ଭୁବନେଶ୍ବର : ଶୁକ୍ରବାର ଭବାନୀ ମଲ୍ର ଏକ ରେସ୍ତୋରାଁରେ ଭଙ୍ଗାରୁଜା କରି ସେଠାରେ ଆତଙ୍କ ସୃଷ୍ଟି କରିଥିବା ଯୁବକ ଓ ତାଙ୍କ ମା’କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସତ୍ୟକାଳୀ ବସ୍ତି ବେହେରାସାହିର ଆଲୋକ ଚନ୍ଦ୍ର ମହାନ୍ତି(୨୫) ଓ ତାଙ୍କ ମା’ସୁଲୋଚନା ମହାନ୍ତି(୫୨)।
ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ଗୋଟାଏ ହେବ। ଆଲୋକ ଦୁଇ ବାନ୍ଧବୀଙ୍କୁ ଧରି ଖାଇବା ପାଇଁ ରେସ୍ତୋରାଁ ଆସିଥିଲେ। ହେଲେ ଖାଇବା ପରେ ବିଲ୍କୁ ନେଇ ଆଲୋକ ଓ ରେସ୍ତୋରାଁ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଥିବା ଆଲୋକ ରାଗିଯାଇ ରେସ୍ତୋରାଁ ବାହାରେ କାହାକୁ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲା। ଏଥିରେ ଆଲୋକର ମା’ ସୁଲୋଚନା ମଧ୍ୟ ତାକୁ ସହଯୋଗ କରିଥିଲେ। ଗଣ୍ଡଗୋଳ ଦେଖି ଆଖପାଖ ଦୋକାନୀ ଧାଇଁ ଆସିଥିଲେ। ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିବାକୁ ଚେଷ୍ଟା କରି ଥାନାକୁ ନେଇଥିଲା। ଏନେଇ ରେସ୍ତୋରାଁ ମ୍ୟାନେଜର ଦୀପକ ମହାନ୍ତି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟ ମା’ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।