ମୋଷ୍ଟ-ୱାଣ୍ଟେଡ୍‌ କୁଖ୍ୟାତ ଅପରାଧୀ ପାଟୁକୁ ପାଞ୍ଚ ବର୍ଷ ଜେଲ୍‌

ଭୁବନେଶ୍ବର : ଗତ ୨୮ ତାରିଖରେ କମିସନରେଟ୍‌ ପୁଲିସ ହାତରେ ଧରା ପଡ଼ିଥିବା ମୋଷ୍ଟ-ୱାଣ୍ଟେଡ୍‌ କୁଖ୍ୟାତ ଅପରାଧୀ ଶାହାଜହାନ ଖାନ ଓରଫ ପାଟୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି। ୨୦୧୬ ମସିହାର ଏକ ମାମଲାର ବିଚାର କରି ଏଡିଜେ-୩ ଲୁନା ମହାନ୍ତି ତାକୁ ଆଜି ଏହି ଦଣ୍ଡାଦେଶ କରିଛନ୍ତି। ଏଥି ସହିତ ଦୁଇଟି ଦଫାରେ ୨୧ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଏହା ଅନାଦାୟ ହେଲେ ଆହୁରି ୪ ମାସ ଅଧିକ କାରାଦଣ୍ଡ ଭୋଗିବାକୁ କୋର୍ଟ ଆଦେଶ ଦେଇଛନ୍ତି।

୨୦୧୬ ମସିହା ନଭେମ୍ବର ୯ ତାରିଖ ଦିନ ନୂଆପଲ୍ଲୀ ବାଲିତୋଟା ସାହିର ସରୋଜିନୀ ପ୍ରଧାନଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେବା ବେ‌ଳେ ପାଟୁକୁ ଲୋକମାନେ ମାଡ଼ି ବସିଥିଲେ। ସରୋଜିନୀ ପଡ଼ି ଯିବାରୁ ଗୁରୁତର ଆହତ ହୋଇଥିଲେ। ଏ ନେଇ ତାଙ୍କ ପୁଅ ଅଶୋକ ପ୍ରଧାନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପାଟୁ ଗିରଫ ହୋଇ ଜେଲ୍‌ ଯାଇଥିଲା। ଦୀର୍ଘ ୪ ବର୍ଷ ବିଚାର ଚାଲିବା ପରେ ୧୦ ଜଣ ସାକ୍ଷୀ ଓ ୬ ଦସ୍ତାବିଜ୍‌କୁ ଆଧାର କରି ବିଚାରପତି ପାଟୁକୁ ଗତ ଜାନୁଆରୀ ୩୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିଦିନ ପାଟୁ କୋର୍ଟରୁ ଫେରାର ହୋଇଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।

ପାଟୁର ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ। ତା’ ନାଁରେ ଖଣ୍ଡଗିରିଠାରୁ ଆରମ୍ଭ କରି ବାଲିପାଟଣା, ବାଲିଅନ୍ତା, ନିମାପଡ଼ା, ପୁରୀର ବିଭିନ୍ନ ଥାନାରେ ୧୯ଟି ମାମଲା ରହିଛି। ଛିନ୍‌ତାଇ, ଚୋରି, ଡକାୟତି, ଲୁଟ୍‌ ପ୍ରଭୃତି ମାମଲା‌ରେ ଦୀର୍ଘ ଦିନରୁ ସେ କମିସନରେଟ୍‌ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଥିଲା। ୨୦୧୬ ମାର୍ଚ୍ଚ ୩ରେ ପୁଲିସକୁ ଆକ୍ରମଣ କରି ଖସି ଯାଉଥିବା ବେଳେ ଖଣ୍ଡଗିରି ଛକରେ ତାକୁ ଏନ୍‌କାଉଣ୍ଟର୍‌ କରାଯାଇଥିଲା। ଏସ୍‌ସିବିର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିବା ସମୟରେ ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ହୋଇଯାଇଥିଲା। ଏଥିପାଇଁ ଡ୍ୟୁଟିରେ ଥିବା ୬ଜଣ ପୁଲିସଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଫେରାର୍‌ ହେବା ପରେ ନଭେମ୍ବର ୯ ତାରିଖରେ ନୂଆପଲ୍ଲୀରୁ ଲୁଟ୍‌ ବେଳେ ଲୋକ ତାକୁ ମାଡ଼ି ବସିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ପୁଲିସ ହାତରୁ ମଧ୍ୟ ଫେରାର ହୋଇ ଯାଇଥିଲା। ତେବେ ତାକୁ ସେହି ଦିନ ଗିରଫ କରାଯାଇଥିଲା। ୨ ବର୍ଷ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ମୁକୁଳି ରାଜଧାନୀ ଓ ଉପକଣ୍ଠରେ ଲୁଟ୍‌, ରାହାଜାନି, ଡକାୟତି କରି କମିସନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିଲା। ଗତ ଅଗଷ୍ଟ ୫ ତାରିଖରେ ବରମୁଣ୍ଡା ନିକଟରୁ ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ମନୋରମା ବରାଳଙ୍କୁ ବନ୍ଧୁକ ମୁନରେ ଲୁଟିଥିଲା। ସେହିପରି ୨୦ ତାରିଖରେ ବାଲିଅନ୍ତାର ଗଡ଼ଶ୍ରୀରାମପୁରର ପ୍ରେମଲତା ସାହୁଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ଫେରାର୍‌ ହୋଇଯାଇଥିଲା। ଗତ ୨୮ ତାରିଖ ଦିନ ସ୍ପେସାଲ ସ୍କ୍ବାଡ୍‌ ତାକୁ ଗିରଫ କରିଥିଲା। ସେ ଏବେ ଝାରପଡ଼ା ଜେଲ୍‌ରେ ଅଛି।

ସମ୍ବନ୍ଧିତ ଖବର