ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ… ୪ ବର୍ଷର ପୁଅକୁ ନିର୍ଦ୍ଦୟଭାବେ ପିଟିଲା ମା’

ଭୁବନେଶ୍ବର: ମାତ୍ର ୪ ବର୍ଷର ଛୁଆ। ଭଲ କରି କଥା କହି ଶିଖିନି। ସିଲଟ ଖଡ଼ି ବି ଧରି ଜାଣିନି। କିନ୍ତୁ ମା’ର ଜିଦ୍ ପୁଳାପୁଳା ପଢ଼ିଯାଉ। ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ ମା’ର ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା‌ ମଝିରେ ଗଡ଼େଇତଡ଼େଇ ପିଟିଲା ପୁଅକୁ। ବିଧା, ଗୋଇଠା, ଚାପୁଡ଼ା ଆଦି ମାରି ଚାଲିଲା। ଗୋରୁଗାଈଙ୍କୁ ପିଟିବା ଭଳି କୋମଳମତି ଶିଶୁକୁ ମା’ ହିଁ ନିଜେ ମାରୁଥିଲା। ଆଜି ରାଜଧାନୀରେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ମା’କୁ ଥାନାକୁ ଆଣି ନୋଟିସ୍ ଦେଇ ଛାଡ଼ିଛି।

Mathrubhumi English

ଘଟଣାଟି ଥିଲା ଏମିତି। ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳରେ ରାସ୍ତା ଉପରେ ଜଣେ ମହିଳା ୪ ବର୍ଷର ଶିଶୁପୁତ୍ରକୁ ନିର୍ଘାତ୍ ମାଡ଼ ମାରୁଥିଲା। ପିଲାଟି ମା’ ମା’ ରଡ଼ି ଛାଡ଼ୁଥିଲେ ବି ନିର୍ଦ୍ଦୟ ମହିଳା କିଛି ଶୁଣୁନଥିଲେ। ବିଧା ଗୋଇଠା ମାରି ମାରି ପିଲାଟିକୁ ରାସ୍ତ‌ାରେ ଗଡ଼ାଇ ଦେଇଥିଲେ। ସେହି ରାସ୍ତାରେ ଯାଉଥିବା ଲୋକେ ହଠାତ୍ କିଛି ବୁଝିପାରିନଥିଲେ। ପରେ ଜଣାପଡ଼ିଲା ଯେ ଟିଉସନ୍‌ ଯିବାକୁ ପିଲାଟି ଅମଙ୍ଗ ହେବାରୁ ମା’ ଏମିତି ମାଡ଼ ମାରୁଛି। ମହିଳାଙ୍କ ଉଗ୍ର ରୂପ ଦେଖି କେହି ତାଙ୍କୁ ଅଟକାଇବାକୁ ସାହସ କଲେ ନାହିଁ। କିନ୍ତୁ ଜଣେ ଏହି ନିର୍ମମ ଦୃଶ୍ୟକୁ ମୋବାଇଲ୍‌ରେ ସୁଟ୍‌ କରି ଭାଇରାଲ୍‌ କରିଦେଲେ। ସେ ମଧ୍ୟ ଏହି ଭିଡିଓକୁ ପୁଲିସ କମିସନରଙ୍କ ନିକଟକୁ ପଠାଇ ଦେଇଥିଲେ। ସେଠାରୁ ନିର୍ଦ୍ଦେଶ ପାଇ ଏୟାର୍‌ ଫିଲ୍‌ଡ ଥାନା ପୁଲିସ ମହିଳାଙ୍କୁ ଠାବ କରି ଥାନାକୁ ଡକାଇ ଥିଲା। ଏମିତିକି ଖବର ପାଇ ଚାଇଲ୍‌ଡ ଲାଇନ୍‌ ଅଧିକାରୀ ମଧ୍ୟ ଥାନାରେ ପହଞ୍ଚିଥିଲେ। ମା’କୁ କାଉନ୍‌ସେଲିଂ କରିଥିଲେ। ଅବଶ୍ୟ ମା’ ସେତେବେଳକୁ ଭୁଲ୍‌ ବୁଝି ପାରିଥିଲେ ଓ ଅନୁତାପ କରିଥିଲେ। ତେଣୁ ପୁଲିସ ସିଆର୍‌ପିସି ୪୧ରେ ତାଙ୍କୁ ନୋଟିସ୍ କରି ଛାଡ଼ିଥିଲା।

ସମ୍ବନ୍ଧିତ ଖବର