ରାଜଧାନୀରେ ଦୁଇଟି ବଡ଼ ଠକେଇର ପର୍ଦ୍ଦାଫାସ୍ : ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ଚଳୁ

ଏମ୍‌ବିଏ ପଢ଼ୁଆ ଠକ ତୃପ୍ତି କୋଲକାତାରୁ ଗିରଫ

ସାରା ରାଜ୍ୟରେ ଠକିଛି, ଭୁବନେଶ୍ବରରେ ୪୬ ମାମଲା
୯ ବୋଲେରୋ, କାର୍‌ ଓ ଏଟିଏମ୍ କାର୍ଡ ଜବତ
୭ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସର ଯୋଜନା

ଭୁବନେଶ୍ବର : ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ କୋଟି କୋଟି ଟଙ୍କା ଠକି ଫେରାର ଥିବା ମୋଷ୍ଟଵାଣ୍ଟେଡ୍‌ ଠକ ତୃପ୍ତି ଦାସ କମିସନରେଟ ପୁଲିସ ହାତରେ ଧରାପଡ଼ିଛି। କୋଲକାତାରେ ଲୁଚିଥିବା ତୃପ୍ତିକୁ ଉଠାଇ ଆଣିଛି ବଡ଼ଗଡ଼ ଥାନା ପୁଲିସ। ସାରା ରାଜ୍ୟରେ କୋଣ ଅନୁକୋଣରେ ଲୋକଙ୍କୁ ଠକିଥିବା ତୃପ୍ତି ନାଁରେ ଭୁବନେଶ୍ବରର ପ୍ରାୟ ସମସ୍ତ ଥାନାରେ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ତୃପ୍ତି ନାଁରେ ୪୬ଟି ମାମଲା ରହିଥିବା ଜଣାପଡ଼ିଛି। ଯେଉଁ ଗାଡ଼ିଗୁଡ଼ିକ ଦେଖାଇ ଠକେଇ କରୁଥିଲା ପୁଲିସ ସେଥିରୁ ୭ଟି ବୋଲେରୋ, ୨ଟି ବୋଲେରୋ ପିକ୍‌ଅପ୍ ଓ ଗୋଟିଏ ଫୋର୍ଡ କାର୍‌ ସମେତ କିଛି ଏଟିଏମ୍ କାର୍ଡ ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ଧଉଳି ଗୋପୀନାଥପୁରର ଅଞ୍ଚଳରେ ତୃପ୍ତିର ଘର। ସେ ରଙ୍ଗବଜାର ଗତିକୃଷ୍ଣ ଗ୍ରିନରେ ରହୁଛି। ତୃପ୍ତି ୧୯୯୮ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରିଥିଲା। ଏହା ପରେ ଏକ ଗାଡ଼ି ଫାଇନାନ୍ସ କମ୍ପାନିରେ ଚାକିରି କରିଥିଲା। ସେଠାରୁ ଧୀରେ ଧୀରେ ଦୁଇ ଚକିଆ ସେକଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି କାରବାରରେ ପାଦ ଥାପିଥିଲା। ଚାକିରି ଛାଡ଼ି ଗାଡ଼ି ବ୍ୟବସାୟକୁ ପେସା କରି ନେଇଥିଲା। ଏହା ପରେ ଚାରିଚକିଆ ଗାଡ଼ି ବିକ୍ରି ଆରମ୍ଭ କରିଥିଲା। ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିବା ଲାଗି ଲୋକଙ୍କ ଭିତରେ ଚାହିଦାକୁ ଦେଖି ମୁଣ୍ଡରେ ଠକେଇ ବୁଦ୍ଧି ଜୁଟିଥିଲା। ଓଏଲଏକ୍ସ ପୂର୍ବରୁ ଖବରକାଗଜରେ ବିଜ୍ଞାପନ ଦେଇ ଠକିବା ଆରମ୍ଭ କରିଥିଲା। ତେବେ ଓଏଲଏକ୍ସରେ ମାଗଣାରେ ବିଜ୍ଞାପନ ଦେବା ସହଜ ହେବାରୁ ପୂରା ଠକ ପାଲଟି ଯାଇଥିଲା ତୃପ୍ତି। ୨୦୧୦ ପରଠାରୁ ଏହି କାରବାରରେ ଅଧିକ ସକ୍ରିୟ ରହିଥିଲା।

ଏମିତି ଠକୁଥିଲା ତୃପ୍ତି
ନବରଙ୍ଗପୁର ପାପଡ଼ାହାଣ୍ଡିର ଗଙ୍ଗାଧର ହରିଜନ ନାମକ ଜଣେ ବ୍ୟକ୍ତି ପ୍ରାୟ ୫ ମାସ ତଳେ ଏକ ବୋଲେରୋ କିଣିବା ଲାଗି ଓଏଲଏକ୍ସରେ ସର୍ଚ୍ଚ କରୁଥିବା ବେଳେ ତୃପ୍ତିର ଶ୍ରୀ ମୋଟର୍ସ ଏକ ବୋଲେରୋ(ଓଡି୦୨-ଡବ୍ଲୁ-୭୧୯୧) ଦେଖିଥିଲେ। ସେଠାରେ ଦିଆ ଯାଇଥିବା ତୃପ୍ତିର ନମ୍ବରକୁ ଯୋଗାଯୋଗ କରିଥିଲେ। ଡିଲ୍ ଫାଇନାଲ ହେବା ପରେ ଗଙ୍ଗାଧର ଚେକ୍ ଜରିଆରେ ତୃପ୍ତିର ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠାଇଥିଲେ। ଗାଡ଼ିର କାଗଜପତ୍ର, ଯାଞ୍ଚ କରି ସପ୍ତାହେ ଭିତରେ ହସ୍ତାନ୍ତର କରିବ ବୋଲି ତୃପ୍ତି କହିଥିଲା। କିନ୍ତୁ ଧାର୍ଯ୍ୟ ସମୟ ଭିତରେ ଗାଡ଼ି ଦେଇ ନ ଥିଲା। ଗଙ୍ଗାଧର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ଗତ ୯ ତାରିଖରେ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଯାଁଳା କାଶୀପୁର ଅଞ୍ଚଳର ସ୍ବରୂପ କୁମାର ସ୍ବାଇଁ ମଧ୍ୟ ସମାନଧରଣର ଠକେଇର ଶିକାର ହୋଇଥିଲେ। ବୋଲେରୋ(ଓଡି୦୨ଏଏଚ-୭୭୪୪) କିଣିବା ପାଇଁ ତୃପ୍ତି ସହ ଯୋଗାଯୋଗ କରିଥିଲେ। ଏଥିପାଇଁ ଆଗୁଆ ୧ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଗାଡ଼ି ପାଇ ନ ଥିଲେ। ବ୍ରହ୍ମେଶ୍ବରପାଟଣାରେ ଥିବା ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଗତ କିଛିଦିନ ଭିତରେ ବଡ଼ଗଡ଼ ଥାନାରେ ଏପରି ୬ଟି ଅଭିଯୋଗ ପହଞ୍ଚିଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହା ଜାଣିବା ପରେ ତୃପ୍ତି ଫେରାର ହୋଇଯାଇ କୋଲକାତା ପଳାଇଥିଲା। ସେଠାରେ ନିଜର ଜଣେ ସାଙ୍ଗ ଘରେ ଲୁଚିଥିଲା। ବଡ଼ଗଡ଼ ଥାନାର ଏକ ଟିମ୍ ଖବର ପାଇବା ପରେ କୋଲକାତା ଯାଇ ଗତକାଲି ତା’କୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ତୃପ୍ତି ପୂର୍ବରୁ ଦୁଇରୁ ତିନି ଥର ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ମଧ୍ୟ ପରେ ଜାମିନରେ ଆସି ସମାନ ଢଙ୍ଗରେ ଠକିବା ଆରମ୍ଭ କରିଦେଉଥିଲା। ଆଜି ଅପରାହ୍ନରେ ତୃପ୍ତିକୁ କୋର୍ଟଚାଲାଣ ପରେ ଅଧିକ ତଦନ୍ତ ଲାଗି ୭ ଦିନ ପାଇଁ ରିମାଣ୍ଡ ଆବେଦନକୁ ଏସଡିଜେଏମ୍ କୋର୍ଟ ମଞ୍ଜୁର କରିଛନ୍ତି। ଖୁବଶୀଘ୍ର ତୃପ୍ତିକୁ ବଡ଼ଗଡ଼ ଥାନା ପୁଲିସ ରିମାଣ୍ଡରେ ଆଣିବ ବୋଲି ଥାନାଧିକାରୀ ବିଶ୍ବରଞ୍ଜନ ନାୟକ ସୂଚନା ଦେଇଛନ୍ତି। ତୃପ୍ତି ଗିରଫ ହେବା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ଥାନାରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ଏବେ ସୁଦ୍ଧା ଠକେଇର ପରିମାଣ ପ୍ରାୟ ୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଆଗକୁ ଠକେଇ ସଂଖ୍ୟା ଓ ଠକେଇ ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ଠକେଇ ଟଙ୍କାରେ ଫିଲ୍ମ ‘ଦଫା-୩୭୬’
ଠକେଇ ଅର୍ଥରେ ତୃପ୍ତି ଏକ ଓଡ଼ିଆ ଫିଲ୍ମ ତିଆରି କରୁଥିଲା ବୋଲି ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ଯାହାର ନାଁ ‘ଦଫା-୩୭୬’। ମହିଳା କେମିତି ଦୁଷ୍କର୍ମର ଶିକାର ହେଉଛନ୍ତି ଏବଂ ସେମାନଙ୍କ ବିରୋଧରେ ବୃଦ୍ଧି ପାଉଥିବା ଯୌନ ନିର୍ଯାତନା ସମ୍ପର୍କରେ ଏହି ଫିଲ୍ମ ତିଆରି ହୋଇଥିଲା। ମହିଳା ବିରୋଧୀ ହିଂସା ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଏହି ଫିଲ୍ମର ଲକ୍ଷ୍ୟ ଥିଲା। ଏଥିରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ଫିଲ୍ମଟି ଏଯ‌ାଏ ରିଲିଜ୍ ହୋଇ ନ ଥିବା ଜଣାପଡ଼ିଛି। ତୃପ୍ତିକୁ ରିମାଣ୍ଡରେ ନେଇ ପୁଲିସ ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯାଇପାରେ। ଠକେଇ ଅର୍ଥରେ ଫିଲ୍ମ ତିଆରି ହେବା ନୂଆ ନୁହେଁ। ପୂର୍ବରୁ ଅନେକ ଚିଟଫଣ୍ଡ କମ୍ପାନି ଜମାକାରୀଙ୍କ ଅର୍ଥରେ ଏକାଧିକ ଫିଲ୍ମ ତିଆରି କରିଛନ୍ତି। ଯାହା ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ସିବିଆଇର ତଦନ୍ତ ପରିସରଭୁକ୍ତ ମଧ୍ୟ ହୋଇଛି।

ଗୋଟିଏ ଗାଡ଼ି ଦେଖାଇ ୧୫ ଜଣଙ୍କୁ ଠକେଇ
ଗୋଟିଏ ଗାଡ଼ି। କିନ୍ତୁ ଏକାଧିକ ଲୋକଙ୍କୁ ଠକେଇ। ଗାଡ଼ି ବିକ୍ରି ନାଁରେ କୋଟି କୋଟି ଟଙ୍କା ଠକିଥିବା ତୃପ୍ତିର ଇଏ ହେଉଛି ମାଷ୍ଟର ପ୍ଲାନ୍। ଯେଉଁ ଗାଡ଼ି ଜଣଙ୍କୁ ବିକ୍ରି କରିବା ପାଇଁ ଡିଲ୍ କରିସାରିଛି, ସେହି ଗାଡ଼ି ଅନ୍ୟ ଜଣଙ୍କୁ ବିକ୍ରି କରିବ ବୋଲି ଆଗୁଆ ଟଙ୍କା ମଧ୍ୟ ନେଇଯାଇଛି। ଥାନାରେ ଏପରି ଏକାଧିକ ଅଭିଯୋଗ ପହଞ୍ଚିଛି। ଏପରିକି ଗୋଟିଏ ଗୋଟିଏ ଗାଡ଼ି ଦେଖାଇ ୧୦ରୁ ୧୫ ଜଣଙ୍କୁ ଠକିଥିବା ମଧ୍ୟ ଜଣାପଡ଼ିଛି।

ବଦଳାଉଥିଲା ମୋବାଇଲ ନମ୍ବର, ସଂସ୍ଥାର ନାଁ, ଠିକଣା
ତୃପ୍ତି ବାରମ୍ବାର ପୁଲିସ ହାତରେ ଗିରଫ ହୋଇ ଜେଲ୍ ଯାଉଥିଲା। ତେବେ ଜାମିନରେ ମୁକୁଳିବା ପରେ ପୁଣି ଆରମ୍ଭ କରି ଦେଉଥିଲା ବେପାର। ଗଣମାଧ୍ୟମରେ ଗିରଫଦାରି ସଂକ୍ରାନ୍ତରେ ଖବର ପ୍ରକାଶ ପାଉଥିବାରୁ ନୂଆ ଜାଗାରେ, ନୂଆ ନାଁରେ ଠକିବା ଆରମ୍ଭ କରି ଦେଉଥିଲା। ବିଜ୍ଞାପନରେ ଦିଆ ଯାଉଥିବା ମୋବାଇଲ ଫୋନ୍ ନମ୍ବର ବଦଳାଇ ଦେଉଥିଲା। ଯାହା ଫଳରେ ସହଜରେ ଲୋକ ଠକ ସମ୍ପର୍କରେ ଜାଣିପାରୁ ନ ଥିଲେ।

ବାଜ୍ୟାପ୍ତ ହେବ ସମ୍ପତ୍ତି!
ବାରମ୍ବାର ସମାନ ଅପରାଧ ଘଟାଉଥିବା ତୃପ୍ତି ନାଁରେ ୪୬ଟି ମାମଲା ରୁଜୁ ହେଲାଣି। କିନ୍ତୁ ଠକୁଥିବା ଅର୍ଥ ଜବତ ନ ହୋଇ ପାରିବାରୁ ଜେଲରୁ ମୁକୁଳିବା ପରେ ପୁଣି ବେପାର ଆରମ୍ଭ କରି ଦେଉଛି। ତୃପ୍ତି ନାଁରେ କଣ ସମ୍ପତ୍ତି ରହିଛି, କେତେ ବ୍ୟାଙ୍କରେ ଆକାଉଣ୍ଟ ରହିଛି, ସେ ସବୁର ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ଏ ସବୁ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର