ଜଟଣୀ: ଜଟଣୀ ସହରର ଅଧିକାଂଶ ଡ୍ରେନ୍ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ଫଳରେ ସହରରେ ଅସ୍ବାସ୍ଥ୍ୟକର ପରିବେଶ ଉପୁଜିବା ସହ ଅନେକ ଜାଗାରେ ରାସ୍ତା ଉପରେ ଡ୍ରେନ୍ ପାଣି ଚାଲୁଛି। ବର୍ଷାଋତୁ ପୂର୍ବରୁ ସହରର ମୁଖ୍ୟ ଡ୍ରେନ୍ ସମେତ ବିଭିନ୍ନ ୱାର୍ଡରେ ଆବର୍ଜନା ଭର୍ତ୍ତି ଡ୍ରେନ୍ ସଫା କରାଯିବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଋତୁ ପରେ ମଧ୍ୟ ଏସବୁ ଡ୍ରେନ୍ ସଫା ହୋଇ ପାରି ନାହିଁ। ଅନେକ ଡ୍ରେନ୍ ମଧ୍ୟ ମରାମତି କରାଯାଇ ପାରି ନାହିଁ। ସହରରେ ଅନେକ ସ୍ଥାନରେ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ି ନଥିବାରୁ ଅଞ୍ଚଳବାସୀ ବହୁ ସମସ୍ୟା ଭୋଗୁଛନ୍ତି। ଅନ୍ୟପଟେ ଅଧିକାଂଶ ଛୋଟ ବଡ଼ ଡ୍ରେନ୍ରେ ଅନେକ ଦିନ ଧରି ପାଣି ଜମି ରହିଛି। ଫଳରେ ମଶା ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ମଶା ବଂଶ ନିପାତ ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଉ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦିନ ହେଉ କିମ୍ବା ରାତି, ମଶାଙ୍କ ଉତ୍ପାତ କାରଣରୁ ଅଞ୍ଚଳବାସୀ କଲବଲ ହେଉଛନ୍ତି। ଫଳରେ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯଦି ମଶା ବଂଶ ନିପାତ ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାନଯାଏ, ତାହେଲେ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି।
ଜଟଣୀ ପୌରପାଳିକା ଅଧୀନରେ ୨୩ଟି ୱାର୍ଡ ରହିଛି। ଏହି ୱାର୍ଡମାନଙ୍କରେ ଅନେକ ସ୍ଥାନରେ ଥିବା ନାଳନର୍ଦ୍ଦମା, ପୁରାତନ ଗାଡ଼ିଆ ଆଦିରେ ବର୍ଷ ବର୍ଷ ହେଲା ଆବର୍ଜନା, ଦୂଷିତ ପାଣି ଆଦି ଜମି ରହିଛି। ବିଶେଷକରି ୱାର୍ଡରେ ଥିବା ଡ୍ରେନ୍ଗୁଡ଼ିକରେ ଆବର୍ଜନା ଅନେକ ଦିନ ହେଲା ସଫା ହୋଇନାହିଁ। ଫଳରେ ଡ୍ରେନ୍ରେ ପାଣି ମଧ୍ୟ ଜମି ରହିଛି। ସେହିପରି ମୁଖ୍ୟ ରାସ୍ତାକୁ ଲାଗି ରହିଥିବା କିଛି ସ୍ଥାନରେ ଡ୍ରେନ୍ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଛି। ଅନେକ ସ୍ଥାନରେ ଡ୍ରେନ୍ ଖୋଲା ହୋଇ ପଡ଼ିଥିବାରୁ କେତେବେଳେ ଡ୍ରେନ୍ ପାଣି ରାସ୍ତାରେ ଚାଲୁଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/28/sfhhfshfxbvvb-2025-10-28-02-18-32.jpg)