ଭୁବନେଶ୍ବର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ମୋଷ୍ଟ ୱାଣ୍ଟେଡ୍‌ ନିଶା ମାଫିଆ ଲଳିତ ଭୂଜବଳ(୩୬) ଶେଷରେ ଧରାପଡ଼ିଛି। ବହୁ ଦିନ ଧରି ସେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ସ୍କ୍ବାଡ୍‌ ନଜରରେ ଥିଲା ଏବଂ ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା। ଗତକାଲି ତାକୁ ୧୬ନମ୍ବର ଜାତୀୟ ରାଜପଥରେ ତମାଣ୍ଡୋ ନିକଟରୁ ଗିରଫ କରାଯାଇଛି ଏବଂ ତା’ଠାରୁ ଜବତ ହୋଇଥିବା ଥାର୍‌ ଗାଡ଼ିରୁ ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ମିଳିଛି। 

Advertisment

ପୁରୀଜିଲ୍ଲା କଣାସ ଗଡ଼ିଶାଗୋଦା ଥାନା ବେଢ଼ାତଣ୍ଡୁଳ ଅଞ୍ଚଳର ଲଲିତ ଭୂଜବଳ(୩୬) ଏକଦା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା। ପୁରୀରୁ ପାରାଦୀପ ପର୍ଯ୍ୟନ୍ତ ତା’ ନାଁରେ ଦେଢ଼ ଡଜନ ମାମଲା ରହିଛି। ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ବୋମାମାଡ଼ ଭଳି ସଂଗିନ ଅପରାଧରେ ସେ ଜେଲ୍‌ ମଧ୍ୟ ଯାଇଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ସେ ନିଶା ଚାଲାଣରେ ମୁଣ୍ଡ ପୂରାଇଥିଲା। କନ୍ଧମାଳରୁ କୋଲକାତାକୁ ଗଞ୍ଜେଇ ଚାଲାଣ କରୁଥିଲା। ଏହି ବେପାରରେ ଭଲ ରୋଜଗାର ଥିବା ନେଇ ସେ ଜେଲ୍‌ରେ ଥିବା ସମୟରେ ବୁଝିଥିଲା। ଜେଲ୍‌ରେ ଥିବା ବେଳେ ହିଁ ସେ ଗଞ୍ଜେଇ ମାଫିଆଙ୍କ ସହ ଯୋଡ଼ି ହୋଇଥିଲା। ତା’ର ଗଞ୍ଜେଇ ଚାଲାଣ ତରିକା ଥିଲା ନିଆରା। ଏଥିପାଇଁ ସେ ଦାମୀ ଗାଡ଼ି ବ୍ୟବହାର କରୁଥିଲା। ପୁଲିସକୁ ଚକ୍‌ମା ଦେବାକୁ ସେ ଥାର୍‌ ଭଳି ଦାମୀ ଗାଡ଼ି ବ୍ୟବହାର କରୁଥିଲା।

ପଶ୍ଚିମବଙ୍ଗର ବଡ଼ବଡ଼ ମାଫିଆଙ୍କ ସହ ତା’ର ଯୋଗାଯୋଗ ଥିଲା। ଏସ୍‌ଟିଏଫ୍‌ ହାତରେ ଏହି ଖବର ଲାଗିବା ପରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ତାକୁ ତମାଣ୍ଡୋ ନିକଟରୁ କାବୁ କରିଥିଲା। ଥାର୍‌ ଗାଡ଼ିରୁ ୭ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପାଖାପାଖି ଦେଢ଼ କ୍ବିଣ୍ଟାଲ୍‌ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚାଲାଣ ସଂକ୍ରାନ୍ତ ମାମଲାର ଅଧିକ ତଦନ୍ତ ପାଇଁ  ତାକୁ ରିମାଣ୍ଡ୍‌ରେ ଅଣାଯିବ ବୋଲି ଯୋଜନା କରାଯାଇଛି।