କରୋନାକୁ ହରାଇଲେ, ଘରକୁ ଫେରିଲେ ମା’ ଓ ଶିଶୁ

ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ ମହାମାରୀ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ଲୋକମାନେ ଭୟ ଓ ଆତଙ୍କର ବାତାବରଣ ଭିତରେ ରହୁଛନ୍ତି। ଆଜି ବି ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏଭଳି ସମୟରେ ବା‌ଲିପାଟଣା ପାଇଁ ଆସିଛି ଏକ ଖୁସି ଖବର। ଜଣେ ପ୍ରସୂତି କରୋନାକୁ ଜିତି ପାରିଛନ୍ତି। ଚାରି ଦିନର ଶିଶୁ କନ୍ୟାକୁ ଛାଡ଼ି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଛନ୍ତି। ଏବେ ଉଭୟ ମା’ ଓ ଝିଅ ସୁସ୍ଥ ଅବସ୍ଥାରେ ଘରକୁ ଫେରିଛନ୍ତି। ତେଣୁ ଚିନ୍ତାରେ ଥିବା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ଭିତରେ ଏହା ଏକ ନୂଆ ସାହସ ସୃଷ୍ଟି କରିଛି।

ସୂଚନାନୁସାରେ ଦରଡ଼ା ଗାଁର ଉକ୍ତ ମହିଳା ପ୍ରସବ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କନ୍ୟା ସନ୍ତାନ ପ୍ରସବ କରିବାର ୪ ଦିନ ପରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ତେଣୁ ତାଙ୍କୁ ଉକ୍ତ ହସ୍ପିଟାଲର ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ଶିଶୁକୁ ହସ୍ପିଟାଲର ଶିଶୁ ୱାର୍ଡରେ ସ୍ବତନ୍ତ୍ର ଯତ୍ନରେ ରଖା ଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଓ ବାଲିପାଟଣା ବ୍ଲକ ପ୍ରଶାସନ ଉଭୟ ମା’ ଓ ଝିଅଙ୍କ ସ୍ବାସ୍ଥାବସ୍ଥା ଉପରେ ନଜର ରଖିଥିଲେ। ତେବେ ମହିଳାଙ୍କ ପରିବାର ଘୋର ମାନସିକ ଚିନ୍ତାରେ ଥିଲେ। କିନ୍ତୁ ସୌଭାଗ୍ୟକୁ ପ୍ରାୟ ମାସକ ପରେ ଆଜି ମହିଳା ଜଣକ ସୁସ୍ଥ ହୋଇ ଶିଶୁ କନ୍ୟା ସହ ଘରକୁ ଫେରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଏଡିଏମ୍‌ ମନୋଜ କୁମାର ପାଢ଼ୀ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବାଲିପାଟଣା ତହସିଲଦାର ସୁନିତା ଜେନା, ବିଡିଓ ମୀତାଞ୍ଜଳି ଦାଶ, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଓ ପମ୍ପାଲୋ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ ପ୍ରମୁଖ ତାଙ୍କ ଘରକୁ ଯାଇ ମା ଓ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ସମ୍ବନ୍ଧିତ ଖବର