ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ବାବୁନିକୁ ଆଜି ପୁଣି କ୍ୟାପିଟାଲ୍‌ ଥାନା ପୁଲିସ ବାନ୍ଧିଛି। ଗତକାଲି ରାତିର ଏକ ଗଣ୍ଡଗୋଳ ମାମଲାରେ ପୁଲିସ ବାବୁନି ସହ ତା’ର ସହଯୋଗୀ ଅନୁପକୁ କୋର୍ଟ ଚାଲାଣ କରିଛି। ୨ଯୁବକଙ୍କୁ ଥଣ୍ଡା ବୋତଲ ଓ ବାଉଁଶ ବହ୍ଲାରେ ପିଟି ଲହୁଲୁହାଣ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଛି। ବାବୁନି ନାଁରେ ୪୮ ମାମଲା ଗଡ଼ୁଛି ବୋଲି ପୁଲିସ ସୂଚନା ଦେଇଛି। 
ପୁଲିସ ସୂଚନାନୁସାରେ ୟୁନିଟ୍‌-୬ ପିଚୁପଡ଼ିଆ ବସ୍ତିର ରାଜେଶ ମହାପାତ୍ର ଓରଫ ବାବୁନି(୨୪) ଜଣେ ପେସାଦାର ଅପରାଧୀ ଏବଂ ତା’ ନାଁରେ ୪ଡଜନ ମାମଲା ରହିଛି। ସେହିଭଳି ତା’ର ସହଯୋଗୀ ଅନୁପ ନାୟକ(୩୩) ମଧ୍ୟ ଜଣେ ଅପରାଧୀ। ସୋମବାର ରାତିରେ ଆଶୁତୋଷ ରଥ, ଦେବେନ୍ଦ୍ର କୁମାର ନାୟକ ଓ ସେମାନଙ୍କ ଦୁଇ ବନ୍ଧୁ ୨ଟି ବାଇକ୍‌ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଉଥିଲେ। ସେମାନେ ବନଦୁର୍ଗା ମନ୍ଦିର ନିକଟ ଏକ ଦୋକାନରେ ଅଟକି ଥଣ୍ଡା ପିଉଥିଲେ। ଏହି ସମୟରେ ବାବୁନି ଓ ଅନୁପ ସେଠାରେ ପହଞ୍ଚିଥିଲେ। ବାବୁନି ସିଗାରେଟ୍‌ ଲଗାଇବା ପାଇଁ ଆଶୁତୋଷଙ୍କୁ ଲାଇଟର୍‌ ମାଗିଥିଲା। ଆଶୁତୋଷ ନିଜ ଲାଇଟର୍‌ ନଦେଇ ଦୋକାନରୁ ମାଗିବାକୁ କହିଥିଲେ। ଏତିକିରେ ବାବୁନି ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ଆଶୁତୋଷଙ୍କୁ ଧକ୍କା ମାରିଥିଲା। ଏହାଦେଖି ଆଶୁତୋଷଙ୍କ ସହ ଥିବା ୩ ବନ୍ଧୁ ପ୍ରତିରୋଧ କରିବାକୁ ଯାଇ ବାବୁନିକୁ ଠେଲାପେଲା କରିଥିଲେ। ଏଥିରେ ବାବୁନି ଆହୁରି ରାଗିଯାଇଥିଲା। ସେ ପାଖ ଦୋକାନରୁ ବାଉଁଶ ବହ୍ଲା ଭିଡ଼ିଆଣି ଆଶୁତୋଷ ଓ ତାଙ୍କ ବନ୍ଧୁମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଅନୁପ ମଧ୍ୟ ଏକ ଥଣ୍ଡା ବୋତଲରେ ଆକ୍ରମଣ କରିଥିଲା।