ଭୁବନେଶ୍ବର: ରସୁଲଗଡ଼ ଜିଜିପି କଲୋନିରେ ରହୁଥିବା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସେମାନଙ୍କ ନିର୍ଦ୍ଦୟ ବାପା ଓ ଜେଜେମାଆ ଅମାନୁଷିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ବାପା ଶରତ ପାତ୍ର(୪୦) ଓ ଜେଜେମାଆ ଜ୍ୟୋତ୍ସ୍ନାରାଣୀ ପାତ୍ର(୬୭)ଙ୍କୁ ଗିରଫ କରିଛି। ନିଯାର୍ତନା ଶିକାର ଭାଇଭଉଣୀଙ୍କୁ ଶିଶୁ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରିବା ପରେ ସେମାନଙ୍କୁ ଏସ୍ଓଏସ୍ ଶିଶୁଗ୍ରାମରେ ରଖାଯାଇଛି। ଘଟଣାଟି ଆଜି ରାଜଧାନୀରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ନିଜ ରକ୍ତର ଛୁଆଙ୍କୁ ଏଭଳି ନିଷ୍ଠୁର ନିର୍ଯାତନା ଦେବା ଭଳି ବିରଳ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।
ଶିଶୁଦ୍ବୟଙ୍କ ମାଆଙ୍କର ପ୍ରାୟ ୮ମାସ ତଳେ ମୃତ୍ୟୁ ହୋଇଥିଲା। ଏହାପରଠୁ ସେମାନଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ବାପା ଓ ଜେଜେମାଆ ସେମାନଙ୍କୁ ଭଲରେ ଖାଇବାକୁ ଦେଉ ନଥିଲେ। ତେଣୁ ଭୋକିଲା ଭାଇଭଉଣୀ ବେଳେବେଳେ ଲୁଚେଇ କରି ବିସ୍କୁଟ୍, ମିକ୍ଶ୍ଚର ଭଳି କିଛି ଖାଦ୍ୟ ଖାଇଦେଉଥିଲେ। ଏଥିପାଇଁ ଉଭୟ ବାପା ଓ ଜେଜେମାଆ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟୁଥିଲେ। ପାଠପଢ଼ା ବାହାନାରେ ସେମାନଙ୍କୁ ସବୁବେଳ ମାଆ ଓ ପୁଅ ପିଟୁଥିଲେ। ଫଳରେ ଭାଇଭଉଣୀ ରୋଗିଣା ହୋଇପଡ଼ିଥିଲେ। ପରିତାପର କଥା, ସେମାନଙ୍କ ପିଛା ଖର୍ଚ୍ଚ କମ୍ କରିବାକୁ ସେମାନଙ୍କୁ ଲଣ୍ଡା କରିଦିଆଯାଇଥିଲା। ସବୁବେଳେ ମାଡ଼ଗାଳି ଖାଇଖାଇ ଛୁଆଦୁଇଟି ଯେତିକି ରୋଗିଣା ହୋଇଥିଲେ ତା’ଠୁ ବେଶି ଭୀତତ୍ରସ୍ତ ହୋଇପଡ଼ିଥିଲେ। ପଡ଼ୋଶୀମାନେ ଏଭଳି ଅକଥନୀୟ ଅତ୍ୟାଚାର ଦେଖି ସହିପାରି ନଥିଲେ। ଗତ ଗୁରୁବାର ଦିନ ଏନେଇ ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନ୍କୁ ଜଣାଇଥିଲେ। ଖବର ପାଇ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ନେଇ ଜ୍ୟୋତ୍ସ୍ନାରାଣୀଙ୍କ ଘରକୁ ଯାଇଥିଲେ। ପିଲାଦୁହିଁଙ୍କ ଦେହସାରା ମାଡ଼ ଦାଗ ଦେଖି ସେମାନେ ବିସ୍ମିତ ହୋଇପଡ଼ିଥିଲେ। ମାଡ଼ ଖାଇଖାଇ ଶିଶୁକନ୍ୟାଟିର ଆଖି ତଳ କଳା ପଡ଼ିଯାଇଥିଲା। ଏଭଳି ଅବସ୍ଥା ବାବଦରେ ପଚାରିବାରୁ ସେଦିନ ଜ୍ୟୋତ୍ସ୍ନାରାଣୀ ପୁଅ ଶରତକୁ ମାନସିକବିକାରଗ୍ରସ୍ତ ବୋଲି କହି ଚାଇଲ୍ଡ ଲାଇନ୍ ସଦସ୍ୟଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ।
ସେହିଭଳି ହାଇଦ୍ରାବାଦରେ ରହୁଥିବା ତାଙ୍କ ଝିଅ(ପିଲାଙ୍କ ପିଉସୀ) ଶିଶୁଦ୍ବୟଙ୍କୁ ନେଇଯିବେ ବୋଲି ମଧ୍ୟ କହିଥିଲେ। ତେଣୁ ଜ୍ୟୋତ୍ସ୍ନାରାଣୀଙ୍କ କଥାକୁ ବିଶ୍ବାସ କରି ଚାଇଲ୍ଡ ଲାଇନ୍ର ସଦସ୍ୟମାନେ ବାପା ଓ ଜେଜେମାଆଙ୍କୁ ତାଗିଦ କରିବା ସହ ପିଲାଦୁହିଁଙ୍କୁ ସେଠାରେ ଛାଡ଼ିଆସିଥିଲେ। କିନ୍ତୁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଶିଶୁଦ୍ବୟଙ୍କୁ ରୀତିମତ ଦେଖିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆଜି ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତାଙ୍କ ଘରକୁ ଯିବାରୁ ସେମାନେ କବାଟ ଖୋଲି ନଥିଲେ। ବାରମ୍ବାର କବାଟ ବାଡ଼େଇ ଡାକିଲେ ମଧ୍ୟ ମାଆ ପୁଅ କବାଟ ଖୋଲିଲେ ନାହିଁ। ଖବର ପାଇ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ମଞ୍ଚେଶ୍ବର ଥାନା ପୁଲିସକୁ ସାଙ୍ଗରେ ଧରି ଜ୍ୟୋତ୍ସ୍ନାରାଣୀଙ୍କ ଘରେ ପହଞ୍ଚିଥିଲା। ପିଲାଦୁହିଁଙ୍କୁ ଉଦ୍ଧାର କରିବା ସହ ବାପା ଓ ଜେଜେମାଆକୁ ଥାନାକୁ ନିଆଯାଇଥିଲା। ସେଠାରେ ପିଲାଦୁହେଁ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ବଖାଣିଥିଲେ। ଭୋକ ବିକଳରେ ସେମାନେ ଖାଦ୍ୟ ଲୁଚାଇ ଖାଉଥିବାରୁ ସେମାନଙ୍କୁ ମାଡ଼ଗାଳି ଖାଇବାକୁ ପଡ଼ୁଥିଲା ବୋଲି କହିବା ବେଳେ ସମସ୍ତଙ୍କ ଆଖି ଜକେଇ ଆସିଥିଲା।