇଡ଼ ଖୋଳପା, ଭୋଗକୁଡ଼ୁଆ, ଟାୟାରରେ ଜମୁଥିବା ପାଣିରେ ବଂଶ ବିସ୍ତାର କରନ୍ତି। ତେଣୁ ଏସବୁ ଘର ପାଖରେ ନ ରହିଲେ ଡେଙ୍ଗୁମଶାଙ୍କ ବଂଶ ବଢ଼ିପାରିବ ନାହିଁ। ଅନ୍ୟ ମଶାମାନେ ନାଳ, ଆବର୍ଜନା ପାଣିରେ ବଂଶ ବଢ଼ାଇ ପାରିବେ।