ରାସ୍ତାକଡ଼ରୁ ମା’ ଓ ସଦ୍ୟଜାତ ଶିଶୁପୁତ୍ର ଉଦ୍ଧାର

ଖଣ୍ଡଗିରି: ସୋମବାର ସକାଳୁ ପାତ୍ରପଡ଼ା ଗାଁ ମୁଣ୍ଡ ଏକ ବଣୁଆ ଅଞ୍ଚଳରୁ ଜଣେ ମହିଳା ଓ ତାଙ୍କ ସଦ୍ୟଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ଉଦ୍ୟମରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ଚିକିତ୍ସା ‌ଶେଷ ହେବା ପର୍ଯ୍ୟନ୍ତ ଭୁବନେଶ୍ବର ଚାଇଲ୍ଡ ଲାଇନ୍‌ ସେମାନଙ୍କ ଦାୟିତ୍ବ ନେଇଛି। ଚିକିତ୍ସା ପରେ ସେମାନଙ୍କୁ ଥଇଥାନ କରିବା ପାଇଁ ଚାଇଲ୍ଡ ଲାଇନ୍‌ ପକ୍ଷରୁ ମିସନ୍ ଆଶ୍ରା(ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଥଇଥାନ କେନ୍ଦ୍ର) ସହିତ ଯୋଗା‌ଯୋଗ ଆରମ୍ଭ ହୋଇଛି। ଆଜି ଭୋର୍ ସମୟରେ ପାତ୍ରପଡ଼ା ଗାଁ ପୋଖରୀ ରାସ୍ତା କଡ଼ ଏକ ବଣୁଆ ସ୍ଥାନରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ବେଶ ପୋଷାକରୁ ସେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଭଳି ଜଣାପଡ଼ୁଥିଲେ। ଆଶାକର୍ମୀ କିଛି ମହିଳାଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିଶୁପୁତ୍ରଟି ଜନ୍ମ ନେଇ ସାରିଥିଲା। କିନ୍ତୁ ମହିଳା ଜଣକ ଅଚେତ ହୋଇଯାଇଥିଲେ। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଗ୍ରାମବାସୀଙ୍କ କହିବା କଥା ଏହି ମହିଳାଙ୍କୁ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ କେହି କେବେ ବି ଦେଖିନଥିଲେ। ତେଣୁ ଗତ ରାତିରେ ତାଙ୍କୁ କେହି ଏଠାରେ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ମାତ୍ର ମହିଳାଙ୍କ ସଂଜ୍ଞା ଫେରିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।

ସମ୍ବନ୍ଧିତ ଖବର