ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ରଟିଙ୍ଗିଆ ପଞ୍ଚାୟତ ମଗରଗୁଡା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ନିଆଁରେ ପୋଡ଼ି ହୋଇ ମା’ ସହ ଦୁଇ ଶିଶୁ କନ୍ୟା ଜୀବନ୍ତ ଜଳି ଯାଇଥିବା ଜଣାପଡିଛି। ମୃତକମାନେ ହେଲେ ବିମଳ ପ୍ରଧାନଙ୍କ ପତ୍ନୀ ଝୁନିମା ପ୍ରଧାନ(୨୬), ତାଙ୍କ ୯ମାସର କନ୍ୟା ରୁପାଲି ଓ ୩ ବର୍ଷର କନ୍ୟା ସୋନାଲି। ମା’ ସହ ଦୁଇ ଶିଶୁ କନ୍ୟା ସକାଳେ ଘରେ ଶୋଇଥିବା ସମୟରେ ଏଭଳି ଅଘଟଣ ଘଟିଛି। ତେବେ ନିଆଁ କେମିତି ଲାଗିଲା, ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ସକାଳ ୮ଟାରେ ଏହି ଅଘଟଣ ଘଟିଥିଲା। ଝୁଲିମା’ଙ୍କ ଶାଶୂ କବାଟ ଖୋଲି ଏଭଳି ହୃଦୟ ବିଦାରକ ଦୃଶ୍ୟ ପ୍ରଥମେ ଦେଖିବାକୁ ପାଇଥିଲେ। ସକାଳୁ ଝୁନିମା, ରୁପାଲି ଓ ସୋନାଲି ଶୋଇଥିବାବେଳେ ସ୍ବାମୀ ବିମଳ ପଥର ଚିପ୍‌ସ ଭାଙ୍ଗିବାକୁ ବାହାରି ଯାଇଥିଲେ। ଶାଶୂ ମଧ୍ୟ ପାଣି ଆଣିବାକୁ ଚାଲି ଯାଇଥିଲେ। ଶାଶୂ ଘରକୁ ଫେରି ଦେଖିଲାବେଳକୁ ଘରୁ ନିଆଁ , ପ୍ରବଳ ଧୂଆଁ ବାହାରୁଥିଲା। ଘରେ ଥିବା ଏକ ୫ ଲିଟରିଆ କିରୋସିନି ବ୍ୟାରେଲ ହୁତ୍ ହୁତ୍ ହୋଇ ଜଳୁଥିଲା। ତୁରନ୍ତ ସେ ଗ୍ରାମବାସୀଙ୍କୁ ଡାକ ପକାଇବାବେଳକୁ ତିନିଜଣ ପ୍ରାଣ ହରାଇ ସାରିଥିଲେ।

ଏ ନେଇ ଘୁ.ଉଦୟଗିରି ପୁଲିସ ତିନିଟି ଅପମୃତ୍ୟୁ ମାମଲା ୫/୧୯, ୬/୧୯ ଓ ୭/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ଝୁଲିମାଙ୍କ ସ୍ୱାମୀ ବିମଳଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଥାନା ଅଧିକାରୀ ଲକ୍ଷ୍ମଣ ବେହେରା ମାମଲାର ତଦନ୍ତ ଦାୟିତ୍ବ ନେଇଥିବା ବେଳେ ଘଟଣାର କାରଣ ନେଇ ଖୋଳତାଡ଼ ଚାଲିଥିବା ଏସ୍‌ଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର