ଜେଲ୍‌ ଗଲା କୁଖ୍ୟାତ ଚେନ୍ ଲୁଟେରା

ଖଣ୍ଡଗିରି: ତମାଣ୍ଡୋ ଥାନା ପାଟ୍ରୋଲିଂ ପୁଲିସ ଟିମ୍‌ ହାବୁଡ଼ରେ ପଡ଼ିଥିବା କୁଖ୍ୟାତ ଚେନ୍‌ ଲୁଟେରାକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲା ଯଦୁପୁର ଟାଙ୍ଗୀସାହିର ସୟଦ୍ ମୁମ୍‌ତାଜ୍‌ ଅଲ୍ଲୀ(୨୫) ଓରଫ୍ ବାପି। ତା’ ନାଁରେ କଟକ, ଖୋର୍ଧା ସମେତ ରାଜଧାନୀର ବିଭିନ୍ନ ଥାନାରେ ଆପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି। ବାପି ଗତକାଲି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ସମୟରେ ସ୍ଥାନୀୟ ରେଗାଲିଆ ମଲ୍ ଆଇନକ୍ସର ଜଣେ ମହିଳା କର୍ମଚାରୀଙ୍କ ବେକରୁ ଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମାତ୍ର ଠିକ୍‌ ସେତିକିବେଳେ ତମାଣ୍ଡୋ ଥାନା ପିସିଆର୍ ଭ୍ୟାନ୍‌ ସେଠାରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ବାପି ସେଠାରୁ ତା’ ବାଇକ୍‌ (ଓଆର୍୦୨ବିବି-୨୦୬୮)ରେ ଖସି ପଳାଇବାକୁ ବସିଥିବା ବେଳେ ପୁଲିସ କର୍ମଚାରୀମାନେ ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲେ। ଥାନାରେ ତାକୁ ଅଟକ ରଖି ରେକର୍ଡ ଯାଞ୍ଚ କରିବା ପରେ ଜଣାଗଲା ଯେ ଖୋର୍ଧା ଟାଙ୍ଗୀ, ଖଣ୍ଡଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ କଟକର କିଛି ଥାନାରେ ତା ନାଁରେ ମାମଲା ରହିଛି। ବାପି ଗ୍ୟାଙ୍ଗ୍‌ରେ ଖୋର୍ଧାର କିଛି ଦୁର୍ବୃତ୍ତ ସାମିଲ୍ ଥିବା ଜଣାପଡ଼ିଛି। ତେବେ ବାଇକ୍‌ ଚଳାଇବାରେ ଓସ୍ତାଦ୍‌ ବାପି ଅନେକ ସମୟରେ ଏକାକୀ ମହିଳାଙ୍କ ବେକରୁ ଚେନ୍‌ ଝାମ୍ପି ନିଏ ବୋଲି ଜଣାପଡ଼ିଛି। ଅଧିକାଂଶ ସମୟରେ ବାପି ଖଣ୍ଡଗିରିରୁ ଗଙ୍ଗପଡ଼ା ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିନ୍‌ତାଇ କରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର