ଭୁବନେଶ୍ୱର : କମିସନରେଟ ପୁଲିସ ହାତରେ ଲାଗିଛି ମୋଷ୍ଟ ୱାଣ୍ଟେଡ୍‌ ସୌମ୍ୟଜିତ୍‌ ତ୍ରିପାଠୀ। ନିଜକୁ କେତେ ବେଳେ ସରକାରୀ ଅଧିକାରୀର ପରିଚୟ ଦେଇ ଠକୁଥିଲା ତ’ କେତେ ବେଳେ ଗୁଗ୍‌ଲର ବଡ ଅଧିକାରୀ କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା। ତା‌’ ନାମରେ ଏପରି ଅନେକ ଅଭିଯୋଗ ରହିଛି। ଶେଷରେ କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି। ସହିଦନଗର ଥାନାରେ ହୋଇଥିବା ଅଭିଯୋଗକୁ ଆଧାର କରି ଖୋଳତାଡ଼ କଲା ବେଳେ ସୌମ୍ୟଜିତ ଧରାପଡ଼ିଛି। ତା’ ଠାରୁ ୩ଟି ଆଇଫୋନ୍‌ ସମେତ ୫ଟି ମୋବାଇଲ, ୩ଟି ଲାପ୍‌ଟପ୍‌, ଦୁଇଟି ଟିଭି, ଦୁଇଟି ପ୍ରିଣ୍ଟର ମେସିନ ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

Advertisment

ସୌମ୍ୟଜିତ ପେସାରେ ଜଣେ ଇଞ୍ଜିନିୟର। ହେଲେ ନିଶା ହେଉଛି ନିଆରା ଢଙ୍ଗରେ ଲୋକଙ୍କୁ ଠକିବା। ବିଶେଷକରି ସେ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନକୁ ଟାର୍ଗେଟ କରେ। ପ୍ରଥମେ କେଉଁ ଦୋକାନୀ ଅନ୍‌ଲାଇନ୍‌ରେ ବେପାର କରୁଛନ୍ତି ତାକୁ ଜାଣିବାକୁ ଚେଷ୍ଟା କରେ। ତାହା ଜାଣିବା ପରେ ତାର କାର୍‌ନାମା ଆରମ୍ଭ ହୋଇଯାଏ। ନିଜକୁ ସରକାରୀ ଅଫିସର କହି ପରିଚୟ ଦିଏ। ଅନ୍‌ଲାଇନ୍‌ରେ ପ୍ରଥମେ ଜିନିଷ ନେଇ ଯିବା ପରେ ଆଉ ପଇସା ଦିଏ ନାହିଁ। ଅନେକ ଦୋକାନରୁ ମୋବାଇଲ, ଲାପ୍‌ଟପ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ଠକି ନେଇଛି। ତେବେ ସହିଦନଗର ବିଏମ୍‌ସି ମଲ୍‌ରେ ଥିବା ଏକ ଦୋକାନରୁ ଠକିବା ପରେ ସେ ଫସି ଯାଇଛି।

ଅଭିଯୁକ୍ତର ଘର ହେଉଛି ନିଆଳି ମୋତିଆନ୍‌ରେ। ସେ କଳିଙ୍ଗନଗର କେ-୭ରେ ରହୁଥିଲା। ନିକଟ ଅତୀତରେ ବିଏମ୍‌ସି ମଲ୍‌ରେ ଥିବା ଦିବା ଏଣ୍ଟରପ୍ରାଇଜର୍ସକୁ ଟାର୍ଗେଟ କରିଥିଲା। ପ୍ରୋପ୍ରାଇଟର ନିକୁଞ୍ଜ ଖେମାଣୀଙ୍କୁ ଫୋନ୍‌ କରି ନିଜକୁ ଯାଜପୁରର ଜଣେ କୃଷି ବିଭାଗ ଅଧିକାରୀ ବୋଲି ପରିଚୟ ଦେଇଥିଲା। ନିକୁଞ୍ଜଙ୍କର ଜଣେ ସାଙ୍ଗଙ୍କ ଠାରୁ ମୋବାଇଲ ନମ୍ବର ପାଇଥିବା କହି କଥା ହୋଇଥିଲା। ୧୯ ତାରିଖ ଦିନ ପ୍ରଥମେ ୩ଟି ଆଇଫୋନ୍‌ ଓ ପରେ ପ୍ରିଣ୍ଟର ମଗାଇଥିଲା। ପଇସା ଅନ୍‌ଲାଇନ୍‌ରେ ଦେବା ପାଇଁ କହିଥିଲେ ମଧ୍ୟ ଦେଇ ନ ଥିଲା। ପରେ ଧରାଛୁଆଁ ନ ଦେବାରୁ ନିକୁଞ୍ଜ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସ୍ପେଶାଲ ସ୍କ୍ବାଡ୍‌ ଅଭିଯୁକ୍ତକୁ କଳିଙ୍ଗନଗରରୁ ଗିରଫ କରିଥିଲା। ତଦନ୍ତବେଳେ ଜଣାପଡ଼ିଥିଲା କି ସେ ୫ଟି ଇଲେକ୍ଟ୍ରୋନିକ୍ସ ଦୋକାନରୁ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛି।