ଭୁବନେଶ୍ୱର : ୧୫ମାସ ଶିଶୁ ହେବା ପର୍ଯ୍ୟନ୍ତ ଅପପୁଷ୍ଟି ଶିଶୁଙ୍କୁ ଚିହ୍ନଟ କରାଯାଉଛି। ଏହାସହ ହସ୍ପିଟାଲର ବହିର୍ବିଭାଗ ମଧ୍ୟ ସାମ୍ ଶିଶୁ ଚିହ୍ନଟର ଏକ ପ୍ରମୁଖ ସ୍ଥାନ। ଏଠାରେ କାଉନସେଲିଂ କରାଯାଇ ଏନ୍ଆରସିକୁ ପଠା ଯାଉଛି। ଏନ୍ଆରସିରୁ ବାହାରିବା ପରେ ପ୍ରଥମ ୧୫ ଦିନ ପରେ ଦ୍ବିତୀୟ ୧୫ ଦିନକୁ ମିଶାଇ ଦୁଇଥର ଓ ମାସକରେ ଥରେ ଫଲୋଅପ୍ କରାଯାଉଛି। ଆଶା ଦିଦି ଫଲୋଅପ୍ କରୁଛନ୍ତି। ଯଦି ଫଲୋଅପ୍ ସମୟରେ ଶିଶୁଟି ସାମ୍ ଅବସ୍ଥାକୁ ଯାଇଥିବା ପୁନର୍ବାର ଜଣାପଡ଼େ, ତାହେଲେ ତାହାକୁ ପୁଣିଥରେ ଏନ୍ଆରସିକୁ ଅଣାଯିବ।
ବସ୍ତିରେ ରହୁଥିବା ମା’ମାନଙ୍କ ଖାଦ୍ୟ ଖାଇବାର ପ୍ରଣାଳୀ ଠିକ୍ ନାହିଁ। ଏହାସହ ବିଶୁଦ୍ଧ ପାଣି ଓ ସ୍ବାସ୍ଥ୍ୟକର ପରିବେଶ ମଧ୍ୟ ନିତାନ୍ତ ଆବଶ୍ୟକ, ଯାହାକି ବସ୍ତିରେ ମିଳୁନାହିଁ। ଫଳରେ ଶିଶୁମାନଙ୍କୁ କୃମି ସଂକ୍ରମଣ ହେଉଛି। ଏଥିପାଇଁ ବର୍ଷକୁ ଦୁଇଥର କୃମିନାଶକ ବଟିକା ଦିଆଯାଉଛି। ଯେଉଁମାନେ ସାମ୍ ଶିଶୁ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ଏନ୍ଆରସିକୁ ପଠାଯାଉଛି। ଏନ୍ଆରସିରେ ରହିବା ସମୟରେ ମା’ମାନଙ୍କୁ ଖାଇବା ସମେତ ଦିନକୁ ପାରିଶ୍ରମିକ ବାବଦ ଅର୍ଥ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ବେ ଅଧିକାଂଶ ମା’ ଏନ୍ଆରସିରେ ରହିବାକୁ ନାରାଜ। ଶିଶୁଟି ଭଲ ହେବା ପୂର୍ବରୁ ମା’ମାନେ ଏନ୍ଆରସି ଛାଡ଼ି ଦେଉଛନ୍ତି। ଫଳରେ ଶିଶୁଟି ପୂର୍ବାବସ୍ଥାକୁ ଫେରି ଯାଉଛି। ଏନ୍ଆରସିରେ ରହିବା ସମୟରେ ମା’ମାନଙ୍କୁ ବାଡ଼ିରେ ମିଳୁଥିବା କେଉଁପ୍ରକାର ଖାଦ୍ୟ ଓ କିଭଳି ଏହି ଖାଦ୍ୟ ଖାଇବେ, ଏସବୁ ସଂପର୍କରେ ଶିକ୍ଷା ଦିଆଯାଉଛି। ଏହା ସତ୍ତ୍ବେ ମା’ ଓ ତାଙ୍କ ପରିବାର ଲୋକ ସତର୍କ ହେଉ ନାହାନ୍ତି।
ଏନ୍ଆର୍ସିରୁ ବାହାରିବା ପରେ ଠିକ୍ ଫଲୋଅପ୍ ହେଉନାହିଁ: ଶିଶୁ ବିଶେଷଜ୍ଞ
କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ୩/୪ଟି ଜିଲ୍ଲାରୁ ଲୋକମାନେ ଆସୁଛନ୍ତି। ତହିଁରୁ ଯେଉଁମାନେ ଅପପୁଷ୍ଟ ଥିବା ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ନିଜ ନିଜର ଜିଲ୍ଲାକୁ ପଠାଇ ଦିଆଯାଉଛି। ତେବେ ରାଜଧାନୀର ଯେଉଁ ସାମ୍ ଶିଶୁ ସ୍କ୍ରିନିଂ ସମୟରେ ଚିହ୍ନଟ ହେଉଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ନ୍ୟୁଟ୍ରିସନ୍ ଡେନ୍ସ ଫୁଡ୍ ବା ନଡ଼ିଆ ତେଲ ଥିବା ଯୁକ୍ତ ଖାଦ୍ୟ ଦିଆଯାଉଛି। ଯେଉଁ ମା’ ଓ ଶିଶୁମାନଙ୍କର ଠିକ୍ ଭାବେ ପୋଷଣ ହେଉନାହିଁ, ସେମାନଙ୍କ କ୍ଷେତ୍ରରେ ହସ୍ତକ୍ଷେପ କରାଯାଉଛି। ଏସ୍ଏନ୍ସିୟୁରେ କିଛି ଦିନ ପାଇଁ ଏଭଳି ଶିଶୁଙ୍କୁ ରଖାଯାଉଛି। ମାତ୍ର ୧ମାସ ପରେ ଏସ୍ଏନ୍ସିୟୁରେ ଏଭଳି ଶିଶୁଙ୍କୁ ରଖିବା ନିୟମ ନାହିଁ। ଘରକୁ ଯିବା ପରେ ମା’ମାନଙ୍କୁ ଯେଉଁ ଭଳି ଖାଦ୍ୟ ଖାଇବା ପାଇଁ ଶିକ୍ଷା ଦିଆଯାଉଛି, ତାହାକୁ ସେମାନେ ପାଳନ କରିବା କଥା। ମାତ୍ର ଅନେକ କ୍ଷେତ୍ରରେ ତାହା ଦେଖାଯାଉନାହିଁ। ଫଳରେ ବାଧ୍ୟ ହୋଇ ସେମାନଙ୍କୁ ଏନ୍ଆର୍ସି ରେଫର୍ କରିବାକୁ ପଡ଼ୁଥିବା କ୍ୟାପିଟାଲ ହସ୍ପିଟାଲର ଜଣେ ଶିଶୁ ରୋଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ଛୋଟ ଶିଶୁ ଅପପୁଷ୍ଟିର ଶିକାର ହେବା ପାଇଁ ମୁଖ୍ୟତଃ ଦୁଇଟି କାରଣ ରହିଛି। ପ୍ରଥମଟି ଜନ୍ମରୁ ଓ ଦ୍ବିତୀୟଟି ଠିକ୍ ସମୟରେ ଖାଦ୍ୟର ଅଭାବ କାରଣରୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ବହୁତ କମ୍ ଓଜନର ଶିଶୁ ଜନ୍ମ ନେଉଛନ୍ତି। ଗର୍ଭାବସ୍ଥାରେ ମା’ମାନେ ନିଜର ଉପଯୁକ୍ତ ଯତ୍ନ ନନେବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏହି ସମୟରେ ଦିନକୁ ୬୦ଗ୍ରାମ୍ ପ୍ରୋଟିନ୍ର ଆବଶ୍ୟକତା ଥିବା ବେଳେ ଚାଉଳରୁ ୩ଗ୍ରାମ୍ ଓ ଅଣ୍ଡାରୁ ମାତ୍ର ୬ଗ୍ରାମ୍ର ପ୍ରୋଟିନ୍ ମିଳୁଛି। ଫଳରେ ବସ୍ତିର ରହୁଥିବା ମା’ମାନେ ଦୈନିକ ଆବଶ୍ୟକ ପ୍ରୋଟିନ୍ ପାଇପାରୁ ନାହାନ୍ତି। ଏହାସହ ସେମାନଙ୍କ ଖାଦ୍ୟରେ ବିବିଧତା ମଧ୍ୟ ରହୁଛି। ଏସବୁ ବାଦ୍ କମ୍ ବୟସରେ ବିବାହ ଏହାର ଅନ୍ୟତମ କାରଣ। ଏସ୍ଏନ୍ସିୟୁରେ ଯେଉଁ ଶିଶୁମାନେ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛନ୍ତି, ସେମାନେ ଘରକୁ ଗଲା ପରେ ମା’ କ୍ଷୀର ଠିକ୍ ଭାବେ ଖାଇପାରୁ ନାହାନ୍ତି। ଏଥିରେ ସେମାନଙ୍କର ସମସ୍ୟା ଦେଖାଦେଉଛି। ୬ମାସ ପରେ ଶିଶୁମାନଙ୍କ ଠିକ୍ରେ ମା’ମାନେ ଯତ୍ନ ନେଉ ନଥିବା ନଜରକୁ ଆସୁଛି। ମାସକରେ ଅତି କମ୍ରେ ୬-୯ଗ୍ରାମ ଓଜନ ବଢ଼ିବା କଥା। ମାତ୍ର ଏଭଳି ଶିଶୁଙ୍କ ଓଜନ ବଢ଼ୁନାହିଁ। ରାଜଧାନୀର ବସ୍ତିରୁ ଏଭଳି ବହୁ ସଂଖ୍ୟାରେ ଶିଶୁ ରହିଛନ୍ତି। ଏନ୍ଆରସିକୁ ବାହାରିବା ପରେ ଏଭଳି ଶିଶୁଙ୍କୁ ଠିକଣା ଢଙ୍ଗରେ ଫଲୋଅପ୍ କରାଯାଉନାହିଁ।