ଭୁବନେଶ୍ୱର: ସହରାଞ୍ଚଳରେ ମତଦାନ ହାର ବଢ଼ାଇବା ପାଇଁ ବିଏମ୍ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଲଗାତାର ସଚେତନତା ଜାରି ରଖିଛନ୍ତି। ଏହି କ୍ରମରେ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲପାଳ ଚଞ୍ଚଲ ରାଣା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ଚଣ୍ଡୀ ଚରଣ ରଥ, ବିଏମ୍ସି ଅତିରିକ୍ତ କମିସନର ଘାସିରାମ ମୁର୍ମୁ ଓ ସସ୍ମିତା ସାହୁ, ଆର୍ଡି ମହିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ୟାମଳୀ ମହାନ୍ତି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟୀ ଆଚାର୍ଯ୍ୟ ପ୍ରମୁଖ ମେ’ ୨୫ ତାରିଖରେ ମତଦାନ କରିବାକୁ ଅନୁରୋଧ କରିଛନ୍ତି। ନିଜ ନିଜର ମତଦାନ କରି ଅଧିକାର ସାବ୍ୟସ୍ତ କରିବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ଶପଥ ପାଠ କରାଯାଇଥିଲା। ନାଗରିକ ଭାବେ ସମାଜପ୍ରତି କର୍ତ୍ତବ୍ୟ ନିର୍ବାହ କରିବାକୁ ଛାତ୍ରୀମାନେ ଆଗେଇ ଆସନ୍ତୁ ବୋଲି କମିସନର ଶ୍ରୀ ପାଟିଲ୍ କହିଥିଲେ।
ଭୁବନେଶ୍ବରରେ ଅଧିକାଂଶ ବୁଥ୍ ମହିଳା ଅଧିକାରୀ ପରିଚାଳନା କରିବେ ଓ କେଉଁ ବୁଥ୍ରେ ଭିଡ଼ ହୋଇଛି ଜାଣିବା ପାଇଁ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ ଶ୍ରୀ ରାଣା। ଏହି ଅବସରରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ନୂଆ ଭୋଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅତିଥି ଓ ଛାତ୍ରୀମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ଭାରତ ସରକାରଙ୍କ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ପରେ ଜାଗରଣ ଅନୁଷ୍ଠାନ ଓ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ୍ ଅନୁଷ୍ଠାନ କଳାକାରଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ପିଜି କାଉନସିଲ ଅଧ୍ୟକ୍ଷ ଶ୍ରୀ ରଥ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgjjjgjgjggj.jpg)