ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମେତ ମନ୍ଦିର ବେଢ଼ା ପରିସରରେ ଥିବା ଅଧିକାଂଶ ମନ୍ଦିରରୁ ପାଣି ଗଳୁଛି। ପ୍ରାୟ ବର୍ଷା ଚାରିମାସ ବର୍ଷା ପାଣିରେ ଭିଜୁଛନ୍ତି ଦିଅଁ। ଏପଟେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷାପାଣି ଖାଇ ମନ୍ଦିର ଭିତର ଓ ବାହାର କାରୁକାର୍ଯ୍ୟପୂର୍ଣ୍ଣ ପଥର ନଷ୍ଟ ହେଉଛି। ଦଶନ୍ଧି ଦଶନ୍ଧି ଧରି ଏ ସମସ୍ୟା ଲାଗି ରହିଥିଲେ ହେଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଲଗାତାର ଅଣଦେଖା ଜାରି ରହିଛି। ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏଏସ୍‌ଆଇ ‌ଯେ କେତେ ନିଷ୍ଠାବାନ ଏଥିରୁ ପ୍ରମାଣିତ ହେଉଛି ପ୍ରତିବର୍ଷ।

Advertisment

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ୧୦୮ଟି ଛୋଟ ବଡ଼ ମନ୍ଦିର ରହିଛି। ଏଥି ମଧ୍ୟରୁ ପ୍ରାୟ ୭୦ଟି ଶିବ ମନ୍ଦିର। ଅଧିକାଂଶ ମନ୍ଦିରରେ ପାଣି ଗଳୁଛି। ଏଥିମଧ୍ୟରୁ ପ୍ରଭୁ ଲିଙ୍ଗରାଜଙ୍କ ମୁଖ୍ୟ ମନ୍ଦିରର ଭୋଗ ମଣ୍ଡପ‌ରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଏବେ ଶ୍ରଦ୍ଧାଳୁ ନାଟ ମଣ୍ଡପ ଦେଇ ଦର୍ଶନ ପାଇଁ ଯାଉଛନ୍ତି। ତେଣୁ ଭୋଗ ମଣ୍ଡପରେ ଠାକୁରଙ୍କ ବିମାନ ଓ ଅନ୍ୟାନ୍ୟ ଉପକରଣ ରଖାଯାଇଛି। ବର୍ଷା ପଡ଼ି କିଛି ଅଂଶରେ ସେସବୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ମା’ ପାର୍ବତୀଙ୍କ ମନ୍ଦିର କବାଟ ପାଖରେ ପାଣି ଗଳୁଛି। ମା’ ଭୁବନେଶ୍ବରରୀ ମନ୍ଦିରରେ ମା’ଙ୍କ ମୂର୍ତ୍ତି ସମ୍ମୁଖରେ ପାଣି ଗଳୁଛି। ଲକ୍ଷ୍ମୀ ନୃସିଂହ ମନ୍ଦିରର ଦଧିନଉତି ଭାଙ୍ଗି ଯାଇଛି। ମନ୍ଦିରକୁ ଲାଗି ଏକ ଆଜବେଷ୍ଟ ପଡ଼ିଛି। ତଥାପି ବର୍ଷା ପାଣିରେ ମନ୍ଦିର ପରିସର ସନ୍ତସନ୍ତିଆ ହୋଇଛି। ଏଥିସହ ବିଶ୍ବକର୍ମା ମନ୍ଦିର, ବିଷ୍ଣୁ ମନ୍ଦିର, ବୈଷ୍ଣବ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର, ପାତାଳେଶ୍ବର ମନ୍ଦିର, ଇଶାନେଶ୍ବର ମନ୍ଦିର, ସର୍ବେଶ୍ବର ମନ୍ଦିର, ଓମ୍‌କାରେଶ୍ବର ମନ୍ଦିର, ତାରକେଶ୍ବର ମନ୍ଦିର ଭଳି ଅଧିକାଂଶ ମନ୍ଦିରରେ ପାଣି ଗଳୁଛି। ବର୍ଷା ସତ୍ତ୍ବେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ମନ୍ଦିରକୁ ଆସୁଛନ୍ତି। ହେଲେ ମନ୍ଦିର ଭିତରେ ଏଭଳି ଦୟନୀୟ ସ୍ଥିତି ଦେଖି ପର୍ଯ୍ୟଟକ ଚିନ୍ତାରେ ଯେତିକି ପଡୁଛନ୍ତି ତା’ଠୁ ଅଧିକ ଆଶ୍ଚର୍ଯ୍ୟ ହେଉଛନ୍ତି।

୨୦୨୧ ଡିସେମ୍ବର ୨୮ତାରିଖରେ ଏଏସ୍ଆଇ ଅତିରିକ୍ତ ଡିଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା ଅନୁଧ୍ୟାନ କରିଥିଲେ। ଏଥି ସହ ମନ୍ଦିରରେ ଲାଗି ରହିଥିବା ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତତ୍କାଳୀନ ଏଏସ୍ଆଇ ମଣ୍ଡଳ ଅଧିକ୍ଷକ ଅରୁଣ ମଲିକଙ୍କ ସହ ଆଲୋଚନା କରି ଶ୍ରୀଲିଙ୍ଗରାଜ ମରାମତି ପାଇଁ ସେ ୧କୋଟି ୨୦ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ତେବେ ଠିକାଦାର କେବଳ ୬୦ଲକ୍ଷ ଟଙ୍କାର କାମ କରିଥିଲେ। ତଥାପି ମଧ୍ୟ ପାଣି ଗଳିବା ବନ୍ଦ ହେଲା ନାହିଁ। ଅଭିଯୋଗ ପରେ ଗତ ବର୍ଷ ଅଗଷ୍ଟ ମାସରେ ଏଏସ୍ଆଇ ନିର୍ଦ୍ଦେଶକ (ସଂରକ୍ଷଣ) ଭିମା ଆଜ୍‌ମିରା ମନ୍ଦିର ସ୍ଥିତି ଅନୁଧ୍ୟାନ କରି ଚିନ୍ତା ପ୍ରକଟ କରିଥିଲେ। ମୁଖ୍ୟମନ୍ଦିର ସହ ପାଣି ଗଳୁଥିବା ସମସ୍ତ ମନ୍ଦିରର ମରାମତି, ମନ୍ଦିର ପରିସରକୁ ସ୍ବଚ୍ଛ ରଖିବା, ରୋଷଘର ମରାମତି କରିବା, ମୁଖ୍ୟମନ୍ଦିର ଭିତର ବାହାର ସର୍ଭେ କରିବାଥ୍ରିଡି ଲେଜର ସ୍କାନିଂ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ। ଖୁବ୍‌ ଶ୍ରୀଘ୍ର କାମ ଆରମ୍ଭ ହେବ ବୋଲି ମଧ୍ୟ ସେ ପ୍ରତିକ୍ରିୟାରେ କହିଥିଲେ। ହେଲେ ବର୍ଷେ ହେବ ଏଏସ୍‌ଆଇ ଏଥିମଧ୍ୟରୁ କୌଣସି କାମ କରିନାହିଁ। ଯାହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଦିନକୁ ଦିନ ମନ୍ଦିରଗୁଡ଼ିକ ଦୁର୍ବଳ ହେବାରେ ଲାଗିଛି।