କୁଖ୍ୟାତ ଲୁଟେରା ଅଖୁ ଗିରଫ

ଭୁବନେଶ୍ବର: ନୟାପଲ୍ଲୀ ଥାନା ଭୋଇସାହିର କୁଖ୍ୟାତ ଲୁଟେରା ପ୍ରଶାନ୍ତ ଭୋଇ ଓରଫ ଅଖୁ ଆଜି ଚୋରି ମାମଲାରେ ଧରାପଡ଼ି କୋର୍ଟ ଚାଲ‌ାଣ ହୋଇଛି। ଅଖୁ ଓ ତା’ର କିଛି ସହଯୋଗୀ ଗତ ୧୭ ତାରିଖ ଦିନ ନୟାପଲ୍ଲୀର କୃଷ୍ଣବଳରାମ ନଗରର ବିଶ୍ବନାଥ ପଣ୍ଡାଙ୍କ ଘର ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରିଥିଳେ। ଏନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ଏତଲାକ୍ରମେ ପୁଲିସ୍ ଛାନ୍‌ଭିନ୍ କରି ଆଜି ଅଖୁକୁ ଇସ୍କନ୍ ପଛ ପଟେ ଏକ ମନ୍ଦିରରୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ ଅଖୁ ଯେତେବେଳେ ବି ଚୋରି କରେ, ଏହି ଭଙ୍ଗା ମନ୍ଦିରରେ ଆସି ଆତ୍ମଗୋପନ କରେ। ୨୦୧୯ଫେବ୍ରୁଆରି ମାସରୁ ଏକ ଚୋରି କରି ଫେରାର୍ ଥିଲା। ସେବେଠାରୁ ପୁଲିସ୍ ତାକୁ ଖୋଜି ବୁଲୁଥିଲା। ତେବେ ଦୁଇ ଦିନ ତଳର ଚୋରି ଘଟଣାରେ ଚୋରି ଷ୍ଟାଇଲ୍ ଅଖୁର ଚୋରି ଷ୍ଟାଇଲ୍ ପରି ମେଳ ଖାଇଥିଲା। କରୋନା ପାଇଁ ଗାଡ଼ି ଚଳାଚଳ ଏତେ ଚାଲୁ ନଥିବାରୁ ଅଖୁ ସ୍ଥାନୀୟ ଅଞ୍ଚଳରେ କେଉଁଠାରେ ଲୁଚିଥିବା ଜାଣି ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା। ଶେଷରେ ଅଖୁକୁ ତା’ ଆଡ଼ା ତଥା ଲୁଚୁଥିବା ସ୍ଥାନରୁ ଗିରଫ କରିଛି। ପୁଲିସ୍ ତା’ ନିକଟରୁ ଏଲ୍‌ଇଡି ଟିଭି, ଲାପ୍‌ଟପ୍, ତିନିଟି ସୁନା ଡେଉଁରିଆ ଓ ଗୋଟିଏ ମୁଦି ସମେତ ମୋଟ ୧୮ଗ୍ରାମର ସୁନା ଜବତ କରିଛି। ୨୦୦୮ମସିହାରୁ ଅଖୁ ଅପରାଧ ଦୁନିଆରେ ସାମିଲ୍‌ ହେବା ପରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚୋରି, ଡକାୟତି, ନିଶା କାରବାର ଭଳି ମାମଲା କେବଳ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର